Connect with us

ଓଡିଶା

ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ସାଙ୍କେତିକ ଚିତ୍ର

ଷ୍ଟାଚ୍ୟୁ ଅଫ୍ ୟୁନିଟିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର,୧୫ା୧୦ : ସର୍ଦ୍ଦାର ବଳ୍ଳଭ ଭାଇ ପଟେଲଙ୍କ ଜନ୍ମ ଶତବାର୍ଷିକୀ ଏବଂ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୩୧ ତାରିଖ ଦିନ ଗୁଜୁରାଟଠାରେ ଜାତୀୟ ଏକତାର ପ୍ରତୀକ ସ୍ୱରୂପ ସର୍ଦ୍ଦାର ବଳ୍ଳଭ ଭାଇ ପଟେଲଙ୍କ ବିଶ୍ୱର ସବୋର୍ଚ୍ଚ ପ୍ରତିମୂର୍ତିର ଶୁଭ ଉଦଘାଟନ କରିବେ । ଗୁଜୁରାଟ ଶ୍ରମ ଓ ନିଯୁକ୍ତି, ବିପର୍ଯ୍ୟୟ ପରିଚାଳନା ଓ ତୀର୍ଥସ୍ଥାନ ବିକାଶ ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ କୁମାର ଠାକୋର , ବିଧାୟକ ଦଣ୍ଡକ ଭରତସିନ୍ ଦାଭି , ଚିଫ୍ କନଜରଭେଟର ଆରାଧନା ସାହୁ, ଏବଂ ରାଜକୋଟ ମହାନଗର ନିଗମ ଆୟୁକ୍ତ ତଥା ଏକତା ଯାତ୍ରାର ଆବାହକ ବାଂଛାନିଧି ପାଣି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ପ୍ରଦାନ କରିଛନ୍ତି ।

ସେମାନେ କହିଛନ୍ତି ଯେ ୨୦୧୩ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୋଦି ଏହି ପ୍ରକଳ୍ପର ଘୋଷଣା କରିଥିଲେ । ୨୯.୯ ନିୟୁତ ଟଙ୍କା ତଥା ୪୩୦ ମିଲିୟନ ଆମେରିକୀୟ ଡଲାର ବ୍ୟୟରେ ସର୍ଦ୍ଦାର ସରୋବର ଡ୍ୟାମ୍ ସନ୍ନିକଟରେ ନିର୍ମିତ ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ କରାଯାଇଛି । ଏହି ପ୍ରତିମୂର୍ତିରେ ବ୍ୟବହୃତ ହୋଇଥିବା ଲୈାହଖଣ୍ଡ ଗୁଡିକ ଲୋହା ନାମକ ଏକ ଅଭିଯାନ ମାଧ୍ୟମରେ ସାରା ଭାରତବର୍ଷରୁ ସଂଗ୍ରହ କରାଯାଇଥିଲା । ଏହି ପ୍ରତିମୂର୍ତିର କାର୍ଯ୍ୟ ସମାପ୍ତି ପରେ ପ୍ରତିବର୍ଷ ପ୍ରାୟ ୧୫,୦୦୦ ଜନଜାତିଙ୍କ ନିମନ୍ତେ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦେଶର ଏକତା ଏବଂ ଅଖଣ୍ଡତାର ପ୍ରତୀକ ସ୍ୱରୂପ ଏହାର ନାମକରଣ ଏପରି କରାଯାଇଛି । ୧୮୨ ମିଟର (୬୦୦ ଫୁଟ୍) ଉଚ୍ଚ ବିଶିଷ୍ଟ ଏହି ପ୍ରତିମୂର୍ତି ନ୍ୟୁୟର୍କଠାରେ ଅବସ୍ଥିତ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ର ଆକାର ଠାରୁ ଦୁଇଗୁଣା ଅଧିକ । ରାଜ୍ୟର ମୁଖ୍ୟ ସହର ଅହମଦାବାଦ ଠାରୁ ଏହି ପ୍ରତିମୂର୍ତି ପାଖାପାଖି ୨୦୦ କିଲୋମିଟର (୧୨୫ ମାଇଲ୍) ଦୂରରେ ଅବସ୍ଥିତ । ପ୍ରାୟ ୨,୫୦୦ କୁଶଳୀ କାରିଗରମାନେ ନିରନ୍ତର ପରିଶ୍ରମ କରି ୫୦୦୦ ବର୍ଗଫୁଟ୍ ବ୍ରୋଞ୍ଜକୁ ବ୍ୟବହାର କରି ଏହି ପ୍ରତିମୂର୍ତିକୁ ନିର୍ମାଣ କରୁଛନ୍ତି । ଏଠାକୁ ଯିବା ନିମନ୍ତେ ୩.୫ କିଲୋମିଟର ବିଶିଷ୍ଟ ରାଜପଥ ନିର୍ମାଣ କରାଯିବ ଯାହା ଗୁଜୁରାଟର ସାଧୁ ଦ୍ୱୀପକୁ କେଭାଡିଆ ସହର ସହିତ ସଂଯୋଗ କରିବ ।

ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟିର ୧୫୩ ମିଟର ଉଚ୍ଚରେ ଏକ ଗ୍ୟାଲେରୀ ରହିବ ଯେଉଁଠାରେ ୨୦୦ ପର୍ଯ୍ୟଟକ ଏକତ୍ରିତ ହୋଇ ବନ୍ଧ ଏବଂ ଏହାର ଆଖପାଖ ମନୋଲୋଭା ପରିବେଶର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଆହୁରି ମଧ୍ୟ ଏହି ପ୍ରତିମୂର୍ତି ପବନର ଗତିକୁ ୬୦ ମିଟର/ସେକେଣ୍ଡ ରେ ସୀମିତ କରିବା ସହିତ କମ୍ପନ ଏବଂ ଭୂକମ୍ପକୁ ପ୍ରତିହତ କରିପାରିବ । ଏହି ଉଚ୍ଚ ପ୍ରତିମୂର୍ତିର ନିର୍ମାଣ ନିମନ୍ତେ ୨୨,୫୦୦ ମିଲିୟନ ଟନ୍ ସିମେଂଟ ବ୍ୟବହୃତ ହୋଇଛି । ଏହି ପ୍ରତିମୂର୍ତିର ନିର୍ମାଣ ୪୨ ମାସ ମଧ୍ୟରେ ସମାପ୍ତ ହୋଇଛି । ଏହି ପରିକଳ୍ପନା ମଧ୍ୟରେ ଏକ ଅଦିତ୍ୱୀୟ ସଂଗ୍ରହାଳୟ ଏବଂ ଶବ୍ଦ-ଦୃଶ୍ୟ ବିଭାଗ ରହିବ ଯେଉଁଠାରେ ସର୍ଦ୍ଦାର ବଳ୍ଳଭ ଭାଇ ପଟେଲଙ୍କ ଜୀବନ କାହାଣୀ ଓ ସମୟ ପ୍ରଦର୍ଶିତ ହେବ । ଯାନବାହନ ସମସ୍ୟା ଏବଂ ପ୍ରଦୂଷଣକୁ ପ୍ରତିହତ କରିବା ନିମନ୍ତେ ପ୍ରତିମୂର୍ତି ଏବଂ ଏହାର ପାଶ୍ୱର୍ବର୍ତୀ ଅଂଚଳଗୁଡିକୁ ଏକ ସ୍ୱତନ୍ତ୍ର ଡଙ୍ଗା ମାଧ୍ୟମରେ ଯାଇ ହେବ ।

ସର୍ଦ୍ଦାର ବଳ୍ଳଭ ଭାଇ ପଟେଲଙ୍କ ପ୍ରତିମୂର୍ତି ଶୁଭ ଉଦ୍ଘାଟନ ଅବସରରେ ଗୁଜୁରାଟର ୧୦,୦୦୦ ଗ୍ରାମରେ ଅକ୍ଟୋବର ଏବଂ ନଭେମ୍ବର ମାସରେ ଏକତା ଯାତ୍ରା ଆୟୋଜିତ ହେବ । ଶ୍ରୀ ପଟେଲଙ୍କ ଜୀବନୀକୁ ମଧ୍ୟ ଏହି ଯାତ୍ରାରେ ସାମିଲ କରାଯିବ । ଏହି ଯାତ୍ରା ସମୟରେ ସାଧାରଣ ଜନତାମାନଙ୍କୁ ଶ୍ରୀ ପଟେଲଙ୍କ ଜୀବନୀ ଓ ଏକତା ପ୍ରତିମୂର୍ତି ସମ୍ପର୍କିତ ଛବି ପ୍ରଦର୍ଶନ କରାଯିବ । ଏହି ପ୍ରତିମୂର୍ତି ଦେଶର ସମସ୍ତ ଜନସାଧାରଣଙ୍କ ମଧ୍ୟରେ ଏକତା ଓ ଅଖଣ୍ଡତାର ଭାବ ଉଦ୍ରେକ କରିବ ।

ଏହି ପରିପ୍ରେକ୍ଷୀରେ ଗୁଜୁରାଟ ସରକାରଙ୍କର ସାଂସଦ ଏବଂ ବିଧାୟକଙ୍କର ଏକ ଦଳ ଚଳିତ ମାସ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଗସ୍ତରେ ଆସି ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବା ସହ ଜନସାଧାରଣମାନଙ୍କର ସହଯୋଗ ନିମନ୍ତେ ସଚେତନତା ସୃଷ୍ଟି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା