Connect with us

ଦେଶ

ପାସପୋର୍ଟ ସେବା କେନ୍ଦ୍ର ଭଳି ଦେଶ ସାରା ଖୋଲିବ ‘ଆଧାର ସେବା କେନ୍ଦ୍ର’

ସାଙ୍କେତିକ ଚିତ୍ର

ପାସପୋର୍ଟ ସେବା କେନ୍ଦ୍ର ଭଳି ଦେଶ ସାରା ଖୋଲିବ ‘ଆଧାର ସେବା କେନ୍ଦ୍ର’
ନୂଆଦିଲ୍ଲୀ,୯ା୧୦ : ପାସପୋର୍ଟ ସେବା କେନ୍ଦ୍ର ଭଳି ଏବେ ଦେଶ ସାରା ଆଧାର ସେବା କେନ୍ଦ୍ର ଖୋଲାଯିବ । ଏହାଦ୍ୱାରା ଲୋକେ ସହଜରେ ଆଧାର କାର୍ଡ ପ୍ରସ୍ତୁତ ଓ ତ୍ରୁଟି ସଂଶୋଧନ କରିପାରିବେ । ଏହାସହ ଆଧାର ସେବା କେନ୍ଦ୍ର ଦ୍ୱାରା ଲୋକେ ଓ ସରକାରଙ୍କ ବିଭିନ୍ନ ସଂସ୍ଥା ସହଜରେ ଆବଶ୍ୟକ ତଥ୍ୟ ହାସଲ କରିପାରିବେ । ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ଚୟନରେ ଏହି କେନ୍ଦ୍ର ଗୁଡିକ ବଡ ଭୂମିକା ନିର୍ବାହ କରିବ ବୋଲି ଆଶା କରାଯାଉଛି । ବିଶେଷକରି ଏନରୋଲମେଣ୍ଟ, ଆଧାର ତଥ୍ୟର ଅପଡେଟ୍ ଏବଂ ଅନ୍ୟ କାର୍ଯ୍ୟ ପାଇଁ ଏହି କେନ୍ଦ୍ର ଗୁଡିକ ଉପଯୋଗୀ ହେବେ । ଏବେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର ପରିସରରେ ସ୍ୱୀକୃତି ପ୍ରାପ୍ତ ସଂସ୍ଥା ଗୁଡିକ ଦ୍ୱାରା ପାଖାପାଖି ୩୦,୦୦୦ ଆଧାର ସେବା ପ୍ରଦାନକାରୀ କେନ୍ଦ୍ର ଚାଲିଛି ।

ନୂତନ ଭାବେ ଖୋଲାଯିବାକୁ ଥିବା ‘ଆଧାର ସେବା କେନ୍ଦ୍ର’ ଏହିସବୁ ସଂସ୍ଥାର ସ୍ଥାନ ନେବ ଓ ସିଧାସଳଖ ୟୁଆଇଡିଆଇ ଦ୍ୱାରା ପରିଚାଳିତ ହେବ ବୋଲି ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛି ଓ ପ୍ରାଥମିକ ଭାବେ ଦେଶର ୫୩ଟି ସହରରେ ଆଧାର ସେବା କେନ୍ଦ୍ର ଖୋଲାଯିବ ବୋଲି ୟୁଆଇଡିଏଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଧାର ସେବା କେନ୍ଦ୍ର ଖୋଲିବା ପାଇଁ ୩୦୦ରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ କରାଯାଇଛି । ୨୦୧୯ ଏପ୍ରିଲ ମାସ ସୁଦ୍ଧା ୫୩ ସହରରେ ଆଧାର ସେବା କେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି ।

କୁହାଯାଉଛି ଯେ, ପ୍ରତିଦିନ ପ୍ରାୟ ୪ଲକ୍ଷ ଲୋକ ଆଧାର ଫଟୋ, ମୋବାଇଲ ନମ୍ବର ଓ ଅନ୍ୟ ତଥା ଅପଡେଟ୍ କରୁଛନ୍ତି । ଦୈନିକ ପ୍ରାୟ ଲକ୍ଷେ ଲୋକ ଆଧାର ପାଇଁ ନିଜ ନାମ ଏନରୋଲ କରୁଛନ୍ତି । ଯୋଜନା ଅନୁସାରେ ମହାନଗର ବା ବଡ ସହରରେ ୪ଟି ଲେଖାଏଁ ଓ ଅନ୍ୟ ସହରରେ ୨ଟି ଲେଖାଏଁ ଆଧାର ସେବା କେନ୍ଦ୍ର ଖୋଲାଯିବ । ଗତ ସପ୍ତାହରେ ସୁପ୍ରିମକୋର୍ଟ ଆୟକର ରିଟର୍ଣ୍ଣ ଏବଂ ପ୍ୟାନ କାର୍ଡ ପାଇଁ ଆଧାରକୁ ବାଧ୍ୟତାମୂଳକ କରିଥିଲେ । ବ୍ୟାଙ୍କ ଆକାଉଣ୍ଟ, ଏବଂ ଅନ୍ୟ ଆର୍ଥିକ ସେବା ପାଇଁ ପ୍ୟାନକାର୍ଡକୁ ବାଧ୍ୟତାମୂଳକ କରିଥିଲେ । କୋର୍ଟଙ୍କ ଆଦେଶ ପରେ ଆଧାର ଗୁରୁତ୍ୱ ବିଶେଷ ଭାବେ ବଢ଼ିଯାଇଛି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଧାର ସେବା କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଆଧାର କାର୍ଡର ଲାମିନେସନ ଓ ଏହାକୁ ପ୍ଲାଷ୍ଟିକ୍ କାର୍ଡ ଭଳି ବ୍ୟବହାର ନ କରିବାକୁ ୟୁଆଇଡିଏଆଇ ନିର୍ଦ୍ଦେଶାବଳୀ ଜାରି କରିଛି । ଆଧାର କାର୍ଡକୁ ଲାମିନେସନ କଲେ ଏହାର କ୍ୟୁଆର କୋଡ କାର୍ଯ୍ୟ କରେନାହିଁ ଓ ଏହାଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ଆଶଙ୍କା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ