Connect with us

ଓଡିଶା

ବିଜେପି ରାଜ୍ୟକାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ

ସାଙ୍କେତିକ ଚିତ୍ର

ବିଜେପି ରାଜ୍ୟକାର୍ଯ୍ୟକାରିଣୀରେ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ
“ସବୁଥିରେ ବିଫଳ ନବୀନ ବାବୁ’
ଭୁବନେଶ୍ୱର : ନବୀନ ବାବୁ କେବଳ ଓଡିଶାର ବିକାଶରେ ବିଫଳ ନୁହନ୍ତି ବରଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ, ମହିଳାମାନଙ୍କ ବିକାଶ ପ୍ରସଙ୍ଗରେ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ରୀୟ ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି । ଆଜି ଏଠାରେ ରାଜ୍ୟ ବିିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ସ୍ମୃତି ଇରାନୀ କହିଛନ୍ତି କି ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି ଯେ ୬୦ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ମହିଳାଙ୍କ ବିକାଶର ସ୍ଥିତି କିପରି ଅଛି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି । ସେହିପରି ପୁରା ଦେଶରେ ଷ୍ଟଂଟିଙ୍ଗ (ବୟସ ଅନୁସାରେ ଶାରିରିକ ଓ ମାନସିକ ବିକାଶ ନହେବା) ମାମଲାରେ ବି ଓଡିଶା ଦେଶରେ ଏକ ନମ୍ବର, ସବୁଠାରୁ ଖରାପ ସ୍ଥିତିରେ ବୋଲି ସେ କହିଛନ୍ତି ।

ଶ୍ରୀମତୀ ଇରାନୀ କହିଛନ୍ତି କି ଓଡିଶାରେ ପ୍ରତିଦିନ କେଉଁଠି ନା କେଉଁଠି ଚିକିସ୍ତ୍ରା ଅଭାବରେ ମୃତ୍ୟୁ ହେଉଥିବାର ଖବର ମିଳୁଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ବାବୁ କାହିଁକି ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କଲେନାହିଁ ତାହା ଚିନ୍ତାର ବିଷୟ । ନବୀନ ବାବୁ ଜାଣିଶୁଣି ଗରିବ ପରିବାରଙ୍କୁ ଏହି ଯୋଜନାର ଲାଭରୁ ବଂଚିତ କଲେ କାରଣ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏହାକୁ ଏକ ଗରୀବ କଲ୍ୟାଣ ଯୋଜନା ଭାବେ ନଦେଖି ଭୋଟ ହରାଇବାର ଭୟ ନଜରରେ ଦେଖୁଛନ୍ତି । ଓଟିଏମ କାରଖାନା ବନ୍ଦ ପଡିଥିବା କଥା ଉଠାଇ ମନ୍ତ୍ରୀ ଶ୍ରୀମତି ଇରାନୀ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତିି କି ଏହି କାରଖାନା ପୁନଃଚାଲୁହେବା ପାଇଁ ନବୀନ ବାବୁ ଉଦ୍ୟମ କରୁନାହାନ୍ତି । ରାଜ୍ୟ ସରକାର ଉଦ୍ୟମ କଲେ କେନ୍ଦ୍ର ସରକାର ସହଯୋଗର ହାତ ବଢାଇବେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏ ପ୍ରସଙ୍ଗରେ ନୀରବ କାହିଁକି ବୋଲି ଶ୍ରୀମତୀ ଇରାନୀ ପ୍ରଶ୍ନ ଉଠାଇଛନ୍ତି । ପେଟ୍ରୋଲ ଡିଜେଲ ଉପରେ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କା ୫୦ ପଇସା କମ କରିଛନ୍ତି । ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ଲିଟର ପିଛା ଆଉ ୨ ଟଙ୍କା ୫୦ ପଇସା କମ୍ କରି ମୋଟ ୫ ଟଙ୍କାର ରିହାତି ଲୋକମାନଙ୍କୁ ଦେଉଛନ୍ତି । ହେଲେ ଓଡିଶା ସରକାର ଦାମ କମାଇବା ପାଇଁ ରାଜି ହେଉନାହାନ୍ତି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି ।

ଶ୍ରୀମତୀ ଇରାନି କହିଛନ୍ତି କି ନବୀନ ବାବୁ ନା ଓଡିଶାର ଲୋକଙ୍କୁ ଆୟୁଷ୍ମାନ ଭାରତର ଲାଭ ପହଂଚାଇଲେ ନା ପେଟ୍ରୋଲ ଡିଜେଲରେ ଲିଟର ପିଛା ମିଳିବାକୁ ଥିବା ୫ଟଙ୍କା କମର ଲାଭ ପହଂଚାଇଲେ । ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା