Connect with us

ଦେଶ

ପାଟନା ପୋଲିସ ଲାଇନ ହିଂସାକାଣ୍ଡ ଘଟଣାରେ୧୭୫ ନବନିଯୁକ୍ତ କନେଷ୍ଟବଳ ବହିଷ୍କୃତ

ସାଙ୍କେତିକ ଚିତ୍ର

ପାଟନା ପୋଲିସ ଲାଇନ ହିଂସାକାଣ୍ଡ ଘଟଣା
୧୭୫ ନବନିଯୁକ୍ତ କନେଷ୍ଟବଳ ବହିଷ୍କୃତ
ପାଟନା,୫ା୧୧ : ପାଟନା ପୋଲିସ ଲାଇନରେ ତାଲିମ ନେଉଥିବା ଜଣେ ମହିଳା କନେଷ୍ଟବଳଙ୍କ ମୃତ୍ୟୁକୁ ନେଇ ହିଂସାକାଣ୍ଡ ଭିଆଇବା ମାମଲାରେ ବିହାର ସରକାର ୧୭୫ଜଣ ପୋଲିସ କନେଷ୍ଟବଳଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ସେମାନଙ୍କ ମଧ୍ୟରେ ୭୭ଜଣ ନବନିଯୁକ୍ତ ମହିଳା ପୋଲିସ କନେଷ୍ଟବଳ ଅଛନ୍ତି । ଏହାବାଦ ବିଭାଗର ୨୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ୮ ପୋଲିସ କର୍ମୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ନବନିଯୁକ୍ତ କନେଷ୍ଟବଳ ତାଲିମ ନେଉଥିଲେ ।

ଚାକିରିରୁ ବହିଷ୍କୃତ କନେଷ୍ଟବଳଙ୍କ ବିରୋଧରେ ବିଶୃଙ୍ଖଳା, ହିଂସାକାଣ୍ଡ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଆକ୍ରମଣ, ସରକାରୀ ସମ୍ପତ୍ତି ନଷ୍ଟ ଆଦି ଅଭିଯୋଗ ରହିଛି । ଏହି ମାମଲାରେ ସେମାନଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଅପରପକ୍ଷରେ କାର୍ଯ୍ୟାନୁଷ୍ଠାନ ବିରୋଧରେ ସେମାନେ କୋର୍ଟକୁ ଯିବେ ବୋଲି ବହିଷ୍କୃତ କନେଷ୍ଟବଳମାନେ କହିଛନ୍ତି । ସୂଚନାଥାଉ କି, ସେଠାରେ ତାଲିମ ନେଉଥିବା ସବିତା ନାମକ ଜଣେ ନବନିଯୁକ୍ତ କନେଷ୍ଟବଳଙ୍କ ଗତ ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା । ଛୁଟି ଦିଆନଯିବା ଓ ଚିକିତ୍ସା ପାଇଁ ସଠିକ୍ ବନ୍ଦୋବସ୍ତ କରାନଯିବାରୁ ମହିଳା କନେଷ୍ଟବଳଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସେଠାରେ ତାଲିମ ନେଉଥିବା ଅନ୍ୟ କନେଷ୍ଟବଳମାନେ ହିଂସାକାଣ୍ଡ ଭିଆଇଥିଲେ ।

ସେମାନେ ପୋଲିସ ଲାଇନରେ ଥିବା ଗାଡିକୁ ଜାଳିଦେବା ସହ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏହାସହ ଜଣେ ଆଇଏସ୍ ପାହ୍ୟାର ପୋଲିସ ଅଧିକାରୀଙ୍କୁ ନିର୍ଧୁମ ପିଟିଥିଲେ । ଏହି ଘଟଣାକୁ ନେଇ ବିହାର ସରକାରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରେ ଦୋଷୀ ସାବ୍ୟସ୍ତ ନବନିଯୁକ୍ତ ପୋଲିସ କନେଷ୍ଟବଳଙ୍କୁ ବହିଷ୍କାର ଓ କେତେଜଣ ବିଭାଗୀୟ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ