Connect with us

ଓଡିଶା

କେନ୍ଦ୍ରୀୟ ପଣ୍ୟାଗାର ନିଗମ ପ୍ରସଙ୍ଗ

ସାଙ୍କେତିକ

କେନ୍ଦ୍ରୀୟ ପଣ୍ୟାଗାର ନିଗମ ପ୍ରସଙ୍ଗ
ଏହାର ଆଂଚଳିକ କାର୍ଯ୍ୟାଳୟ ପାଟନାକୁ ଉଠାଇନେବା ନିଷ୍ପତି ଉପରେ ରହିତାଦେଶ ଜାରିକଲେ ହାଇକୋର୍ଟ
ଭୁବନେଶ୍ୱର, ୧୮ ଅଗଷ୍ଟ – କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱରରେ ଥିବା ଏହାର ଆଂଚଳିକ କାର୍ଯ୍ୟାଳୟକୁ ବିହାରର ରାଜଧାନୀ ପାଟନାକୁ ଉଠାଇ ନେବାପାଇଁ କେନ୍ଦ୍ରୀୟ କାର୍ଯ୍ୟାଳୟର ନିଷ୍ପତି ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିବା ସହ ଏହାର ପରବର୍ତୀ ଶୁଣାଣୀ ପାଇଁ ଆସନ୍ତା ୧୭.୦୯.୨୦୧୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।
ଆବେଦନକାରୀ ଶ୍ରୀ ପ୍ରଦୀପ ପ୍ରଧାନ, କେନ୍ଦ୍ରୀୟ ପଣ୍ୟାଗାର ନିଗମର କେନ୍ଦ୍ରୀୟ ପଦାଧିକାରୀ ୨୬.୦୭.୨୦୧୯ ତାରିଖରେ ଭୁବନେଶ୍ୱରସ୍ଥିତ ନିଗମର ଆଂଚଳିକ କାର୍ଯ୍ୟାଳୟକୁ ପାଟନାସ୍ଥିତ ଆଂଚଳିକ କାର୍ଯ୍ୟାଳୟ ସହିତ ମିଶାଇ ଦେବା ପାଇଁ କରିଥିବା ନିଷ୍ପତିକୁ ଚ୍ୟାଲେଞ୍ଜ କରି ଉଚ୍ଚନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଶ୍ରୀ ପ୍ରଧାନ ଦର୍ଶାଇଥିଲେ ଯେ, ୧୯୯୦ ମସିହାରୁ କାର୍ଯ୍ୟରତ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ଓଡ଼ିଶାର ୧୫ଟି ଜିଲ୍ଲାରେ ୨୧ଟି ପଣ୍ୟାଗାର କେନ୍ଦ୍ର ଖୋଲି ବ୍ୟାପକ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖି ଆସୁଅଛି । ପ୍ରାୟ ୩.୪ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ଶକ୍ତି ଏହି ପଣ୍ୟାଗାର ନିଗମ ଅଛି । ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ, ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ସମେତ ଅନେକ ଛୋଟ ଛୋଟ ସଂସ୍ଥା ସେମାନଙ୍କର ଖାଦ୍ୟଶସ୍ୟ ମହଜୁଦ କରି ରଖୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ବା ପ୍ରାକୃତିକ ଦୁର୍ବିପାକ ସମୟରେ ଏହି ପଣ୍ୟାଗାର କେନ୍ଦ୍ରଗୁଡ଼ିକ ଠିକ୍ ସମୟରେ ଖାଦ୍ୟଶସ୍ୟ ଯୋଗାଇ ଆସୁଛନ୍ତି । ଗତ ୫ ବର୍ଷ ଧରି ଏହି ଆଂଚଳିକ କାର୍ଯ୍ୟାଳୟ କ୍ରମାଗତ ଲାଭ ଦେଖାଇ ଆସୁଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କୌଣସି କାରଣ ନଦର୍ଶାଇ ନିଗମର କେନ୍ଦ୍ରୀୟ କାର୍ଯ୍ୟାଳୟର ପଦାଧିକାରୀ ଗତ ୨୬.୦୭.୨୦୧୯ ତାରିଖରେ ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟକୁ ପାଟନାକୁ ଉଠାଇ ନେବାକୁ ନିଷ୍ପତି ନେଇଛନ୍ତି । ଯଦି ଏହି ନିଷ୍ପତି କାର୍ଯ୍ୟକାରୀ ହୁଏ, ତେବେ ଏହାର ଅନେକ କୁପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ପଣ୍ୟାଗାର କେନ୍ଦ୍ରଗୁଡ଼ିକର ଉପଯୁକ୍ତ ପରିଚାଳନା ହୋଇପାରିବ ନାହିଁ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଲୋକମାନଙ୍କୁ ପାଟଣା ଯିବାକୁ ପଡ଼ିବ । ଖାଦ୍ୟଶସ୍ୟ ଆବଂଟନରେ ଅନେକ ସମସ୍ୟା ଦେଖାଦେବ । ଫଳରେ ସରକାରୀ ପରିଚାଳିତ ଖାଦ୍ୟଭଣ୍ଡାର ଭୁଷୁଡ଼ି ପଡ଼ିବ ଏବଂ ସମୟାନୁକ୍ରମେ ବେସରକାରୀ ସଂସ୍ଥାମାନଙ୍କ ହାତକୁ ଚାଲିଯିବ । ତେଣୁ ଏହି ନିର୍ଦ୍ଦେଶନାମାର ପ୍ରତ୍ୟାହାର ଅତ୍ୟନ୍ତ ଜରୁରୀ ଦର୍ଶାଇ ଶ୍ରୀ ପ୍ରଧାନ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଉଚ୍ଚ ନ୍ୟାୟାଳୟ ଦୁଇଜଣିଆ ଖଣ୍ଡପୀଠ (ନ୍ୟାୟମୂର୍ତି ଶ୍ରୀମତୀ ସଞ୍ଜୁ ପଣ୍ଡା ଓ ନ୍ୟାୟମୂର୍ତି ପ୍ରମଥ ପଟ୍ଟନାୟକ) ଏହି ଜନସ୍ୱାର୍ଥ ମାମଲା ସଂଖ୍ୟା ଡବ୍ଲ୍ୟୁପିସି(ପିଆଇଏଲ୍) ନଂ. ୧୪୧୩୦ ଏବଂ ଆଇଏ କେସ୍ ନଂ. ୧୧୧୧୮/୧୯ର ଶୁଣାଣୀ କରି ନିଗମର କେନ୍ଦ୍ରୀୟ ପଦାଧିକାରୀଙ୍କ ନିଷ୍ପତି ଉପରେ ରହିତାଦେଶ ଜାରି କରିବା ସହ କେନ୍ଦ୍ରୀୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ, ନୂଆଦିଲ୍ଲୀଙ୍କୁ ୧୭.୦୯.୨୦୧୯ତାରିଖ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ଅବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍ଜୀବୀ ଶ୍ରୀ ଜ୍ୟୋତି ପଟ୍ଟନାୟକ ଓ ଶ୍ରୀ ଅଶ୍ୱିନୀ କୁମାର କର୍ମି ପରିଚାଳନା କରୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା