Connect with us

ଓଡିଶା

ବିଧାନପରିଷଦକୁ କ୍ୟାବିନେଟ୍ ମଞ୍ଜୁରୀ

ବିଧାନପରିଷଦକୁ କ୍ୟାବିନେଟ୍ ମଞ୍ଜୁରୀ

ବିଧାନପରିଷଦକୁ କ୍ୟାବିନେଟ୍ ମଞ୍ଜୁରୀ
ଭୁବନେଶ୍ୱର,୨୪ା୮ : ଓଡ଼ିଶାରେ ପ୍ରସ୍ତାବିତ ବିଧାନ ପରିଷଦକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବିଧାନ ପରିଷଦ ଗଠନ ପ୍ରସ୍ତାବ ସହିତ ଆଠଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କ୍ୟାବିନେଟ୍ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରାଯିବ । ଏହାଉପରେ ବ୍ୟାପକ ଆଲୋଚନା ଓ ବିଚାରବିମର୍ଷ ପରେ ଚିଠା ପ୍ରସ୍ତାବ ଆଗତ କରାଯାଇ ଆଇନରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ।

ପ୍ରାଥମିକ ସୂଚନା ଅନୁଯାୟୀ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦରେ ୪୯ଜଣ ସଦସ୍ୟ ରହିବେ । ସଦସ୍ୟମାନେ ବିଧାନସଭା ସଦସ୍ୟ ବା ବିଧାୟକଙ୍କ ସହିତ ସମାନ ହାରରେ ଦରମା ଓ ଅନ୍ୟାନ୍ୟ ଭତ୍ତା ପାଇବେ । ବିଧାନ ପରିଷଦ ଗଠନ ଦରମା ଓ ଭତ୍ତା ଏବଂ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ରାଜ୍ୟ ସରକାର ବାର୍ଷିକ ଅତିରିକ୍ତ ୩୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଓଡ଼ିଶା ବିଧାନ ପରିଷଧ ଗଠନ ପାଇଁ ୨୦୧୫ରେ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ । ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ବିହାର, ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟକୁ ଯାଇ ସେଠାକାର ବ୍ୟବସ୍ଥାବଳୀ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି କମିଟିରେ ପ୍ରମିଳା ମଲ୍ଲିକ, ମନୋହର ରନ୍ଧାରୀ, ବିରୋଧୀ ଦଳର ଭୁଜବଳ ମାଝୀ, ନିତେଶ ଗଙ୍ଗଦେବ ସଦସ୍ୟ ଥିଲେ । ଉକ୍ତ ରିପୋର୍ଟ ଆଧାରରେ ଓଡ଼ିଶା ବିଧାନ ପରିଷଦ ଗଠନ ପାଇଁ ଗତ ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । କ୍ୟାବିନେଟ୍ ମଞ୍ଜୁରୀ ମିଳିଥିବା ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ଭ୍ୟାଟ୍ ବଦଳରେ ଜିଏସ୍ଟି ଲାଗୁ ପାଇଁ ଓଡ଼ିଶା ରୁଲ୍ସ ଅଫ୍ ବିଜିନ୍ସେରେ ସଂଶୋଧନ, ୩୧ଟି ଅବକାରୀ ଅଧିକ୍ଷକ ପଦ ପୂରଣ ପାଇଁ ଓଡ଼ିଶା ଅବକାରୀ ସେବା ନିୟମ ୨୦୦୨ର ପୁନଃସଂଶୋଧନ, ଓଡ଼ିଶା-ବିହାର ତୀର୍ଥସ୍ଥଳ ଆଇନ ୧୯୨୦ର ଉଚ୍ଛେଦ, କଳିଙ୍ଗ ସାଥୀ ଋଣର ସରଳୀକରଣ, ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ୧୯୫୧ର ସଂଶୋଧନ ଆଦି ରହିଥିବା ଜଣାପଡିଛି ।

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ଯେ, ବିଧାନ ପରିଷଦ ଗଠନ ହେଲେ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ । ପୁରୁଣା ବିଧାନସଭାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହଲରେ କାର୍ଯ୍ୟକ୍ରମ କରାଯିବ । ତେବେ ବିଧାନ ପରିଷଦ ଗଠନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିରୋଧୀ କଂଗ୍ରେସ ଓ ବିଜେପି । ବିଜେପି ଦଳର ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ରାଜ୍ୟ ରାଜକୋଷର ଅବସ୍ଥା ଭଲ ନାହିଁ । ରାଜ୍ୟର ଋଣଭାର ୯୦ ହଜାର କୋଟି ଛୁଇଁଲାଣି । ଏଭଳି ସ୍ଥିତିରେ ବିଧାନ ପରିଷଦ ଗଠନ ଅପ୍ରାସଙ୍ଗିକ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେହପରି ଦଳୀୟ ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର ଆଗୁଆ ନିର୍ବାଚନ ପାଇଁ ସରକାର ବିଧାନ ପରିଷଦ ଗଠନକୁ ସ୍ୱୀକୃତି ଦେଇଛନ୍ତି ବୋଲି କହିଛନ୍ତି ।

ଅପରପକ୍ଷରେ ଏହି ପ୍ରସଙ୍ଗରେ କଂଗ୍ରେସ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହା କେବଳ ଶାସକ ଦଳର ଥଇଥାନ କେନ୍ଦ୍ର ହୋଇପାରେ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଯେ କୌଣସି ପ୍ରସ୍ତାବ ବିଜେଡି ପାରିତ କରିପାରିବ । କଂଗ୍ରେସ ପ୍ରଥମରୁ ଏହାକୁ ବିରୋଧ କରିଥିବା ସେ ଗଣମାଧ୍ୟମକୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା