Connect with us

ଅପରାଧ

ଦୀପାବଳିରେ ଦୁର୍ଘଟଣା ମୁକ୍ତ ହୋଇନାହିଁ ଓଡିଶା

ସାଙ୍କେତିକ ଚିତ୍ର

ଭୁବନେଶ୍ୱର :- ଦୀପାବଳିରେ ଦୁର୍ଘଟଣା ମୁକ୍ତ ହୋଇନାହିଁ ଓଡିଶା । ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟବଡ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାମାନ ଘଟିଅଛି । ରାଉରକେଲାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବାଣ ଦ୍ୱାରା ନିଆଁ ଲାଗିବାରୁ ରାଉରକେଲା ପୁରୁଣା ଷ୍ଟେସନ ଅଂଚଳରେ ତିନିଟି ଝୁମ୍ପୁଡି ଘର ଭସ୍ମୀଭୂତ ହୋଇଯାଇଛି । ବାସିନ୍ଦାମାନେ ହେଲେ ମହମ୍ମଦ ମଜିଦ, ବ୍ରହ୍ମଦେବ ସାହୁ ଓ ରଂଜନ ସାମନ୍ତ । ଏମାନଙ୍କ ଘର ଗୁଡିକ ପ୍ରାୟ ରାତି ୮ଟା ସମୟରେ ନିଅଁ ଲାଗିଯାଇଥିଲା । ପରିବାରର ସମସ୍ତ ସଦସ୍ୟ ବାହାରେ ଥିବାରୁ କେହି ହତାହତ ହୋଇ ନାହାନ୍ତି । ଅଗ୍ନିଶମ ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲା ।

ସେଇଭଳି ପାରାଦୀପ ସ୍ଥିତ ଦୀପାବଳି ପାଳନ ବେଳେ ଭଞ୍ଜ କଲୋନୀର ଟୁନିଆ ପଲେଇ ହାବେଳୀ ବାଣରେ ନିଅଁ ଲଗେଇଲାପରେ ଏକ ଗଛରେ ପିଟିହୋଇ ଘର ଉପରେ ପଡ଼ିଥିଲା । ଏହା ପରେ ଟୁନିଆର ୩ ବଖରା ଘର ଜଳି ଉଠିଥିଲା । ନିଅାଁ ଲାଗିବା ପରେ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଛନ୍ତି ।

କେନ୍ଦୁଝର ଜିଲ୍ଲାର ଆନନ୍ଦପୁରରେ ବାଣ ଫୁଟାଉଥିବା ବେଳେ ୨ ଜଣ ଆଘାତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ହେଉଛି ୪ ବର୍ଷର ଶିଶୁ। ଯାଜପୁର ଜିଲ୍ଲାର ପାଣିକୋଇଲିର ନୂଆପଦା ଗାଁରେ ଜଣେ ନାବାଳକ ଆଘାତ ହୋଇଛି । ଗୁରୁତର ହେବାରୁ ନାବାଳକକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଗଞ୍ଜାମ ଜିଲ୍ଲାର ଆସ୍କା ଥାନା ଅନ୍ତର୍ଗତ ଭେଜିପୁଟ ଗାଁରେ ଦୀପରୁ ନିଅାଁ ଲାଗି ଜଣେ ଯୁବତୀ ଗୁରୁତର ହୋଇଥିବା ବେଳେ ଭଞ୍ଜନଗର ଥାନା ଅନ୍ତର୍ଗତ ଚୋପରା ଗାଁରେ ଜଣେ ଯୁବକ ଆହତ ହୋଇଛନ୍ତି ।

ଅନ୍ୟପଟରେ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ପ୍ରକାଶଯେ, ଦୀପାବଳି ପାଳନ ଅବସରରେ ବାଣ ଫୁଟାଉ ଥିବାବେଳେ ୩ ଜଣ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଛି । ସୂଚାନଯୋଗ୍ୟଯେ, ରାଜଧାନୀ ଭୁବନେଶ୍ୱରରେ ଦୀପାବଳି ପାଳନ ଯୋଗୁଁ ସମ୍ଭାବିତ ଦୁର୍ଘଟଣା ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଏଥିପାଇଁ ଏକ ସ୍ୱତନ୍ତ୍ର ରୁମରେ ୧୨ଟି ଶର୍ଯ୍ୟାର ବ୍ୟବସ୍ଥା ସହିତ ଏକ ଡାକ୍ତରୀ ଦଳକୁ ସଜାଗ ରଖାଯାଇଛି । ସେହିଭଳି ଅଘଟଣକୁ ଏଡେଇବା ପାଇଁ ଅଗ୍ନିଶମ ବିଭାଗର ୮ଟି ଟିମ୍‌କୁ ଗଠନ କରାଯାଇ ସଜାଗ ରଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ