Connect with us

ଦେଶ

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ୫ଜଣ ସାମାଜିକ କର୍ମୀ : ସୁପ୍ରିମକୋର୍ଟ l

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ୫ଜଣ ସାମାଜିକ କର୍ମୀ : ସୁପ୍ରିମକୋର୍ଟ l

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ନଜରବନ୍ଦୀ ରହିବେ ୫ଜଣ ସାମାଜିକ କର୍ମୀ : ସୁପ୍ରିମକୋର୍ଟ l
ନୂଆଦିଲ୍ଲୀ,୨୯ା୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଷଡଯନ୍ତ୍ର ଏବଂ ଭୀମା କୋରେଗାଓଁ ହିଂସା ମାମଲାରେ ଗିରଫ ୫ ବାମପନ୍ଥୀ ନେତା ଓ ସାମାଜିକ କର୍ମୀଙ୍କୁ ଟ୍ରାଜିଟ୍ ରିମାଣ୍ଡ କିମ୍ବା ହାଜତକୁ ପଠାଇବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୬ରେ ହେବ । ମହାରାଷ୍ଟ୍ର ସରକାର ଏନେଇ ସେପ୍ଟେମ୍ବର ୫ ଭିତରେ ଉତ୍ତର ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଗିରଫ ବାମପନ୍ଥୀ ନେତା ଓ ସାମାଜିକ କର୍ମୀଙ୍କୁ ନଜରବନ୍ଦ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଦିନ ମହାରାଷ୍ଟ୍ରର ପୁଣେ ପୋଲିସ ୬ଟି ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବାମପନ୍ଥୀ ନେତା ତଥା ତେଲୁଗୁ କବି ପି ବରାବରା ରାଓ, ବାମପନ୍ଥୀ ଶ୍ରମିକ ସଂଗଠନ ତୋ ସୁଧା ଭରଦ୍ୱାଜ, ସାମାଜିକ କର୍ମୀ ବର୍ନନ ଗୋଜାଲଭିସ୍, ଅରୁଣ ଫାରେରା ଓ ଗୌତମ ନଲଖାଙ୍କୁ ଗିରଫ କରିଥିଲା । ବରବରା ରାଓଙ୍କୁ ହାଇଦରାବାଦରୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀକୁ ବିରୋଧ କରି ଐତିହାସିକ ରୋମିଲା ଥାପର, ପ୍ରଭାତ ପଟ୍ଟନାୟକ, ସତୀଶ ଦେଶପାଣ୍ଡେ, ଦେବକୀ ଜୈନ ଏବଂ ମାୟା ଦାରୁୱାଲା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜନସ୍ୱାର୍ଥ ଆବେଦନରେ ଗିରଫ ନେତା ଓ ସାମାଜିକ କର୍ମୀଙ୍କୁ ମୁକ୍ତ କରିବାକୁ ଅନୁରୋଧ କରାଯାଇଥିଲା । ଏହାସହ ଗିରଫଦାରୀ ମାମଲାର ସ୍ୱତନ୍ତ୍ର ତଦନ୍ତ କରିବାକୁ ଅନୁରୋଧ କରାଯାଇଥିଲା । ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ବୁଧବାର ସଂଧ୍ୟା ସାଢ଼େ ୪ଟାରେ ଏହାର ଶୁଣାଣି କରିଥିଲେ ।

ଆବେଦକଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଥିଲେ ଯେ, ପୁଣେ ପୋଲିସ ଗିରଫ କରିଥିବା ସାମାଜିକ କର୍ମୀମାନେ ୨୦ରୁ ୨୫ ବର୍ଷ ହେବ ପଛୁଆ, ଦଳିତ ଏବଂ ନିଷ୍ପେସିତ ଲୋକଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ବିନା କାରଣ ଦର୍ଶାଇ ସେମାନଙ୍କୁ ଗିରଫ କରାଯାଇଛି । ଏନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମହାରାଷ୍ଟ୍ର ସରକାରଙ୍କୁ ସେପ୍ଟେମ୍ବର ୫ ମଧ୍ୟରେ ଜବାବ ଦାଖଲ ପାଇଁ କହିଥିଲେ । ଗିରଫ ସାମାଜିକ କର୍ମୀଙ୍କୁ ହାଜତକୁ ନ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶୁଣାଣି ବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଥିଲେ ଯେ, ଅନ୍ୟର ଅଧିକାର ପାଇଁ ନିଜ ଅଧିକାରକୁ ଉପଯୋଗ କରୁଥିବା ଲୋକଙ୍କୁ ଗିରଫ କରାଯିବା ଲୋକତନ୍ତ୍ର ଲାଗି ବିପଦଜନକ । ଅସହମତି ଲୋକତନ୍ତ୍ର ପାଇଁ ସେପ୍ଟିଭାଲ୍ଭ ଭଳି କାର୍ଯ୍ୟ କରେ । ଯଦି ଅସନ୍ତୋଷକୁ ଚପାଇ ଦିଆଯିବ ତେବେ ପ୍ରେସର କୁକର ଫାଟି ଯିବାର ଆଶଙ୍କା ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ଡିସେମ୍ବର ୩୧ରେ ଏଲ୍ଗାର ପରିଷଦ ପକ୍ଷରୁ ପୁଣେର ଭୀମ କୋରେଗାଓଁଠାରେ ଏକ କାର୍ଯ୍ୟକ୍ରମ ବେଳେ ହିଂସା ଘଟିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଏଠାରେ ମାଓବାଦୀମାନେ ଷଡଯନ୍ତ୍ର କରିଥିଲେ । ଭୀମା କୋରେଗାଓଁ ଯୁଦ୍ଧର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବରବରା ରାଓ ଓ ଅନ୍ୟ ଗିରଫ ଅଭିଯୁକ୍ତମାନେ ସାମିଲ ପୂର୍ବକ ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ ଦେଇଥିଲେ । ଫଳରେ ସେଠାରେ ହିଂସାକାଣ୍ଡ ଘଟିଥିଲା ବୋଲି ଏଫ୍ଆଇଆର୍ରେ ଉଲ୍ଲେଖ ରହିଛି । ଫଳରେ ମଙ୍ଗଳବାର ପୁଣେ ପୋଲିସ ମହାରାଷ୍ଟ୍ର ସମେତ ଗୋଆ, ତେଲଙ୍ଗାନା, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ୮ଟି ସ୍ଥାନରେ ୮ ଘଣ୍ଟା ଧରି ପୋଲିସ ଚଢ଼ାଉ କରିଥିଲା । ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ