Connect with us

ଓଡିଶା

ଚତୁର୍ଥ ଦିବସରେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ସାଙ୍କେତିକ

ଚତୁର୍ଥ ଦିବସରେ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ
ରାଜ୍ୟରେ ଖୁବ୍ ଶୀଘ୍ର ହେବ ପାଠାଗାର ନିର୍ଦ୍ଦେଶାଳୟ : ପ୍ରଶାସକ ଆର୍. ବାଲକ୍ରିଷ୍ଣନ୍
ଭୁବନେଶ୍ୱର, ୯ ଡିସେମ୍ବର – ପୁସ୍ତକ ପଠନକୁ ଏକ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି । ଓଡ଼ିଶା ପରି ଏକ ରାଜ୍ୟ ଭାଷାଭିତିରେ ଗଠିତ ହେବ । ସମଗ୍ର ଭାରତରେ ଅନନ୍ୟ ହୋଇଥିବା ବେଳେ ପୁସ୍ତକ ପଠନକୁ ଜୀବନର ଅଙ୍ଗ ଭାବରେ ଗ୍ରହଣ କରିବା ଅପରିହାର୍ଯ୍ୟ ବୋଲି ଦର୍ଶାଇଛନ୍ତି ଓଡ଼ିଶା ସରକାରଙ୍କ ପରାମର୍ଶଦାତା ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ ଲେଖକ ଆର. ବାଲକ୍ରିଷ୍ଣନ୍ । ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାରସ୍ୱତ ସମାଗମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବାଲକ୍ରିଷ୍ଣନ୍ କହିଛନ୍ତି ଯେ, ଛାପାଖାନାର ଆଗମନ ପରେ ଓଡ଼ିଶାର ଜ୍ଞାନଭଣ୍ଡାର ସାଧାରଣ ପାଠକ ପାଖରେ ପହଂଚିଲା । କ୍ରମେ କ୍ରମେ ପାଠାଗାର ନିମନ୍ତେ ଆଗ୍ରହ ସୃଷ୍ଟି ହେଲା । ୧୯୭୨ରେ ଓଡ଼ିଶା ବିଧାନସଭାରେ ପାଠାଗାର ବିଲ୍ ଆଗତ ହୋଇଥିବା ବେଳେ ୨୦୦୧ରେ ଓଡ଼ିଶା ସରକାର ପାଠାଗାର ଆଇନ ପ୍ରଣୟନ କରିଥିଲେ ଏବଂ ଖୁବ୍ ଶୀଘ୍ର ରାଜ୍ୟ ସରକାର ପାଠାଗାର ନିର୍ଦ୍ଦେଶାଳୟ ଖୋଲିବା ପାଇଁ ଯାଉଛନ୍ତି ବୋଲି ଶ୍ରୀ ବାଲକ୍ରିଷ୍ଣନ୍ କହିଥିଲେ । ଅନ୍ୟପକ୍ଷରେ ଭବିଷ୍ୟତ ପିଢ଼ି ଠିଜିଟାଳ୍ ହେବାକୁ ବାଧ୍ୟ ବୋଲି ଦର୍ଶାଇ ପ୍ରସଙ୍ଗ କ୍ରମେ ଓଡ଼ିଶା ଭର୍ଚୁଆଲ ଏକାଡେମୀ ଉପରେ ସୂଚନା ଦେଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଆ ଭର୍ଚୁଆଲ ଏକାଡେମୀର ବିଭିନ୍ନ ତଥ୍ୟ ଓ ବିବରଣୀ ବିଶ୍ୱର ୫୩ଟି ଦେଶର ଲୋକଙ୍କ ପାଖରେ ଉପଲବ୍ଧ ହେଲାଣି ବୋଲି ଶ୍ରୀ ବାଲକ୍ରିଷ୍ଣନ୍ ପ୍ରକାଶ କରିଥିଲେ । ରାଜ୍ୟ ପୁସ୍ତକ ମହୋତ୍ସବ ଖୁବ୍ ଶୀଘ୍ର ଜାତୀୟ ବହି ମେଳାର ମାନ୍ୟତା ଅର୍ଜନ କରିବ ବୋଳି ସେ ମତ ଦେଇଥିଲେ ।
ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରସିଦ୍ଧ ହିନ୍ଦୀ ଲେଖିକା ଶ୍ରୀମତୀ ଚିତ୍ରୀ ମୁଦଗଲ୍ କହିଲେ ଯେ ସ୍ୱାଧିନତାର ୭ ଦଶନ୍ଧି ପରେ ମଧ୍ୟ ଦେଶରେ ପୁସ୍ତକ ସଂସ୍କୃତିର ବିକାଶ ହୋଇ ନଥିବା ବେଳେ ଓଡ଼ିଶା ସରକାର ସେ ବାବଦରେ ଧ୍ୟାନ ଦେବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଓଡ଼ିଶାର ପୁସ୍ତକ ସଂସ୍କୃତି ଏହି ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପରି ବିଶ୍ୱ ବିଦିତ ହେଉ ବୋଲି ପ୍ରସିଦ୍ଧ ହିନ୍ଦୀ ସାହିତ୍ୟିକା ଶ୍ରୀମତୀ ମୁଦ୍ଗଲ୍ ଆଶା ପ୍ରକଟ କରିଥିଲେ ।
ବ୍ୟାସ ସମ୍ମାନ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ମୁଦ୍ଗଲ୍ କହିଲେ ଯେ, ପୁସ୍ତକ ଅଛି ତ ଭାଷା, ଇତିହାସ, ଭୂଗୋଳ, ସମାଜ ଏପରି କି ପୃଥିବୀର ସୁଗନ୍ଧ ଓ ଅଦ୍ଭୁତ ସୌନ୍ଦର୍ଯ୍ୟ ରହିଛି । ପୁସ୍ତକର ଜୀବନ ହିଁ ଭାବର ଜୀବନ । ପୁସ୍ତକ ମେଳା ହେଉଛି ଅନ୍ୱେଷା ଓ ଉନ୍ମେଶର ମହୋତ୍ସବ । ଗମ୍ଭୀର ସାହିତ୍ୟ ପ୍ରତି ନୂଆ ପିଢ଼ିର ବିମୁଖତା ଲକ୍ଷ୍ୟ କରି ସେ ମତ ଦେଇଥିଲେ ଯେ ଆମର ମୌଳିକତା ସହ ଇଂରାଜୀର କୌଣସି ନେଣଦେଣ ନାହିଁ । ସୋସିଆଲ୍ ମିଡ଼ିଆରେ ଆଜିର ପିଢ଼ି ନିଜ ସାହିତ୍ୟର ପ୍ରସାର ଘଟାଉଥିଲେ ମଧ୍ୟ ଭାଷାଗତ ଶୁଦ୍ଧତା ହରାଇଛନ୍ତି । ସେ ଗୀତଗୋବିନ୍ଦ, ଶାରଳା ମହାଭାରତ, ଏପରି କି ମାଟିମଟାଳ ପରି ଗ୍ରନ୍ଥର ଉଦହାରଣ ଦେଇ ଭାଷାର ଶୁଦ୍ଧତା ଉପରେ ଗୁରୁତ୍ୱ ପ୍ରଦାନପୂର୍ବକ ଆଜିର ପ୍ରକାଶକମାନେ ଏହି ଶୁଦ୍ଧତା ରକ୍ଷା ପାଇଁ ପ୍ରଯତ୍ନ କରିବା ଆବଶ୍ୟକ ବୋଲି କହିଥିଲେ । ପର୍ଯ୍ୟାପ୍ତ ଅନୁବାଦ ଓ ନିର୍ଭୁଲ ମୁଦ୍ରଣ ନିମନ୍ତେ ଶ୍ରୀମତୀ ମୁଦ୍ଗଲ୍ ଅନୁବାଦ ଓ ପ୍ରୁଫ୍ ରିଡ଼ିଙ୍ଗକୁ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ପରାମର୍ଶ ଦେଇଥିଲେ । ବକ୍ତବ୍ୟରେ ସେ ଓଡ଼ିଶାର ଭାଷା, ସାହିତ୍ୟ ଓ ଐତିହ୍ୟର ଭୂୟସୀ ପ୍ରଶଂସା କରିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ଅଧକ୍ଷତା କରିଥିବା ବେଳେ ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ମାନନୀୟ ଅତିଥି ଭାବେ ବକ୍ତବ୍ୟ ରଖିଥିଲେ ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ବିଭାଗ ପକ୍ଷରୁ ପ୍ରାୟୋଜିତ ଓଡ଼ିଆ ସାହିତ୍ୟର ବିଭିନ୍ନ ଅନୁବାଦ ଗ୍ରନ୍ଥ ଉପରେ ସୂଚନା ପ୍ରଦାନ କରିଥିôବା ବେଳେ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକ ସାଙ୍ଗକୁ ପକ୍ଷୀଘର ପକ୍ଷରୁ ପ୍ରକାଶିତ ଶ୍ରୀମତୀ ମୁଦ୍ଗଲ୍ଙ୍କ ପୁସ୍ତକର ଓଡ଼ିଆ ଅନୁବାଦ ମଧ୍ୟ ଲୋକାର୍ପିତ ହୋଇଥିଲା । ମିଲନ୍ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କଳିଙ୍ଗ ପୁସ୍ତକ ମେଳା କମିଟିର କର୍ମକର୍ତା ରେଣୁକା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା