Connect with us

ଓଡିଶା

କ୍ୟାବିନେଟରେ ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ସାଙ୍କେତିକ ଚିତ୍ର

କ୍ୟାବିନେଟରେ ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
କଳାହାଣ୍ଡିରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ
ଭୁବନେଶ୍ୱର,୯ା୧୧: ସବୁଜ ମହାନଦୀ ମିଶନର ଦ୍ୱିତୀୟ ପର୍ଯ୍ୟାୟ ବନୀକରଣ କାର୍ଯ୍ୟକ୍ରମ, ସହରାଂଚଳରେ ଏଲଇଡି ଲାଇଟର ବ୍ୟବସ୍ଥା କରିବା, ଶିଶୁଭବନ ଓ ମେଡ଼ିକାଲ କଲେଜର ନୂତନ ଗୃହ ନିର୍ମାଣ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ସଚିବାଳୟଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ କହିଲେ ଯେ, ସବୁଜ ମହାନଦୀ ମିଶନର ପ୍ରଥମ ପର୍ଯ୍ୟାୟରେ ଚଳିତ ବର୍ଷରେ ମହାନଦୀ ଏବଂ ଏହାର ଉପନଦୀ ତେଲ, ଇବ୍ ନଦୀ ଉପକୂଳର ଉଭୟ ପାଶ୍ୱର୍ରେ ୧ କି.ମି. ପ୍ରଶସ୍ତ ଏକ ସବୁଜ ବଳୟ ସୃଷ୍ଟି କରାଯାଇଛି । ଆସନ୍ତା ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ବୈତରଣୀ, ବ୍ରାହ୍ମଣୀ, ଋଷିକୂଲ୍ୟା ନଦୀ ଏବଂ ସେଗୁଡ଼ିକର ଶାଖା ଉପନଦୀ ମାନଙ୍କର ଉଭୟ ପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ବନୀକରଣ ଯୋଜନା କାର୍ଯ୍ୟ କରିବା ପାଇଁ ସ୍ଥିର କରାଯାଇଛି । ଏହି ଯୋଜନା ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବାର ଯୋଜନା ଅଛି । ଉକ୍ତ ଯୋଜନାରେ ୫ ବର୍ଷ ମଧ୍ୟରେ ୪୧ ହଜାର ୩ ଶହ ହେକ୍ଟର ଏବଂ ୧ ହଜାର ୪୧ କିମି. ପଥ ପାଶ୍ୱର୍ ବନୀକରଣ କରାଯିବ । ଯାହା ମଧ୍ୟରୁ ୧୦ ହଜାର ହେକ୍ଟର କୃତ୍ରିମ (ବୃକ୍ଷ) ପୂନଃ ସୃଜନ, ୩୦ ହଜାର ହେକ୍ଟର ପ୍ରାକୃତିକ (ବୃକ୍ଷ) ପୁନଃ ସୃଜନ, ୧୩ ହଜାର ହେକ୍ଟରରେ ବାଉଁଶ ବୃକ୍ଷ ରୋପଣ କରାଯିବାର ପ୍ରସ୍ତାବ ରହିଛି । ଏଥିରେ ସମୁଦାୟ ୪୪୫ କୋଟି ଟଙ୍କା ବ୍ୟୟ ହେବାର ଅଟକଳ କରାଯାଇଛି । ରାଜ୍ୟସ୍ତରରେ ସବୁଜ ମହାନଦୀ ମିଶନର ଉନ୍ନତି ଓ କାର୍ଯ୍ୟକାରିତା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ଗଠିତ ହୋଇଥିବା ୧୨ ଜଣିଆ କମିଟି ଦ୍ୱାରା ପରିଚାଳିତ ହେବ । ଏହାର ନିୟମିତ ମାସିକ, ତ୍ରୈମାସିକ ଓ ବାର୍ଷିକ ନିରୀକ୍ଷଣ ରାଜ୍ୟ ସବୁଜ ମହାନଦୀ ମିଶନ କମିଟି କରିବ ।

ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ସବୁଜ ମହାନଦୀ ମିଶନ କମିଟି ଓ ପଂଚାୟତସ୍ତରୀୟ ସବୁଜ ମହାନଦୀ ମିଶନ କମିଟି ଦ୍ୱାରା ତଦାରଖ କରାଯିବ । ଏହି ବନୀକରଣ ଦ୍ୱାରା ଜଳ ସଂରକ୍ଷଣ କରାଯିବ । ୱାଟର ଲେବୁଲ ହ୍ରାସକୁ ରୋକାଯାଇ ପାରିବ । କଳାହାଣ୍ଡିଠାରେ ୧୦୦ ସ୍ଥାନ ବିଶିଷ୍ଟ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ନିର୍ମାଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତବାକୁ କ୍ୟାବିନେଟ ଅନୁମୋଦନ କରିଛି । ଏହି କୋଠା ନିର୍ମାଣରେ ସମୁଦାୟ ୨୨୦.୭୪ କୋଟି ଟଙ୍କା ବ୍ୟୟ କରାଯିବ । ଟାଟା ପ୍ରୋଜେକ୍ଟ ଲିମିଟେଡ଼ ଏହି କାର୍ଯ୍ୟକୁ ଦୁଇ ବର୍ଷ ମଧ୍ୟରେ ବିନା ମୂଲ୍ୟ ବୃଦ୍ଧିରେ ସମ୍ପୂର୍ଣ୍ଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କଳାହାଣ୍ଡିରେ ଟର୍ଣ୍ଣକି ମାଧ୍ୟମରେ ଏହି ଭେଷଜ ବିଦ୍ୟାଳୟ ଓ ଡାକ୍ତରଖାନା ସ୍ଥାପନ କରିବା ପାଇଁ ନିତୀଗତ ଭାବେ ନିଷ୍ପତି ହୋଇଛି । ଟର୍ଣ୍ଣ କି ଚୁକ୍ତିରେ କୋଠା ନିର୍ମାଣ ଜନିତ ଓ କୋଠା ପାଇଁ ଆନୁସଂଗିକ ବ୍ୟବସ୍ଥା ଗୋଟିଏ ଜାଗାରେ ବ୍ୟବସ୍ଥା କରାଯାଉଛି । ଭୂତଳସ୍ଥିତ ଆକଳନଠାରୁ ଆରମ୍ଭ କରି ପରିସର ପାଚେରୀ କାନ୍ଥ ନିର୍ମାଣ, ଆନୁସଙ୍ଗିକ ରାସ୍ତା ଓ ନାଳ, ସ୍ଥାପତ୍ୟ, ଉପାଙ୍କନ, କୋଠାର ନିର୍ମାଣ, ଜଳଯୋଗାଣ, ଯାନ୍ତ୍ରିକ ଓ ବୈଦ୍ୟୁତିକ, ଅଗ୍ନି ପ୍ରତିରୋଧ, ବହିର୍ଜଳ ଯୋଗାଣ, ନାଳ ନର୍ଦ୍ଦମା, ବାହ୍ୟ ବୈଦ୍ୟୁତିକ କାର୍ଯ୍ୟ ଯଥା ଟ୍ରାନ୍ସଫରମର, ଡି.ଜି. ସେଟ ଓ ଆସବାବ ପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ ଏହି ଠିକା ପ୍ରଣାଳୀର ଅନ୍ତର୍ଗତ ।

ଏହି ସମସ୍ତ କାର୍ଯ୍ୟ କେବଳ ଜଣେ ଠିକାଦାରକୁ ଦିଆଯିବ ଯାହାରକି ଏ ସମସ୍ତ ପାରଙ୍ଗମତା ନିଜ ପାଖରେ ଥିବ ଏବଂ ନିଜର କାର୍ଯ୍ୟ ଦକ୍ଷତା ଯୋଗୁ ସମିତି ସମୟ ମଧ୍ୟରେ ତାକୁ ବିନା ମୂଲ୍ୟ ବୃଦ୍ଧିରେ ସମ୍ପାଦନ କରି ପାରିବାର କ୍ଷମତା ଥିବ । ଏହି କାର୍ଯ୍ୟ ସକାଶେ ୨୦୨.୩୯କୋଟି ଟଙ୍କା ଆକଳନର ଟର୍ଣ୍ଣ କି ଆକାରରେ ନିବିଦା ଆମନ୍ତ୍ରଣ କରାଯାଇଥିଲା । ଏଥି ସକାଶେ ଚାରି ଜଣ ଠିକାଦାର ଆବେଦନ କରିଥିଲେ । ତନ୍ମଧ୍ୟରୁ ତିନି ଜଣ ଠିକାଦାର ଯୋଗ୍ୟ ବିବେଚିତ ହୋଇଥିଲେ । ତିନି ଜଣ ଠିକାଦାର ଯଥା ଏନ.ସି.ସି ଲିମିଟେଡ଼, ସାପୋରଜି ପାଲୋନଜୀ କମ୍ପାନୀ ପ୍ରାଇଭେଟ ଲିମିଟେଡ଼, ଟାଟା ପ୍ରୋଜେକ୍ଟସ ଲିମିଟେଡ଼ ମଧ୍ୟରୁ ଟାଟା ପ୍ରୋଜେକ୍ଟସ ଲିମିଟେଡ଼ ସର୍ବନିମ୍ନ ମାନ ୨୨୦.୭୪ କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ । ଅପରପକ୍ଷରେ ଶ୍ରୀ ପାଢ଼ୀ କହିଲେ ଯେ, କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତୋକତର ଶିଶୁ ସଂସ୍ଥାନଠାରେ ବହୁମୁଖୀ ବ୍ୟବହାରିକ କମ୍ପେ୍ଲକ୍ସ ଓ ସ୍ନାତୋକତର ଛାତ୍ରବାସ ନିର୍ମାଣ ନିମନ୍ତେ ଆସିଥିବା ଠିକା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ବ୍ରିଜ ଆଣ୍ଡ ରୁଫ୍ (କୋ) ଇଣ୍ଡିଆ ଲିମିଟେଡ଼ ପ୍ରାୟ ୧୧୭ କୋଟି ଟଙ୍କା ବ୍ୟୟ ଅଟକଳରେ କରିବା ପାଇଁ ପ୍ରସ୍ତାବ ଦେଇଛି । ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବ ଓ ବିନା ମୂଲ୍ୟ ବୃଦ୍ଧିରେ କାର୍ଯ୍ୟ କରିବାକୁ ରାଜି ହୋଇଛି । ଏହି ବହୁମୁଖୀ ବ୍ୟବହାରିକ ପ୍ରାସାଦ ଟର୍ଣ୍ଣ କି ମାଧ୍ୟମରେ ସ୍ଥାପନ କରିବା ନିମନ୍ତେ ନୀତିଗତ ଭାବେ ନିଷ୍ପତି ହୋଇଛି । ଟର୍ଣ୍ଣ କି ଚୁକ୍ତିରେ କୋଠା ନିର୍ମାଣ ଜନିତ ଓ କୋଠା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଗୋଟିଏ ଜାଗାରେ ବ୍ୟବସ୍ଥା କରାଯାଉଛି ।

ଭୂତଳସ୍ଥିତ ଆକଳନଠାରୁଆରମ୍ଭ କରି ପରିସର ପାଚୋରୀ କାନ୍ଥ ନିର୍ମାଣ, ଆନୁସଙ୍ଗିକ ରାସ୍ତା ଓ ନାଳ ସ୍ଥାପତ୍ୟ, ଉପାଙ୍କନ, କୋଠାର ନିର୍ମାଣ, ଜଳଯୋଗାଣ, ଯାନ୍ତ୍ରିକ ଓ ବୈଦ୍ୟୁତିକ, ଅଗ୍ନି ପ୍ରତିରୋଧ, ବର୍ହିଜଳ ଯୋଗାଣ, ନାଳ ନର୍ଦ୍ଦମା, ବାହ୍ୟ ବୈଦ୍ୟୁତିକ କାର୍ଯ୍ୟ ଯଥା ଟ୍ରାନ୍ସଫରମର, ଡି.ଜି. ସେଟ ଓ ଆସବାବ ପତ୍ର ଇତ୍ୟାଦି ସମସ୍ତ କାର୍ଯ୍ୟ ଏହି ଠିକା ପ୍ରଣାଳୀର ଅନ୍ତର୍ଗତ । ଏହି ସମସ୍ତ କାର୍ଯ୍ୟ କେବଳ ଜଣେ ଠିକାଦାରକୁ ଦିଆଯିବ ଯାହାର କି ଏ ସମସ୍ତ ପାରଙ୍ଗମତା ନିଜ ପାଖରେ ଥିବ ଏବଂ ନିର୍ଦ୍ଦିଷ୍ଟ ସମୟ ପରିଧି ମଧ୍ୟରେ ତାକୁ ବିନା ମୂଲ୍ୟ ବୃଦ୍ଧିରେ ସମ୍ପାଦନ କରି ପାରିବାର କ୍ଷମତା ଥିବ । ଏହି କାର୍ଯ୍ୟ ସକାଶେ ୯୯କୋଟି ୮୫ ଲକ୍ଷ ଟଙ୍କା ଆକଳନ ଟର୍ଣ୍ଣକି ଆକାରରେ ନିବିଦା ଆମନ୍ତ୍ରଣ କରାଯାଇଥିଲା ।

ଏଥି ସକାଶେ ତିନି ଜଣ ଠିକାଦାର ଆବେଦନ କରିଥିଲେ ଓ ତନ୍ମଧ୍ୟରୁ ଦୁଇ ଜଣ ଠିକାଦାର ଯୋଗ୍ୟ ବିବେଚିତ ହୋଇଥିଲେ । ଦୁଇ ଜଣ ଠିକାଦାର ଯଥା ବ୍ରିଜ ଆଣ୍ଡ ରୁଫ (କୋ) ଇଣ୍ଡିଆ ଲିମିଟେଡ଼ , ସମ୍ପେ୍ଲକ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ଼ ମଧ୍ୟରୁ ବ୍ରିଜ ଆଣ୍ଡ ରୁଫ (କୋ) ଇଣ୍ଡିଆ ଲିମିଟେଡ଼ ନିମ୍ନତମ ୧୧୬.୯୨ କୋଟି ଟଙ୍କାରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ ବୋଲି ସେ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା