Connect with us

ଓଡିଶା

ବିଶ୍ୱହିନ୍ଦୁ ପରିଷଦ ମୋଦି ସରକାରକୁ ଧମକ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲା

ସାଙ୍କେତିକ ଚିତ୍ର

ବିଶ୍ୱହିନ୍ଦୁ ପରିଷଦ ମୋଦି ସରକାରକୁ ଧମକ ଦେଇ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲା
ଭୁବନେଶ୍ୱର :- ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମସ୍ଥାନରେ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ପଚାଶ ହଜାରରୁ ଊର୍ଦ୍ଧ୍ୱ ରାମ ଭକ୍ତ ରବିବାର ଭୁବନେଶ୍ୱର ସ୍ଥିତ ଲୋଏର ପିଏମ୍‌ଜି ଠାରେ ସଂକଳ୍ପ ନେଇଛନ୍ତି । ବିଶ୍ୱହିନ୍ଦୁ ପରିଷଦ ତରଫରୁ ଭୁବନେଶ୍ୱରର ଅନୁଷ୍ଠିତ ଏହି ସଂକଳ୍ପ ସମାବେଶରେ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ସଂସଦରେ ଆଇନ୍‌ ଆଣିବା ହିଁ ଏକମାତ୍ର ପନ୍ଥା ବୋଲି ସମାବେଶରେ ଉପସ୍ଥିତ ସାଧୁସନ୍ଥ ତଥା ବକ୍ତାମାନେ ପ୍ରକାଶ କରିଥିଲେ ।  ବିଶ୍ୱହିନ୍ଦୁ ପରିଷଦ, ଓଡିଶା ରାଜ୍ୟ ପୂର୍ବ ପ୍ରାନ୍ତର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ.ନଗେନ କୁମାର ଦେବତାଙ୍କ ଅଧ୍ୟକ୍ଷତା ଓ ପୁରୀ ଜିଲ୍ଲା ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟଙ୍କ ସଂଯୋଜନାରେ ଏହି ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ବିଶ୍ୱହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟ ତଥା ଗୋସେବା ଆୟୋଗର ଅଧ୍ୟକ୍ଷ ମହାମଣ୍ଡଳେଶ୍ୱର ପରମ ପୂଜ୍ୟ ସ୍ବାମୀ ଅଖିଳେଶ୍ୱରାନନ୍ଦ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆର୍ଶୀବଚନ ପ୍ରଦାନ କରି କହିଲେ ଯେ, ଜନ ସାଧାରଣଙ୍କୁ ସୁରକ୍ଷା ଦେବା ନିର୍ବାଚିତ ସରକାରଙ୍କର କର୍ତବ୍ୟ । କିନ୍ତୁ ହଜାର ହଜାର ହିନ୍ଦୁଙ୍କ ଭାବାବେଗକୁ ଯେପରି ପଦାଘାତ କରାଯାଇଛି ତତ୍‌ ସହିତ ନ୍ୟାୟାଳୟ ପାଖରୁ ଉଚିତ୍‌ ନ୍ୟାୟ ନପାଇବା ସରକାରଙ୍କର ଉଦାସୀନତାକୁ ସୂଚାଉଛି । ତେଣୁ ଜନ ସଚେତନତା ମାଧ୍ୟମରେ କେନ୍ଦ୍ର ସରକାର ବିହିତ ପଦକ୍ଷେପ ନେଇ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ସହଯୋଗ କରନ୍ତୁ । କେନ୍ଦ୍ରର ମୋଦି ସରକାର ଦୀର୍ଘଦିନ ହେଲା ହିନ୍ଦୁ ସମାଜର ଏହି ଦାବିକୁ ଉପେକ୍ଷା କରି ଆସିଥିଲେ ମଧ୍ୟ ବର୍ତ୍ତମାନ ପ୍ରକୃଷ୍ଟ ସମୟ ଆସିଛି ଜନମତକୁ ସମ୍ମାନ ଦେବାର । ଯଦି ଜନ ଗଣଙ୍କର ମତକୁ ଠିକ୍‌ ଭାବରେ ପରିଚାଳିତ କରା ନ ଯାଏ ଓ ରାମଲାଲାଙ୍କର ଭବ୍ୟ ମନ୍ଦିର ନିର୍ମାଣ ନ ହୁଏ ତେବେ ଆଗାମୀ ଦିନରେ ସରକାର ଜନ ଆକ୍ରୋଶର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସେ କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କ୍ରିୟାଯୋଗ ଆଶ୍ରମ ଭୁବନେଶ୍ୱର ର ସ୍ବାମୀ ଶଙ୍କରାନନ୍ଦ ଗିରି, ପରିଷଦର ପ୍ରାନ୍ତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଭାରତୀୟ କିଶାନ ସଂଘର ରାଷ୍ଟ୍ରୀୟ ସମ୍ପାଦକ ମୋହିନୀ ମୋହନ ମିଶ୍ର, ପରିଷଦର ପ୍ରାନ୍ତ ଉପାଧ୍ୟକ୍ଷା ଟାଇଫନ ଦାଶ, ଆରଏସ୍‌ଏସ୍‌ ମହାନଗର ସଂଘଚାଳକ ଡ.ବସନ୍ତ ପତି, ଆରଏସ୍‌ଏସ୍‌ ଓଡ଼ିଶା ପୂର୍ବପ୍ରାନ୍ତ ସହପ୍ରାନ୍ତ ପ୍ରଚାର ପ୍ରମୁଖ ଶାରଦା ପ୍ରସାଦ ଶତପଥୀ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ଓଡ଼ିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଅଜିତ୍‌ ପଟ୍ଟନାୟକ, ଭାରତ ସ୍ବାଭିମାନ ଟ୍ରଷ୍ଟ ପତଞ୍ଜଳିର ସୁଧାଂଶୁ ଅଧିକାରୀ, ତେରାପନ୍ଥ ଜୈନ ସମାଜ ଅଖିଳ ଭାରତୀୟ ସମିତି ସଦସ୍ୟ ପ୍ରକାଶ ବେତାଲା ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା