Connect with us

ଆଞ୍ଚଳିକ

ଟିଡିସିସି ଋଣମୁକ୍ତ ହେବ

ସାଙ୍କେତିକ ଚିତ୍ର

ଟିଡିସିସି ଋଣମୁକ୍ତ ହେବ
ଭୁବନେଶ୍ୱର,୨ା୧୧: ବିଭିନ୍ନ ସେବା କ୍ୟାଡ଼ରର ସଂଶୋଧନ ତଥା ପୁନର୍ଗଠନ, ସରକାରଙ୍କ ସହାୟତାରେ ଟିଡ଼ିସିଙ୍କୁ ଋଣମୁକ୍ତ କରିବା, ଆଦିବାସୀ ହଷ୍ଟେଲ ମାନଙ୍କରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତି ଦେବା ଲାଗି ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୭ଟି ବିଷୟକୁ ଅନୁମୋଦନ କରାଯାଇଛି । ବୈଠକ ପରେ କ୍ୟାବିନେଟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନୁମୋଦିତ ହୋଇଥିବା ବିଷୟ ସମ୍ପର୍କରେ ସୂଚନା ଦେଇଥିଲେ ।

ସେ କହିଥିଲେ ଯେ, ଓଡ଼ିଶା ଜନଜାତି ମାନଙ୍କର ଅର୍ଥନୈତିକ ଉନ୍ନତି ଓ ସାମାଜିକ କଲ୍ୟାଣ ସାଧନ ନିମନ୍ତେ ଓଡ଼ିଶା ଜନଜାତି ଉନ୍ନୟନ ସମବାୟ ନିଗମ ଲିମିଟେଡ଼ (ଟିଡିସିସି) ଜନଜାତିଙ୍କ ଦ୍ୱାରା ସଂଗୃହୀତ ବନଜାତ ଦ୍ରବ୍ୟ ଓ ବଳକା କୃଷିଜାତ ଦ୍ରବ୍ୟ ଗୁଡ଼ିକ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ରୟ ଦରରେ ସଂଗ୍ରହ ଓ ମୂଲ୍ୟ ପରିବର୍ତିତ କରି ଏହାର ବିକ୍ରିବଟାର ବ୍ୟବସ୍ଥା କରିବା କାର୍ଯ୍ୟ ସମ୍ପାଦନ କରିବା ପାଇଁ ସରକାର ଏ ସଂସ୍ଥାକୁ ବିଭିନ୍ନ ଋଣ ମାଧ୍ୟମରେ ଚଳନ୍ତି ପୁଂଜି ନିବେଶ କରିଥିଲେ । ୧୯୯୧ ମସିହାରେ ସରକାରଙ୍କ ଦ୍ୱାରା ମହୁଲ ଫୁଲ ସଂଗ୍ରହର ବିକ୍ରିକରଣ କାର୍ଯ୍ୟକ୍ରମରେ ଟିଡିସିସିକୁ ମୋଟ ୧୦.୬୫ କୋଟିର କ୍ଷତି ସହିବାକୁ ପଡ଼ିଛି । ୨୦୧୫, ୩୧ ତାରିଖ ସୁଦ୍ଧା ଏହି କ୍ରମବର୍ଦ୍ଧିଷ୍ଣୁ କ୍ଷତିର ପରିମାଣ ୫୨.୭୮କୋଟି ଟଙ୍କାରେ ପହଂଚିଛି । ଇତି ମଧ୍ୟରେ ଟିଡିସିସି ୧୪.୩୪ କୋଟି ଟଙ୍କାର ସରକାରୀ ଋଣ ପରିଶୋଧ କରିଛନ୍ତି । ମହୁଲ ଫୁଲ ସଂଗ୍ରହ ବିକ୍ରେନ୍ଦ୍ରୀକରଣ କାର୍ଯ୍ୟକ୍ରମରେ ବଳକା ଥିବା ସରକାରୀ ଋଣକୁ ତଥା ସୁଧ ବାବଦକୁ ବାକିଥିବା ୩୬.୩୯କୋଟି କୁ ସମାନ ଭାବରେ ଅଂଶ ପୁଞ୍ଜି ନିବେଶ ପରିବର୍ତିତ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି । ଏହି ପଦକ୍ଷେପ ଦ୍ୱାରା ଜନଜାତି ମାନଙ୍କ ବନଜାତ ଓ ବଳକା କୃଷିଜାତ ଦ୍ରବ୍ୟର ମୂଲ୍ୟ ପରିବଦର୍ଦ୍ଧନ ତଥା ବିକ୍ରି ବଟାର ବ୍ୟବସ୍ଥାକୁ ସୂଚାରୁ ରୂପରେ ସମ୍ପାଦନ କରିବା ନିମନ୍ତେ ଟିଡିସିସି ଆସନ୍ତା ବର୍ଷ ଠାରୁ ସକ୍ଷମ ହୋଇପାରିବ ଏବଂ ସେ ମଧ୍ୟ ବାହାରୁ ଋଣ ଆଣି ପାରିବ ।

ସେ ଆହୁରି କହିଲେ ଯେ, ଅନୁସୂଚିତ ଜନଜାତି ଓ ଜାତି, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ ନିମିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଓଡ଼ିଶା ଅଧସ୍ତନ ମଙ୍ଗଳ ସେବାର ପୁନର୍ଗଠନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି । ବିଗତ ଦୁଇ ଦଶନ୍ଧି ଧରି ଏହି ବିଭାଗ ଅଧିନସ୍ଥ ଆବାସିକ ବିଦ୍ୟାଳୟ ଏବଂ ଛାତ୍ରାବାସ ଓ ଛାତ୍ରୀନିବାସ ଗୁଡ଼ିକର ସଂଖ୍ୟା ବହୁଳ ଭାବରେ ବୃଦ୍ଧି ପାଉଛି । ଅଧିକରୁ ଅଧିକ କ୍ଷେତ୍ର ପରିଚାଳନାରେ ଅଭିଜ୍ଞ ମଙ୍ଗଳ ଅଧିକାରୀ ମାନଙ୍କୁ ଆଣି ରାଜ୍ୟସ୍ତରୀୟ ଆନୁଷ୍ଠାନିକ ବ୍ୟବସ୍ଥାକୁ ମଧ୍ୟ ଦୃଢ଼ୀଭୂତ କରିବାର ଆବଶ୍ୟକତା ରହିଛି । ତେଣୁ ଓଡ଼ିଶା ଅଧସ୍ତନ ମଙ୍ଗ ସେବା ଅଧିନସ୍ଥ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କ ସଂଖ୍ୟାକୁ ସୁସଂଗଠିତ କରିବା ଓ ପର୍ଯ୍ୟବେକ୍ଷକ ଅଧିକାରୀ ମାନଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ନିଷ୍ପତି ହୋଇଛି । ଏତଦ୍ ଅନୁଯାୟୀ ପ୍ରତ୍ୟେକ ଅଣୁ ପ୍ରକଳ୍ପକୁ ଦୃଢ଼ୀଭୂତ କରିବା ନିମନ୍ତେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ଅତିରିକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୃଷ୍ଟି କରାଯାଇଛି ।

ସେହିପରି ସମନ୍ୱିତ ଜନଜାତି ଉନ୍ନୟନ ପ୍ରକଳ୍ପ ଏବଂ ଉପଖଣ୍ଡ ମାନଙ୍କରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ପ୍ରତ୍ୟେକ ଅନ୍ୱେଷା ଜିଲ୍ଲା ଗୋଟିଏ ଲେଖାଏଁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପଦବୀ ବ୍ୟବସ୍ଥା କରାଯାଇ ଜିଲ୍ଲା ସ୍ତରରେ ଉତମ ପର୍ଯ୍ୟବେକ୍ଷଣ ଯୋଜନା କରାଯାଇଛି । ଏହି କ୍ରମରେ ୭୧ ଗୋଟି ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ୯ଗୋଟି ଜିଲ୍ଲା ମଙ୍ଗଳ ଅଧିକାରୀ, ୮ ଗୋଟି ଉପ ନିର୍ଦ୍ଦେଶକ, ୩ ଗୋଟି ଯୁଗ୍ମ ନିର୍ଦ୍ଦେଶକ ଏବଂ ଗୋଟିଏ ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି । ଓଡ଼ିଶା ଭୂତଳ ଜଳ ଉନ୍ନୟନ ନିର୍ଦ୍ଦେଶାଳୟର ଭୂତତ୍ୱବିତ୍ ସେବା କ୍ୟାଡ଼ରର ପୁନର୍ଗଠନ କରିବା ପାଇଁ କ୍ୟାବିନେଟରେ ନିଷ୍ପତି ହୋଇଛି ।

ଏଥିରେ ପ୍ରବେଶ ଶ୍ରେଣୀ ଭୂତତ୍ୱବିତ୍ ଗ୍ରୁପ୍ (ବି) ଶ୍ରେଣୀରୁ ଗ୍ରୁପ୍ ଏ କନିଷ୍ଠ ଶ୍ରେଣୀକୁ ଉନ୍ନୀତ ହେବେ । ଏହି ପୁନର୍ଗଠନରେ ଆଠଟି ନୂଆ ଭୂତତ୍ୱବିତ୍, ୩ଟି ନୂଆ ଉପନିର୍ଦ୍ଦେଶକ (ଭୂତତ୍ୱ) ପଦବୀ ସୃଷ୍ଟି କରାଯିବା ସଂଗେ ସଂଗେ ୩ଟି ଭୂତତ୍ୱ ଜଳ ବିଭାଜନ ଓ ଦୁଇଟି ଭୂତଳ ଜଳ ଉନ୍ନୟନ ମଣ୍ଡଳ (ଭୂତତ୍ୱ) ସୃଷ୍ଟି କରାଯିବ । ଏହି ପୁନର୍ଗଠନ ଦ୍ୱାରା ଓଡ଼ିଶା ଭୂତଳ ଜଳ ଭୂତତ୍ୱବିତ୍ ସେବା କ୍ୟାଡ଼ର ସଂଖ୍ୟା ୩୪ ରୁ ୪୮କୁ ବୃଦ୍ଧି ପାଇବ । ପ୍ରଚଳିତ ଭୂତଳ ଜଳ ଭୂତତ୍ୱବିତ୍ ସେବା କ୍ୟାଡ଼ର ନିୟମାବଳୀ ୨୦୦୭କୁ ସଂଶୋଧିତ କରାଯାଇ ବିଭିନ୍ନ ପଦବୀ ମଧ୍ୟ ପୂରଣ କରାଯିବ ।

ସେହିପରି ଏହି ବୈଠକରେ ଓଡ଼ିଶା ଉଦ୍ୟାନ କୃଷି ସେବା (ନବ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ) ସଂଶୋଧନ ନିୟମ ୨୦୧୮କୁ ସଂଶୋଧନ କରିବା ପାଇଁ ନିଷ୍ପତି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ