Connect with us

ଦେଶ

“ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ’- ସୁପ୍ରିମକୋର୍ଟ

"ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ'- ସୁପ୍ରିମକୋର୍ଟ

“ଆଧାର ବୈଧ; ବାଧ୍ୟତାମୂଳକ ନୁହେଁ’
ନୂଆଦିଲ୍ଲୀ,୨୬ା୯ : ବହୁଚର୍ଚ୍ଚିତ ‘ଆଧାର’ର ସାମ୍ବିଧାନିକ ବୈଧତା ନେଇ ରହିଥିବା ବାଦବିବାଦର ଅବସାନ ଘଟିଛି । ଦୀର୍ଘ ୩୮ଦିନର ଶୁଣାଣି ପରେ ବୁଧବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏକେ ସିକ୍ରି, ବିଚାରପତି ଏ ଏମ୍ ଖାନ୍ୱିଲକର, ବିଚାରପତି ଅଶୋକ ଭୂଷଣ, ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ୫ଜଣିଆ ଖଣ୍ଡପୀଠ ‘ଆଧାର’ର ସାମ୍ବିଧାନିକ ବୈଧତାକୁ କାଏମ ରଖିଛନ୍ତି ।

ଏଥିସହିତ ‘ଆଧାର’ ବାଧ୍ୟତାମୂଳକ ନୁହେଁ ବୋଲି ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ‘ଆଧାର’ ସପକ୍ଷରେ ୪ଜଣ ଓ ବିପକ୍ଷରେ ଜଣେ ବିଚାରପତି ରାୟ ଦେଇଛନ୍ତି । ତେଣୁ ମତାଧିକ୍ୟ ଆଧାରରେ ରାୟ ଗୃହୀତ ହୋଇଛି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ ଏମ ଖାନ୍ୱିଲକର ଓ ବିଚାରପତି ଏ କେ ସିକ୍ରିଙ୍କ ରାୟକୁ ବିଚାରପତି ଏ କେ ସିକ୍ରି ରାୟ ପଢ଼ି ଶୁଣାଇଥିଲେ । ବିଚାରପତି ଅଶୋକ ଭୂଷଣ ଉପରୋକ୍ତ ତିନି ଜଣ ବିଚାରପତିଙ୍କ ରାୟକୁ ସମର୍ଥନ କରିଥିବା ବେଳେ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଆଧାରର ସାମ୍ବିଧାନିକ ବୈଧତାକୁ ବିରୋଧ କରିଥିଲେ । ମତାଧିକ ଆଧାରରେ ଗୃହୀତ ରାୟରେ ଉଲ୍ଲେଖ ରହିଛି ଯେ, ଆଧାରରେ ଥିବା ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ । ଏହାର ନକଲ କରାଯାଇପାରିବ ନାହିଁ । ଆଧାର କାର୍ଡ ଓ ଅନ୍ୟ ପରିଚୟପତ୍ର ମଧ୍ୟରେ ତଫାତ ରହିଛି ।

‘ଆଧାର କାର୍ଡ’ ପାଇଁ ଆବଶ୍ୟକ ବାୟୋମାଟ୍ରିକ ତଥ୍ୟ ସଂଗୃହୀତ ହୋଇସାରିବା ପରେ ତାହା ସଂରକ୍ଷିତ ହୋଇ ରହୁଛି । ଅନ୍ୟ କାହାକୁ ସେହି ସୂଚନା କିମ୍ବା ତଥ୍ୟ ହସ୍ତାନ୍ତର କରାଯାଇପାରିବ ନାହିଁ । ‘ଆଧାର’ ସାମ୍ବିଧାନିକ ଭାବେ ବୈଧ । ଏହାକୁ ବିରୋଧ କରିବା ସମ୍ବିଧାନର ବିରୋଧ ସହିତ ସମାନ । ଏବେ ‘ଆଧାର’ ଦେଶର ଗରିବ ଲୋକଙ୍କ ଶକ୍ତି ଓ ପରିଚୟ ପାଲଟିଛି । ‘ଆଧାର’ ଦ୍ୱାରା ଏକ ବୃହତ ବର୍ଗ ଉପକୃତ ହେଉଛନ୍ତି । ‘ଆଧାର’ ପାଇଁ କମ୍ରୁ କମ୍ ତଥ୍ୟ ସଂଗ୍ରହ କରିବା ସହିତ ତଥ୍ୟକୁ ଆହୁରି ଅଧିକ ସୁରକ୍ଷିତ ରଖିବା ପାଇଁ କଡା ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଏହି ଅବସରରେ ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ‘ଆଧାର’କୁ ଏକ ବିତ୍ତୀୟ ବିଲ୍ ରୂପେ ପାରିତ କରାଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ‘ଆଧାର’ ପାଇଁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଓ ସେବାରୁ ବଂଚିତ କରାଯାଇପାରିବ ନାହିଁ । ଏଥିପାଇଁ ‘ଆଧାର’ ଆଇନ୍ର ଧାରା ୫୭କୁ ଖଣ୍ଡପୀଠ ରଦ୍ଦ କରି କହିଛନ୍ତି ଯେ, ସ୍କୁଲ୍ରେ ନାମ ଲେଖା ବେଳେ ‘ଆଧାର’ ଜରୁରୀ ନୁହେଁ । ଘରୋଇ କମ୍ପାନୀ କିମ୍ବା ସଂସ୍ଥା ମଧ୍ୟ ‘ଆଧାର’ ପାଇଁ କାହାକୁ ବାଧ୍ୟ କରିପାରିବେ ନାହିଁ । ‘ଆଧାର-ମୋବାଇଲ୍ ନମ୍ବର ଲିଙ୍କ’ ଓ ‘ଆଧାର-ବ୍ୟାଙ୍କ ଆକାଉଣ୍ଟ ଲିଙ୍କ’ ମଧ୍ୟ ବାଧ୍ୟତାମୂଳକ ନୁହେଁ । ଅବଶ୍ୟ ‘ଆଧାର-ପାନ୍’ ଲିଙ୍କ୍ ବ୍ୟବସ୍ଥାକୁ ଖଣ୍ଡପୀଠ ବଳବତ୍ତର ରଖିଛନ୍ତି । ଅନୁପ୍ରବେଶକାରୀମାନେ ଯେପରି ‘ଆଧାର’ ହାସଲ କରିପାରିବେ ନାହିଁ ସେ ବିଷୟରେ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।

ଅପରପକ୍ଷରେ ଆବେଦନକାରୀଙ୍କ ଯୁକ୍ତିକୁ ଗ୍ରହଣ କରି ଜଷ୍ଟିସ ଚନ୍ଦ୍ରଚୂଡ କହିଥିଲେ ଯେ, ‘ଆଧାର’ ବ୍ୟକ୍ତିଗତ ଗୋପନୀୟତା ଅଧିକାରର ଉଲ୍ଲଘଂନ କରୁଛି । ‘ଆଧାର’ରେ ସଂଗୃହୀତ ତଥ୍ୟକୁ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିହେବ । ‘ଆଧାର’ ପାଇଁ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପୂର୍ବରୁ ତଥ୍ୟ ପ୍ରଦାନକାରୀଙ୍କ ଅନୁମତି ଆଣିବାର ବ୍ୟବସ୍ଥା ନାହିଁ । ‘ଆଧାର କାର୍ଡ’ ଆଧାରରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ନ୍ୟାଯ୍ୟ ଅଧିକାରରୁ ବଞ୍ôଚତ କରାଯାଉଛି ଯାହା ଗ୍ରହଣୀୟ ନୁହେଁ । ସେହିପରି ‘ଆଧାର ବିଧେୟକ’କୁ ‘ବିତ୍ତୀୟ ବିଧେୟକ’ ଭାବେ ପାରିତ କରାଯାଇଛି । କିନ୍ତୁ ଏହା ଏକ ବିତ୍ତୀୟ ବିଧେୟକ ନୁହେଁ । ‘ଆଧାର’କୁ ଲୋକସଭା ବାଚସ୍ପତି ‘ବିତ୍ତୀୟ ବିଧେୟକ’ ଭାବେ ବର୍ଗୀକରଣ କରିଥିବାରୁ ବିଧେୟକ ଉପରେ ଆଲୋଚନା ପ୍ରସଙ୍ଗରେ ରାଜ୍ୟସଭାର କ୍ଷମତା ସଙ୍କୁଚିତ ହୋଇଛି । ତେଣୁ ଏହାର କୌଣସି ସାମ୍ବିଧାନିକ ବୈଧତା ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ