Connect with us

ଅପରାଧ

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ

ସାଙ୍କେତିକ

ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ
ଅଭିଯୁକ୍ତ ଶିକ୍ଷକ ନିଲମ୍ବିତ
ଭବାନୀପାଟଣା/କଲମପୁର,୧୯ା୧୨: ନବମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ବ୍ଲକ ସିରିମସ୍କା ଉନ୍ନିତ ଉଚ୍ଚ ବିଦ୍ୟାଳୟର ଆବାସିକ ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି । ତେବେ ପୋଲିସର ଗିରଫଦାରୀ ଭୟରେ ସେ ବର୍ତମାନ ଫେରାର୍ ଥିବା ଜଣାପଡିଛି । ସମ୍ପୃକ୍ତ ଛାତ୍ରୀଙ୍କ ଘର ଥୂଆମୂଳ ପଂଚାୟତ ଅନ୍ତର୍ଗତ କରାଙ୍ଗ ଗ୍ରାମରେ । ସେ ଏଠାରେ ହଷ୍ଟଲରେ ରହି ପାଠ ପଢୁଥିଲେ ।

ଗତ ସେପ୍ଟେମ୍ବର ମାସ ଗଣେଶ ପୂଜା ଦିନ ଛାତ୍ରୀ ଜଣକ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଭୟରେ ଏ ବାବାଦରେ କାହାରି ସାମ୍ନାରେ ମୁହଁ ଖୋଲିନଥିଲେ । କାହାରିକୁ କହିଲେ ମାଟ୍ରିକ୍ ପରୀକ୍ଷା କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାପାତ୍ର । ପୀଡ଼ିତା କଳାହାଣ୍ଡି ଜିଲ୍ଲାପାଳ ଡଃ ଗାୱାଲି ହର୍ସଦ ପରାଗଙ୍କ ନିକଟରେ ଏନେଇ ଫେରାଦ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ପୀଡ଼ିତାଙ୍କ ପରିବାର ପକ୍ଷରୁ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଥୂଆମୂଳ ରାମପୁର ଥାନାରେ ଏତଲା ହୋଇଥିଲା ।

ଅଭିଯୋଗକୁ ଭିତି କରି ପୋଲିସ ୧୩୦/୧୮ରେ ଭାରତୀୟ ପିଙ୍ଗଳ କୋଡ୍ ର ଦଫା ୩୭୬(୩)/୫୦୬ ଏବଂ ଶିଶୁ ଯୌନ ନିରୋଧ ଆଇନ ବଳରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଗତକାଲି ପୀଡ଼ିତାଙ୍କ ଡ଼ାକ୍ତରୀମାଇନା କରାଯିବା ସହିତ ଭବାନୀପାଟଣା ଏସଡିଜେଏମ୍ କୋର୍ଟରେ ବୟାନ ରେକର୍ଡ଼ କରାଯାଇଥିଲା । ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି । ଭବାନୀପାଟଣା ସଦର ଏସଡିପିଓ ବିରଂଚି ନାରାୟଣ ଦେହୁରୀ ମାମଲାର ତଦନ୍ତ କରୁଛନ୍ତି ।

ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ