Connect with us

ରାଜନୀତି

୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବ ।

୧୫ରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବ ।
ଭୁବନେଶ୍ୱର,୮ା୮ : ଆସନ୍ତା ୧୫ ତରିଖରୁ ଆରମ୍ଭ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର ବଂଟନ କରିବେ । ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ମର୍ମରେ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖିନ୍ତି । ରାଜ୍ୟରେ ପଂଜୀକୃତ ୪୪,୦୮,୦୭୦ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆର.ଏସ.ବି.ୱାଇ) ଓ ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ରେ ଥିବା ୨୫,୬୧,୬୦୨ ମୋଟ ୬୯,୬୯,୬୭୨ ଜଣ ହିତାଧିକାରୀଙ୍କୁ ଏହି ପତ୍ର ଦିଆଯିବ । ବି ଏସ କେ ୱାଇ ହିତାଧିକାରୀମାନଙ୍କୁ ପତ୍ର ବଂଟନ ଲାଗି ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ । ଜିଲ୍ଲାପାଳ କମିଟିର ଅଧ୍ୟକ୍ଷ ରହିବେ ଓ ପୌରାଂଚଳର କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କମିଶନର ଏହାର ସଦସ୍ୟ ରହିବେ । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା କୃଷି ଉପନିର୍ଦ୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଡିଆରଡିଏ ପ୍ରକଳ୍ପ ଅଧିକାରୀ ଏହାର ସଦସ୍ୟ ରହିବେ । ଅନୁରୂପ ଭାବେ ବ୍ଲକ ସ୍ତରରେ ମଧ୍ୟ କମିଟି ଗଠନ କରାଯିବ । ବ୍ଲକ ସ୍ତରୀୟ କମିଟିରେ ବିଡ଼ିଓ ଏହାର ଅଧ୍ୟକ୍ଷ ରହିବେ । ତହସିଲଦାର, ଜିଲ୍ଲା କୃଷି ଅଧିକାରୀ, ଏବିଡ଼ିଓ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଓ ସିଡ଼ିପିଓ ଏହାର ସଦସ୍ୟ ରହିବେ । ଏହି କମିଟି ବି ଏସ କେ ୱାଇ ପତ୍ର ବଂଟନର ଅନୁଧ୍ୟାନ କରିବେ । ପ୍ରତିଦିନ ସଂଧ୍ୟା ୬ଟା ପୂର୍ବରୁ ବିଡ଼ିଓ ଏହି ରିପୋର୍ଟକୁ ଜିଲ୍ଲାପାଳଙ୍କୁ ପଠାଇବାପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି । ପ୍ରତିଦିନ କେତେ ପରିମାଣ ବିଏସକେୱାଇ ପତ୍ର ବଂଟନ କରାଗଲା କମିଟି ତାହାର ସମୀକ୍ଷା କରିବ । ବିଡ଼ିଓଙ୍କ ଠାରୁ ପ୍ରତିଦିନ ମିଳିବାକୁ ଥିବା ହିସାବକୁ ଜିଲ୍ଲାପାଳ ଇ-ମେଲ ଦ୍ୱାରା ରାଜ୍ୟସ୍ତରକୁ ପଠାଇବେ । ବି ଏସ କେ ୱାଇ ପତ୍ର ଗୁଡ଼ିକ ରାଜ୍ୟସ୍ତରରେ ଛପାଯିବ । ଜିଲ୍ଲାପାଳଙ୍କ ଦ୍ୱାରା ନିଯୁକ୍ତ ନୋଡ଼ାଲ ଅଫିସରଙ୍କୁ ରାଜ୍ୟସ୍ତରର ଅଧିକାରୀମାନେ ପତ୍ର ସହିତ ହିତାଧିକାରୀଙ୍କ ତାଲିକା ପ୍ରଦାନ କରିବେ । ନୋଡ଼ାଲ ଅଫିସରମାନେ ଏହାକୁ ବିଡ଼ିଓଙ୍କୁ ଦେବେ । ବିଡ଼ିଓ ଏହି ପତ୍ରକୁ ଗ୍ରାମ୍ୟ କୃଷି କର୍ମୀ, ଗ୍ରାମ ରୋଜଗାର ସାଥି, ଅଙ୍ଗନବାଡ଼ି କର୍ମୀ, ଆଶା, ରାଜସ୍ୱ ନିରୀକ୍ଷକ ଓ ଭିଏଲଡବ୍ଲୁ ମାନଙ୍କ ମାଧ୍ୟମରେ ବଂଟନ କରାଇବେ । ଗ୍ରାମ୍ୟସ୍ତରରେ ପତ୍ର ବଂଟନକୁ ସ୍ୱାସ୍ଥ୍ୟକର୍ମୀ, ଆଇସିଡିଏସ ସୁପରଭାଇଜର, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆରଆଇମାନେ ତଦାରଖ କରିବେ । କାର୍ଯ୍ୟନିର୍ବାହୀ ଅଧିକାରୀମାନେ ୱାର୍ଡ଼ ସ୍ତରରେ ଏହି ପତ୍ରକୁ ଟିକସ ସଂଗ୍ରହକାରୀ, ଆରଆଇ, ଅଙ୍ଗନବାଡ଼ି କର୍ମୀ ଓ ସହରାଂଚଳ ଆଶାକର୍ମୀ ମାନଙ୍କୁ ପ୍ରଦାନ କରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପତ୍ର ବଂଟନ ସଂକ୍ରାନ୍ତରେ ତଳ ସ୍ତରରୁ କିଭଳି ଜିଲ୍ଲାପାଳଙ୍କ ନିକଟକୁ ରିପୋର୍ଟ ଆସିବ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଫର୍ମାଟ ଜାରି ହୋଇଛି ।ଏହାକୁ ସମସ୍ତେ ଅନୁଧ୍ୟାନ କରିବାକୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ରାଜନୀତି