Connect with us

ଆମ ଖବର

କୁଶବଟର ୪୦ ପରିବାର ୩ମାସ ହେବ ଜଳବନ୍ଦୀ

କୁଶବଟର ୪୦ ପରିବାର ୩ମାସ ହେବ ଜଳବନ୍ଦୀ

କୁଶବଟର ୪୦ ପରିବାର ୩ମାସ ହେବ ଜଳବନ୍ଦୀ
ଧର୍ମଶାଳା : ବିକାଶକୁ ନେଇ ରାଜ୍ୟ ସରକାର ବାହାଷ୍ପୋଟ ମାରୁଥିବା ବେଳେ ରାଜ୍ୟର ସବୁଠାରୁ ବିକଶିତ ଜିଲ୍ଲା କୁହା ଯାଉଥିବା ଯାଜପୁର ଜିଲ୍ଲାର କୁଶବଟ ଗ୍ରାମକୁ ଦେଖିଲେ ବିକାଶର ପ୍ରକୃତ ଚିତ୍ର ମିଳେ । ଯାଜପୁର ଜିଲା ବରୀ ବ୍ଲକର ସ୍ୱାଇଁଖଣ୍ଡ ପଂଚାୟତର କୁଶବଟ ଗ୍ରାମ । ଏହି ଗ୍ରାମଟି ପଂଚାୟତର ୬ନଂ ୱାର୍ଡରେ ଅବସ୍ଥିତ । ଏହି କୁଶବଟ ଗ୍ରାମରେ ୪୦ ପରିବାରର ୨୫୦ରୁ ଉର୍ଦ୍ଧ ଲୋକ ବସବାସ କରୁଛନ୍ତି । ହେଲେ ବିକାଶ ସେମାନଙ୍କ ପାଇଁ ଏବେ ସାତ ସାପନ ପାଲଟିଛି । ଆଜିକୁ ୩ମାସ ହେବ ୪୦ ପରିବାର ପାଣି ମଧ୍ୟରେ କାଳାତିପାତ କରୁଛନ୍ତି । ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ଗ୍ରାମର ୪୦ ପରିବାର ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଗତ ଜୁନ ମାସରୁ ହେଉଥିବା ବର୍ଷା ଏହି ଗ୍ରାମ ପାଇଁ ଅଭିଶାପ ପାଲଟିଛି । ବର୍ଷାଜଳ ନିଷ୍କାସନ ହୋଇ ପାରୁନଥିବାରୁ ବର୍ଷାଜଳ ଘେରରେ ଗ୍ରାମର ୪୦ ପରିବାର ରହିବାକୁ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହଁ ଏହି ବର୍ଷାଜଳ ପଚିଯାଇ ଏବେ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରିଛି । ଏହି ପଚା ବର୍ଷାଜଳ ଘର ଚାରିପଟେ ସହ ରୋଷାଇଘରେ ମଧ୍ୟ ଦେଖିବାକୁ ମିଳିଛି । କେତେକ ପରିବାର ବର୍ଷାଜଳ ଯୋଗୁଁ ରୋଷାଇ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ବର୍ଷାଜଳ ଦୂଷିତ ହୋଇଥିବାରୁ ଘରେ ଘରେ ଛୋଟ ଛୋଟ ଶିଶୁ ଓ ବିଦ୍ୟାର୍ଥୀ ମାନେ କାଛୁ ଓ କୁଣ୍ଡିଆ ଭଳି ଚର୍ମ ରୋଗରେ ପୀଡିତ ଥିବା ଦେଖିବାକୁ ମିଳିଛି । ଏପରିକି ଏହି ଗ୍ରାମର ଗୃହ ପାଳିତ ପଶୁ ମଧ୍ୟ ରୋଗରେ ଶିକାର ହୋଇଛନ୍ତି । ଏହି ଗ୍ରାମର ଦୁଃଖ ଏତିକିରେ ସରିନାହିଁ । ଗ୍ରାମକୁ ରାସ୍ତା ଖଣ୍ଡିଏ ନଥିବାରୁ ଗ୍ରାମବାସୀ ଚାଷଜମି ଦେଇ ଯିବା ଆସିବା କରିଥାନ୍ତି । ନିକଟରେ ବ୍ରାହ୍ମଣୀ ନଦୀବନ୍ଧ ଥିବାବେଳେ ନଦୀବନ୍ଧ ସହ ସଂଯୋଗ ରାସ୍ତା ନଥିବାରୁ ଗ୍ରାମବାସୀ ମନେ ନାଳ ଓ ନର୍ଦ୍ଦମାରେ ପଶି ଯିବା ଆସିବା କରିଥାନ୍ତି । ଗ୍ରାମରେ ରାସ୍ତା ନଥିବାରୁ ଜରୁରୀ ସମୟରେ ଦମକଳ ଗାଡି କିିମ୍ବା ଆମ୍ବୁଲାନ୍ସ ଏହି ଗ୍ରାମକୁ ଆସି ପାରେ ନାହିଁ । ଫଳରେ ଏହି ଗ୍ରାମବାସୀ ବିକାଶ ଠାରୁ ଢେର ଦୂରରେ ରହିଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହି ୱାର୍ଡର ୱାର୍ଡ ମେମ୍ବର ହରି ଜେନା କୁହନ୍ତି ଗ୍ରାମକୁ ରାସ୍ତା ବର୍ଷାଜଳ ନିଷ୍କାସନ ନିମନ୍ତେ ସେ ବହୁବାର ସରପଂଚ ଓ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନାହିଁ । ସେହିପରି ସରପଂଚ କିରଣବାଳା ଜେନା କୁହନ୍ତି ଯେ କୁଶବଟ ଗ୍ରାମରେ ବର୍ଷାଜଳ ନିଷ୍କାସନ ପାଇଁ ଜଳସମ୍ପଦ ବିଭାଗକୁ ନିବେଦନ କରାଯାଇଛି ହେଲେ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆ ଯାଇନାହିଁ ବୋଲି ସରପଂଚ ଶ୍ରୀମତୀ ଜେନା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି ଗ୍ରାମରେ ରାସ୍ତା ଓ ବର୍ଷା ଜଳନିଷ୍କାସନ ହେଉ ନଥିବାରୁ ଗ୍ରାମର ମଞୁଲତା ସ୍ୱାଇଁ , ବିନୋଦ ଜେନା, ସଂଯୁକ୍ତ ଦାସ, ସୈାମ୍ୟରଞନ ଜେନା, ଆଲୋକ ଜେନା, କୂଳମଣୀ ଜେନା, ଚୈତନ୍ୟ ଜେନା, ରାଜେନ୍ଦ୍ର ଜେନା, ପ୍ରତାପ ଜେନା ପ୍ରମୁଖ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଜିଲ୍ଲାପଳଙ୍କ ହସ୍ତକ୍ଷେପ ଲୋଡିଥିଲେ । ଗ୍ରାମର ପ୍ରତାପ ଜେନା କୁହନ୍ତି ବର୍ଷାଜଳ ଜମି ରହିଥିବାରୁ ଘରେ ଘରେ କାଛୁ କୁଣ୍ଡିଆ ଭଳି ଚର୍ମ ରୋଗ ବ୍ୟାପୁଛି । ପ୍ରଶାସନ ସମସ୍ତ କଥା ଜାଣିଥିଲେ ମଧ୍ୟ ଗ୍ରାମରେ ବ୍ଲିଚିଂ ପାଉଡର ବ୍ୟବସ୍ଥା ନାହିଁ କିମ୍ବା ଶିଶୁ ମାନଙ୍କର ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଶିଶୁ ମାନଙ୍କୁ ବ୍ୟୟ ବହୁଳ ଚିକିତ୍ସା କରାଯାଉଛି ହେଲେ ଭଲ ହେବାପରେ ଦୂଷିତ ପରିବେଶ ଯୋଗୁଁ ପୁଣିଥରେ ଶିଶୁ ମାନେ ଚର୍ମ ରୋଗର ଶୀକାର ହେଉଛନ୍ତି ବୋଲି ଗ୍ରାମର ପ୍ରତାପ ଜେନା ସୂଚନା ଦେଇଥିଲେ । ଅପରପକ୍ଷରେ ବିଡିଓ ଅଶୋକ ବେହୁରିଆ କୁହନ୍ତି ଏହି ଗ୍ରାମର ଦୁରବସ୍ଥା ସମ୍ପର୍କରେ ସେ ଅବଗତ ନାହାନ୍ତି । ତେବେ ସେ ନିଜଆଡୁ ତଦନ୍ତ କରି ଗ୍ରାମବାସୀଙ୍କ ପାଇଁ କିଛି ବ୍ୟବସ୍ଥା କରିବେ ବୋଲି ବିଡିଓ ଶ୍ରୀ ବେହୁରିଆ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର