Connect with us

ଆଞ୍ଚଳିକ

ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉଠିଲା ଧାମନଗର ପ୍ରସଙ୍ଗ : ପରାଜୟର ସମୀକ୍ଷା କରିବାକୁ ଦାବୀକଲେ ସଦସ୍ୟ

ସାଙ୍କେତିକ

ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉଠିଲା ଧାମନଗର ପ୍ରସଙ୍ଗ : ପରାଜୟର ସମୀକ୍ଷା କରିବାକୁ ଦାବୀକଲେ ସଦସ୍ୟ
ଭଦ୍ରକ, ୯ ସେପ୍ଟେମ୍ବର – ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଉଠିଲା ଧାମନଗର ପ୍ରସଙ୍ଗ । ନିର୍ବାଚନରେ ଦଳିୟ ପରାଜୟର ସମୀକ୍ଷା କରିବାକୁ ବୈଠକରେ ଦାବୀ କଲେ ସଦସ୍ୟ । ହେଲେ ପୁର୍ବ ବୈଠକ ଭଳି ଅତ୍ୟନ୍ତ ଚତୁରତାର ସହିତ ପ୍ରସଙ୍ଗ ଏଡେଇ ଗଲେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଫଳରେ ପୁଣି ରହସ୍ୟମୟ ହୋଇ ରହିଗଲା ଧାମନଗର ନିର୍ବାଚନ ମଣ୍ଡଳୀରେ ଦଳିୟ ପରାଜୟ ପ୍ରସଙ୍ଗ । ରବିବାରଦିନ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଚାଲିଥିବା ବେଳେ ପୂର୍ବତନ ବିଧାୟକ ତଥା ଜିଲ୍ଲା କାର୍ଯ୍ୟକାରିଣୀ ର ବରିଷ୍ଟ ସଦସ୍ୟ ବିଜୟ ନାୟକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ ।

ସେ କହିଥିଲେ ଯେ ଧାମନଗରେ ଦଳିୟ ପରାଜୟକୁ ନେଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ଦଳିୟ ପରାଜୟପାଇଁ ଦଳିୟ ନେତାମାନେ ପରସ୍ପରଙ୍କ ଉପରେ ଦୋଷ ଲଦୁଛନ୍ତି । ତେଣୁ ଧାମନଗର ପରାଜୟ ପାଇଁ ଦଳ ପକ୍ଷରୁ ବିଧିବଦ୍ଧ ସମୀକ୍ଷା ହେବା ଦରକାର । ବିଜୟଙ୍କ କଥାକୁ ସମର୍ଥନ କରି ଦଳର ପରାଜିତ ପ୍ରାର୍ଥୀ ରାଜେନ୍ଦ୍ର ଦାସ କାହାରି ନାଁ ନନେଇ କହିଥିଲେ ଯେ ନିର୍ବାଚନରେ ତାଙ୍କ ପଛରୁ ଛୁରିକାଘାତ କରାଯାଇଥିଲା ଯେଉଁଥିପାଇଁ ଅଳ୍ପ ଭୋଟ ବ୍ୟବଧାନରେ ହେଲେ ମଧ୍ୟ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ତେଣୁ ଦଳ ମଧ୍ୟରେ ତାଙ୍କ ବିରୁଦ୍ଧରେ କିଏ ଛୁରିକାଘାତ କରିଥିଲା ତାହାର ଖୁଲାସା ହେବା ଦରକାର । ସେହିଭଳି ଏହି ପ୍ରସଙ୍ଗରେ ଦଳର ବରିଷ୍ଟ ନେତା ପ୍ରଫୁଲ୍ଲ ସାମଲ କହିଥିଲେ ଯେ ନିର୍ବାଚନ ପରାଜୟ ପରେ ଧାମନଗର ନିର୍ବାଚନ ମଣ୍ଡଳୀରେ ଦଳ ଅତ୍ୟନ୍ତ ଦୁର୍ବଳ ସାବ୍ୟସ୍ତ ହୋଇଛି । ନିର୍ବାଚନରେ ଦଳର ସବୁ ନେତା ମିଳିମିଶି କାମ କରିଥିଲେ ଏହି ବିପର୍ଯ୍ୟୟ ଘଟିନଥାନ୍ତା । ଦଳର ଏହି ପରାଜୟର ସମୀକ୍ଷା ହେବା ଦରକାର । କେବଳ ଧାମନଗର ନିର୍ବାଚନ ମଣ୍ଡଳୀ ନୁହେଁ ଭଦ୍ରକ ଜିଲ୍ଳାରେ ଦଳ ବିଜୟୀ ହୋଇଥିବା ସବୁ ନିର୍ବାଚନ ମଣ୍ଡଳୀରେ ପୃଥକ ପୃଥକ ସମୀକ୍ଷା ହେବା ଦରକାର ବୋଲି ସେ ମତ ଦେଇଥିଲେ ।

ସେହିଭଳି ଏହି ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କହିଥିଲେ ଯେ ସେ ଧାମନଗରରେ ବିଧାୟକ ଥିବା ବେଳେ ଧାମନଗର ବିକାସରେ ସର୍ବାଧିକ ଅର୍ଥ ବିନିଯୋଗ ହୋଇଛି । ସାଙ୍ଗଠନିକ ଦୃଷ୍ଟିକୋଣରୁ ଧାମନଗରରେ ବିଜେଡିର ସ୍ଥିତି ବେଶ ଉତ୍ସାହଜନକ ରହି ଆସିଛି । ହେଲେ ଏହା ସତ୍ୱେ ଏଠାରେ ଦଳିୟ ପରାଜୟ ସମସ୍ତଙ୍କୁ ଚକିତ କରିଛି । ନିର୍ବାଚନ ପରାଜୟ ପରେ ଏଥିନେଇ ଦଳ ମଧ୍ୟରେ ଯେଉଁ ଅବିଶ୍ୱାସର ବାତାବରଣ ଦେଖାଦେଇଛି ତାହାର ସମାଧାନ ହେବା ନିହାତି ଜରୁରୀ ଏଥିପାଇଁ ଦଳ ତରଫରୁ ଯେକୈାଣସି ଧରଣର ସମୀକ୍ଷା କୁ ସେ ସ୍ୱାଗତ କରିବେ ବୋଲି କହିଥିଲେ । ତେବେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଦଳର ଅନ୍ୟାନ୍ୟ ସାଙ୍ଗଠନିକ ପ୍ରସଙ୍ଗ ଭିନ୍ନ ଧାମନଗର ପ୍ରସଙ୍ଗ ନେଇ ଦଳର ପ୍ରମୁଖ ନେତା ମାନେ ଜୋରଦାର ଆଲୋଚନା କରିଥିଲେ ମଧ୍ୟ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ରଣେନ୍ଦ୍ର କିନ୍ତୁ ନିଜ ଅବିଭାଷଣରେ ଏହି ପ୍ରସଙ୍ଗ ଉପରେ କୈାଣସି ଟିପ୍ପଣୀ କରିନଥିଲେ କିମ୍ଭା ଦଳିୟ ପରାଜୟ ନେଇ ସମୀକ୍ଷା କରାଯିବ ବୋଲି ମଧ୍ୟ କୈାଣସି ପ୍ରତିଶୃତି ଦେଇନଥିଲେ । ପରନ୍ତୁ ଜିଲ୍ଲା ପର୍ଯ୍ୟବେକ୍ଷକ ଏହି ବୈଠକକୁ କାହିଁକି ଦଳର ବରିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏବଂ ଯୁଗଳ ପଟ୍ଟନାୟକଙ୍କୁ ଡକାଯାଇନାହିଁ ବୋଲି ଜିଲ୍ଲା ସଭାପତିଙ୍କୁ ପ୍ରଶ୍ନ କରିଥିଲେ । ଏଥିସହ ନିର୍ବାଚନ ପୂର୍ବରୁ ଯେଉଁ ୱାର୍ଡ କମିଟିମାନ ଗଠନ କରାଯିବାକୁ ଦଳିୟ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା ତାହାର ଅଗ୍ରଗତି ସଂର୍ପକରେ ପଚାରି ବୁଝିଥିଲେ । ଏହା ଛଡା ଜିଲ୍ଲାରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ କିଭଳି ତ୍ୱରାନ୍ନିତ ହେବ ସେଥିନେଇ କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।

ଜିଲ୍ଲା ପାର୍ଟି ଅଫିସ ପରିବର୍ତେ ଏହି ବୈଠକ ଭଦ୍ରକ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ପୋ÷ର କଲ୍ୟାଣ ମଣ୍ଡପରେ ଅନୁଷ୍ଟିତ ହୋଇଥିଲା । ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଅନ୍ୟାନ୍ୟଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ,ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ,ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକଙ୍କ ସମେତ ଦଳିୟ କାର୍ଯ୍ୟକର୍ତା ମାନେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଏକ ଶୋଭାଯାତ୍ରରେ ବୈଠକ ସ୍ତଳକୁ ପାଛୋଟି ଅଣାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ