Connect with us

ଓଡିଶା

ସେପ୍ଟେମ୍ବର ୪ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ସେପ୍ଟେମ୍ବର ୪ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ
ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ଖର୍ଚ୍ଚ ମଞ୍ଜୁରୀ ଦାବି
ଭୁବନେଶ୍ୱର,୮ା୮ : ଆସନ୍ତା ସେପ୍ଟେମ୍ବର ମାସ ୪ ତାରିଖ ଠାରୁ ପଂଚଦଶ ବିଧାନସଭାର ତ୍ରୟୋଦଶ ଅଧିବେଶନ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୦ ତାରିଖରେ ଶେଷ ହେବ । ଏହି ଅଧିବେଶନରେ ୧୧ ଟି କାର୍ଯ୍ୟ ଦିବସ ରହିଛି । ଦ୍ୱିତୀୟ ଶନିବାର , ରବିବାର , ଗଣେଶ ପୂଜା ଓ ନୂଆଖାଇ ପର୍ବ ପାଇଁ ବିଧାନସଭା ବନ୍ଦ ରହିବ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଥିବା କାର୍ଯ୍ୟସୂଚୀରୁ ଜଣାଯାଇଛି । ଅଧିବେଶନର ପ୍ରଥମ ଦିବସରେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ଶଶି ଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ଖର୍ଚ୍ଚ ଦାବି ଆଗତ କରିବେ । ସେହିପରି୧୭ ତାରିଖ ଦିନ ଏହି ଖର୍ଚ୍ଚ ଦାବି ସଂକ୍ରାନ୍ତୀୟ ବ୍ୟୟ ମଂଜୁରୀ ବିଲ୍ ଆଗତ ହେବ । ଅନ୍ୟପକ୍ଷରେ ୧୧ ଟି କାର୍ଯ୍ୟ ଦିବସ ମଧ୍ୟରେ ୨ଟି ବେସରକାରୀ କାର୍ଯ୍ୟ ଦିବସ (୭ ଓ ୨୦ ତାରିଖ) ରଖାଯାଇଛି । ସେପ୍ଟେମ୍ବର ୧୦ , ୧୧ ଓ ୧୨ରେ ୩ ଦିନ ଧରି ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୪ ତାରିଖରୁ ୬ ତାରିଖ ,୧୦ରୁ ୧୨ ତାରିଖ ଏବଂ ୧୮ ଓ ୧୯ ତାରିଖ ସରକାରୀ କାର୍ଯ୍ୟକ୍ରମ ଚାଲିବ । ଏହି ଦିନ ମାନଙ୍କରେ ପ୍ରଶ୍ନୋତର, ମୁଲତବୀ ପ୍ରସ୍ତାବ ଆଲୋଚନା ,ଦୃଷ୍ଟି ଆକର୍ଷଣକାରୀ ଆଲୋଚନା , ସ୍ୱତନ୍ତ୍ର ଉଲ୍ଲେଖ ଆଦି ଆଗତ ହେବ । ୭ ଓ ୨୦ ତାରିଖ ବେସରକାରୀ ଦିବସରେ ଗତ ବିଧାନସଭାରେ ଆଲୋଚନା ଅସମାପ୍ତ ରହିଥିବା ବିଭିନ୍ନ ପ୍ରସଙ୍ଗ ଜନିତ ସଂକଳ୍ପ ,ବେସରକାରୀ ବିଲ୍ , ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ବିଧାନସଭା ଅଧିବେଶନ ପାଇଁ ସମନ ଜାରୀ କରିବା ପରେ ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟକ୍ରମ ସମ୍ପର୍କିତ ବିଜ୍ଞପ୍ତି ଜାରୀ ହୋଇଛି । ଅନ୍ୟପକ୍ଷରେ ଇତିମଧ୍ୟରେ କେତେଜଣ ପୂର୍ବତନ ବିଧାୟକ ଇହଧାମ ତ୍ୟାଗ କରିଛନ୍ତି ତାର ଏକ ତାଲିକା ପଠାଇବା ପାଇଁ ବିଧାନସଭା ସଚିବାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ସେହିପରି କାର୍ଯ୍ୟରତ ସମୟରେ ସହୀଦ ହୋଇଥିବା ଯବାନ ଓ ପୋଲିସ୍ କର୍ମଚାରୀଙ୍କ ତାଲିକା ପଠାଇବା ପାଇଁ ସ୍ୱରାଷ୍ଟ୍ର ବିଭାଗକୁ ଚିଠି ଲେଖାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା