Connect with us

ଓଡିଶା

ଦରବୃଦ୍ଧି ଓ ଉଜ୍ଜ୍ୱଳା ଯୋଜନା ଦୁର୍ନୀତି ପ୍ରତିବାଦରେ ଆଇଓସିଏଲ ଅଫିସ ଘେରାଉ

ଦରବୃଦ୍ଧି ଓ ଉଜ୍ଜ୍ୱଳା ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଇଓସିଏଲ ଅଫିସ ଘେରାଉ ଆଜି
ଭୁବନେଶ୍ୱର :- ରନ୍ଧନ ଗ୍ୟାସର ଦରବୃଦ୍ଧି , ଏହାର କଳାବଜାରୀ , ହିତାଧିକାରୀଙ୍କ ଆକାଉଂଟକୁ ସବସିଡି ଟଙ୍କା ନଯିବା ଏବଂ ଉଜ୍ଜଳା ଯୋଜନାରେ ଦୁର୍ନୀତି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ଆଇଓସିଏଲ ଭୁବନେଶ୍ୱର ଅଫିସ ସମ୍ମୁଖରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ବେଳେ ବିକ୍ଷୋଭ କରିବେ । ଯଦି ଏଥିରେ କେନ୍ଦ୍ର ତୈଳ ମନ୍ତ୍ରାଳୟର ବୁଦ୍ଧି ଉଦୟ ନହୁଏ, ତେବେ ଆଗାମୀ ଦିନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନକୁ ତୀବ୍ରତର କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓ ବିଜେପିର ମୁଖା ଖୋଲିଦେବ ବୋଲି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ମଲିକ ଓ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ।

ଶ୍ରୀମତୀ ମଲ୍ଲିକ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ଉଜ୍ଜ୍ୱଳା ଯୋଜନା ଏବେ ଗରିବମାନଙ୍କ ଜ୍ୱଳାରେ ପରିଣତ ହୋଇଛି । ଗରିବ ମହିଳାମାନଙ୍କ ଆଖିରୁ ଲୁହ ପୋଛିବା ପାଇଁ ଏହି ଯୋଜନା ହୋଇଥିବା କଥା ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଜୋରଦାର ପ୍ରଚାର କରୁଥିଲା ବେଳେ ବାସ୍ତବ ସ୍ଥିତି କିନ୍ତୁ ଓଲଟା । ରନ୍ଧନ ଗ୍ୟାସର ଦର ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାଫଳରେ ଲୋକମାନେ ଗ୍ୟାସ କିଣିବାକୁ ସମର୍ଥ ହେଉନାହାନ୍ତି । ସାରା ଓଡ଼ିଶାରେ ବିଭିନ୍ନ ସ୍ଥାନରୁ ଉଜ୍ଜ୍ୱଳା ଦୁର୍ନୀତି ଏକ ନୀତିଦିନିଆ ସମ୍ବାଦରେ ପରିଣତ ହୋଇଛି । ଏହା ଏନଡିଏ ସରକାରଙ୍କର ଏକ ବଡ଼ ଦୁର୍ନୀତି ବୋଲି ଜଣାପଡିଛି ।
ଗତ ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ଲକ୍ଷ ୪୮ ହଜାର ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ରାଜ୍ୟରେ ଏହି ହିତାଧିକାରୀଙ୍କ ମଧ୍ୟରୁ ଆର୍ôଥକ ବର୍ଷ ୨୦୧୬-୧୭ରେ ୮,୧୮,୭୮୬ ହିତାଧିକାରୀ ଦ୍ୱିତୀୟ ରିଫିଲ ନେଇଥିବା ବେଳେ ୨୦୧୭-୧୮ରେ ବର୍ତମାନ ସୁଦ୍ଧା ଏହା ହ୍ରାସ ପାଇ ୬,୪୫,୨୬୫ରେ ପହଚିଛି । ଏଥିରୁ ସ୍ପଷ୍ଟ ବାରି ହୋଇପଡୁଛି, ଉଜ୍ଜ୍ୱଳା ଯୋଜନାର ବିଫଳତା ଏବଂ ମହାଦୁର୍ନୀତିର ପ୍ରକୃତ ଦୃଶ୍ୟ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ ।
ଶ୍ରୀମତୀ ଦାସ କହିଛନ୍ତି ଯେ ଓଡ଼ିଶାରେ ୨୪ଲକ୍ଷ ସିଲିଣ୍ଡର ରିଫିଲିଂ ନହେଉଥିବା ବେଳେ ଏହି ସିଲିଣ୍ଡରଗୁଡିକ କଳାବଜାରୀ ହେଉଛି । ଅନ୍ୟପକ୍ଷରେ ଉଜ୍ଜ୍ୱଳା ଯୋଜନାର ସବସିଡି ଅର୍ଥ ଠିକ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନାହିଁ । ହିତାଧିକାରୀ ଜୟନରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏଠାରେ ବିଜୁ ଜନତା ଦଳ ଆଶା ରଖୁଛି, କେନ୍ଦ୍ରମନ୍ତ୍ରୀ ଏ ବିଷୟରେ ସଠିକ ସ୍ପଷ୍ଟୀକରଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଦେବେ ଯେ ବାସ୍ତବ ଚିତ୍ର କ’ଣ? ବିଜେପି ଗଣମାଧ୍ୟମରେ ନିଜର ସ୍ଥିତିକୁ ଜାହିର କରିବା ପାଇଁ ଏଭଳି ଯୋଜନାକୁ କେନ୍ଦ୍ର କରି ଯେଉଁ ବାତାବରଣ ସୃଷ୍ଟି କରିଛି, ଜନସାଧାରଣ ଠିକଣା ସ୍ଥାନରେ ତା’ର ଉଚିତ ଜବାବ ଦେବେ ।
କେନ୍ଦ୍ରରେ ବିଜେପି ସରକାର ଆସିବା ପରଠାରୁ ରନ୍ଧନ ଗ୍ୟାସର କ୍ରମାଗତ ଭାବେ ଦରବୃଦ୍ଧି ଯୋଗୁ ଓଡ଼ିଶାର ଗୃହିଣୀମାନଙ୍କର ରୋଷେଇ ଘରକୁ କୁଠାରଘାତ ହୋଇଛି । ମଇ ୨୦୧୪ରେ ଗୋଟିଏ ସିଲିଣ୍ଡର ୪୧୪ ଟଙ୍କାରେ ଉପଲବ୍ଧ ଥିଲାବେଳେ ଏହା ୧୬ ପ୍ରତିଶତ ବୃଦ୍ଧି ଅଗଷ୍ଟ ୨୦୧୭ରେ ପାଖାପାଖି ୪୮୦ ଟଙ୍କାରେ ପହଂଚିଥିଲା । ବିଜେପି ସରକାରରେ ରନ୍ଧନ ଗ୍ୟାସର ମୂଲ୍ୟ ମଇ ୨୦୧୪ରୁ ଆଜି ପର୍ଯ୍ୟନ୍ତ ୨୨ ଥର ବୃଦ୍ଧି କରାଯାଇଛି । ୩୦ ସେପ୍ଟେମ୍ବର ୨୦୧୮ରୁ ଅଣସବସିଡି ରନ୍ଧନ ଗ୍ୟାସର ମୂଲ୍ୟ ୫୯ ଟଙ୍କା ବୃଦ୍ଧି କରାଯାଇଛି । ଯାହାକି ଗୃହିଣୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଉଜ୍ଜ୍ୱଳା ଯୋଜନାର ଆଉ ଏକ ମହାଦୁର୍ନୀତି ଧରାପଡିଛି । ଉଜ୍ଜ୍ୱଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କୁ ପଞ୍ଜିକୃତ କରାଇ କେନ୍ଦ୍ର ସରକାର ଯେଉଁ ହରିଲୁଟ ଚଲାଇଛନ୍ତି, ତାହା ଅତି ନିନ୍ଦନୀୟ ଏବଂ ଦୁଃଖଦ । ଏହି ମହାଦୁର୍ନୀତି ଧରାପଡିବା ପରେ ଏଥିରେ ଅନିୟମିତତା ହୋଇଛି ବୋଲି ଆଇଓସିଏଲର କର୍ତୃପକ୍ଷ ସ୍ୱୀକାର କରିଛନ୍ତି ଏବଂ ସେଥିପାଇଁ ଗୋଟିଏ ଏଜେନ୍ସିକୁ ମଧ୍ୟ ନିଲମ୍ବିତ କରିଛନ୍ତି । ଗରିବ ମହିଳାମାନଙ୍କର ଅଧିକାରକୁ ଲୁଣ୍ଠନ କରି ଆଜି କେନ୍ଦ୍ର ସରକାର ନିଜର ପକେଟ୍ ଗରମ କରୁଥିଲା ବେଳେ କେନ୍ଦ୍ରମନ୍ତ୍ରୀ ନିରବଦ୍ରଷ୍ଟା ପାଲଟି ଏହି ମହାଦୁର୍ନୀତିକୁ ସମର୍ଥନ କରିବା ଓଡ଼ିଶାର ଜନସାଧାରଣଙ୍କ ସହିତ ହେଉଥିବା ବିଶ୍ୱାସ ଘାତକତାକୁ ପଦାରେ ପକାଇଛି ।

ଏହି ବିଶ୍ୱାସ ଘାତକତାକୁ ଓଡ଼ିଶାର ଗରିବ ମହିଳାମାନେ ବରଦାସ୍ତ କରିବେ ନାହିଁ ଏବଂ ଆସନ୍ତା ନିର୍ବାଚନାରେ ଏହାର ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା ବିଜେଡି ଉପ-ସଭାନେତ୍ରୀ ଗୀତାଞ୍ଜଳି ବସ୍ତିଆ ଏବଂ ଭୁବନେଶ୍ୱର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା