Connect with us

ଓଡିଶା

କେନ୍ଦ୍ରରୁ କେହି ବଡ଼ ବଡ଼ ନେତା ଆସିଲେ ମୋତେ ହରାଇ ପାରିବେ ନାହିଁ – ମୁଖ୍ୟମନ୍ତ୍ରୀ

ସାଙ୍କେତିକ

ଶ୍ରୀଜଗନ୍ନାଥଙ୍କ ଆର୍ଶିବାଦ ନେଇ ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର
କେନ୍ଦ୍ରରୁ କେହି ବଡ଼ ବଡ଼ ନେତା ଆସିଲେ ମୋତେ ହରାଇ ପାରିବେ ନାହିଁ – ମୁଖ୍ୟମନ୍ତ୍ରୀ
ବାରିପଦା, ୨୫ ଏପ୍ରିଲ – ମୟୂରଭଞ୍ଜରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର ଜାରି ରହିଛି । ମୁଖ୍ୟମନ୍ତ୍ରୀ ଗତ ବୁଧବାର ରାତିରେ ରୋଡ ସାରି ସର୍କିଟ ହାଉଓ ଠାରେ ରାତ୍ରୀ ଯାପନ କରିଥିଲେ । ଗୁରୁବାର ସକାଳ ୯ଟା୪୦ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସର୍କିଟ ହାଉସ ବାହାରି ଶ୍ରୀ ଜଗନ୍ନାଥ ମନ୍ଦିର ଆସିଥିଲେ । ସେଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶିଷ ନେଇ ମୟୂରଭଞ୍ଜରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପ୍ରଥମେ ଉଦଳା ଠାରେ ନିର୍ବାଚନ ପ୍ରଚାର ସଭା କାର୍ଯ୍ୟ କରି ୧୦ଟା୫୦ମିନିଟ ସମୟରେ ଚିତ୍ରଡା ପଂଚାୟତର ପାଟପୁର ପଡ଼ିଆ ଠାରେ ନିର୍ବାଚନୀ ସଭା କରିଥିଲେ ।

ଏହି ଠାରେ ସେ କହିଥିଲେ ଯେ,କାଳିଆ ଯୋଜନାରେ ଏବେ ୪୦ଲକ୍ଷ ଚାଷୀ ଉପକୃତ ହୋଇସାରିଲେଣି । ହେଲେ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ ଏହି ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଥିଲେ । ବିଜେଡି ସରକାର ଆସିବାର ପ୍ରଥମ ଦିନରେ ହିଁ ଦୁଇଟି କିସ୍ତିରେ ଚାଷୀମାନଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରାଯିବ । କେନ୍ଦ୍ରରୁ ମହିଳାମାନଙ୍କ ଉନ୍ନତି ପାଇଁ ୫ଲକ୍ଷ ଟ୍କା ଦେଉଥିବା ବେଳେ ବିଜେଡି ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡବଲ ଅର୍ଥାତ ୧୦ଲକ୍ଷ ଟଙ୍କା ପ୍ରଦାନ କରିବେ । କେନ୍ଦ୍ରର ବଡ ବଡ ନେତାମାନଙ୍କର ନିର୍ବାଚନୀ ସମୟରେ ହିଁ ଓଡ଼ିଶା କଥା ମନେପଡେ । ଓଡ଼ିଶାରେ ବନ୍ୟା ଗଲା କେହଇ ଆସିଲେ ନାହିଁ,ବାତ୍ୟା ଗଲା କେହି ଆସିଲେ ନାହିଁ,ହୁଡହୁଡ ଗଲା କେହି ଆସିଲେ ନାହିଁ,ମରୁଡି ଗଲା କେହି ଆସିଲେ ନାହିଁ,ଫାଇଲିନ ଗଲା କେହି ଆସିଲେ ନାହିଁ,ତିତଲି ଗଲା ମଧ୍ୟ କେହି ଆସିଲେ ନାହିଁ । କିନ୍ତୁ ଏବେ ନିର୍ବାଚନ ସମୟ ହୋଇଥିବାରୁ କେନ୍ଦ୍ରରୁ ବଡବଡ଼ ନେତାମାନେ ଓଡ଼ିଶାକୁ ବାରମ୍ବାର ଆସୁଛନ୍ତି । ଏଣୁ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ସେ ଆହୁରି କହିଛନ୍ତି ଯେ,ଏପରିକି ଓଡ଼ଇଶାର ବିପଦ ସମୟରେ ପ୍ରଧାନମନ୍ତ୍ରୀଙ୍କ ସମୟ ହେଲା ନାହିଁ ସେ ଓଡ଼ିଶା ଆସିପାରିଲେ ନାହିଁ । କିନ୍ତୁ ଏବେ ନିର୍ବାଚନ ଥିବାରୁ ସେ ବାରମ୍ବାର ଓଡ଼ିଶା ଆସୁଛନ୍ତି । ତେବେ ମୁଁ ଫିଲ କରୁଛି ବିଜେଡି ସରକାର କରିବା ପାଇଁ ଲୋକେ ନିଷ୍ପତି ନେଇ ସାରିଛନ୍ତି । ଏଣୁ କେନ୍ଦ୍ରରୁ କେହି ବଡ଼ବଡ଼ ନେତା ଆସିଲେ ମଧ୍ୟ ମୋତେ ହରାଇ ପାରିବେ ନାହିଁ ।

କେନ୍ଦ୍ରରେ ସରକାର ଗଠନରେ ଓଡ଼ିଶା ତଥା ଓଡ଼ିଶାବାସୀ ବିଶେଷ ଭୂମିକା ଗ୍ରହଣ କରିବେ । ଏହା ଆମ ପାଇଁ ସୁବର୍ଣ୍ଣ ସୁଯୋଗ । ମୟୂରଭଞ୍ଜରେ ମେଡିକାଲ କଲେଜ ହେଲା । ଏବଂ ତାହା ଆଦିବାସୀ ଲୋକଙ୍କ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ନାମିତ କରିଛି । ଏହି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ଏକତୃତୀୟାଂଶ ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ କେନ୍ଦ୍ରସରକାର ମାତ୍ର ୨୦ପ୍ରତିଶତ ଟଙ୍କା ଦେଇଛନ୍ତି । ସିଧାସଳଖ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିବା ଅବସରରେ ସେ ତାଙ୍କ ନାଁ ନନେଇ କହିଥିଲେ ଯେ,ଜଣେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ବିରୋଧ କରିଥିଲେ । ହେଲେ ରାଜ୍ୟ ସରକାର ସୁପ୍ରୀମକୋର୍ଟରେ ମାମଲା କରି ସେଠାରେ ଜିତି ମେଡିକାଲ କଲେଜକୁ ଚଳାଇଛନ୍ତି । ଏପ୍ରକାର ରାଜନିତି ସେମାନେ କରୁଛନ୍ତି ଯେ ଏପରିକି ଏସି ଏସଟି ପିଲାମାନଙ୍କର ଛାତ୍ରବୃତିକୁ ସେମାନେ ବନ୍ଦ କରିଦେଇଛନ୍ତି । ମୟୂରଭଞ୍ଜରେ ଏକପେନସ ଜିରୋ ରହିଛି । ଏଣୁ ମୟୂରଭଞ୍ଜର ସ୍ୱାଭିମାନି ଓଡ଼ିଆ ଏହାର ଉଚିତ ଜବାବ ଦେବେ । ସାଢ଼େଚାରିକୋଟି ଓଡ଼ିଶା ବାସି ତାଙ୍କ ପରିବାର । ତାଙ୍କର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଓଡ଼ିଶା ବାସୀଙ୍କ ସେବା କରିବେ । ଏଣୁ ଆପଣମାନେ ମୋତେ ଆର୍ଶିବାଦ କରନ୍ତୁ । ଏବଂ ମୟୂରଭଞ୍ଜ ଲୋକସଭା ସାଂସଦ ଡ.ଦେବାଶିଷ ମାର୍ଣ୍ଡି ଏବଂ ମୋରଡା ନିର୍ବାଚନୀ ମଣ୍ଡଳୀରେ ବିଧାୟକ ପ୍ରାର୍ଥି ରାଜକିଶୋର ଦାସଙ୍କୁ ମଧ୍ୟ ଆର୍ଶିବାଦ କରନ୍ତୁ ବୋଲି କହିଥିଲେ ।

ପ୍ରଥମେ ଜୟ ଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରି ଆପାଣମାନେ ଏତେ ଖରାରେ ଆସିଛନ୍ତି ଏଣୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ଆପଣମାନଙ୍କ ପାଖକୁ ଆସିଛି ଆପଣମାନେ ଖୁସି ତ । ମୁଁ ବି ବହୁତ ଖୁସି ବୋଲି କହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ୧ଟା୩୦ମିନିଟ ସମୟରେ ସେଠାରେ ବାହାରି ସିଧାସଳଖ ବାଙ୍ଗିରିପୋଷୀ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କଳାବାଡିଆକୁ ଯାଇଥିଲେ । ଆଜି ସକାଳେ ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ପୂର୍ଜାର୍ଚ୍ଚନା କରିଥିଲେ । ସେଠାରୁ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରି ଉଦଳା ଯାଇଥିଲେ । ଏହି ସମୟରେ ମନ୍ଦିରରେ ପୂଜାର୍ଚ୍ଚନା କରିସାରିବା ପରେ ମନ୍ଦିର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଠାଦୋବି ଜଣାଇଥିଲେ ।

ମନ୍ଦିର ସେବାୟତମାନଙ୍କ ଦ୍ୱାରା କରାଯାଇଥିବା ଦାବି ଗୁଡିକ ମଧ୍ୟରେ ବିଶେଷ କରି ବାରିପଦା ଜଗନ୍ନାଥ ମନ୍ଦିରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ସରକାରୀ ସ୍ୱିକୃତି ପ୍ରଦାନ କରାଯାଉ,ଦେବୋତର ବିଭାଗ ପାଇଁ ମାଜିଷ୍ଟ୍ରଟ ପାହ୍ୟାର ସ୍ୱତନ୍ତ୍ର ଅଫିସର ନିଯୁକ୍ତି କରାଯାଉ, ମଠ ଓ ମନ୍ଦିରମାନଙ୍କରେ ଖାଲି ପଡ଼ିଥିବା ସେବାୟତ ପଦବୀରେ ସେବାୟତ ନିଯୁକ୍ତି, ମଠ ଓ ମନ୍ଦିରମାନଙ୍କରେ ଠାକୁରଙ୍କ ରିତୀ, ନୀତିଠିକ ଓ ଶୃଙ୍ଖଳିତ ଭାବେ ନିର୍ବାହ କରାଯାଉ, ମଠ ଓ ମନ୍ଦିରମାନଙ୍କର ସମ୍ପତି ତୁରନ୍ତ ଉଦ୍ଦାର କରାଯିବାର ବ୍ୟବସ୍ଥା କରାଯାଉ, ଠାକୁରମାନଙ୍କ ଉଦ୍ଦିଷ୍ଟ ଗହଣା ର ପୁନରୁଦ୍ଧାର କରାଯାଉ,ମଠ ଓ ମନ୍ଦିରମାନଙ୍କରେ ଭାଙ୍ଗିଯାଇଥିବା ଅଂଶକୁ ନୂତନ ଭାବେ ନିର୍ମାଣ କରାଯାଉ ଆଦି ବିଭିନ୍ନ ଦାବି କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା