Connect with us

ଓଡିଶା

୧୪,୪୦୦ କୋଟି ଟଙ୍କା ନିବେଶ କରିବ ବିର୍ଲା ଗ୍ରୁପ୍

ସାଙ୍କେତିକ ଚିତ୍ର

ଓଡ଼ିଶାର ଶିଳ୍ପ ବାତାବରଣ ନିବେଶ ଅନୁକୂଳ
୧୪,୪୦୦ କୋଟି ଟଙ୍କା ନିବେଶ କରିବ ବିର୍ଲା ଗ୍ରୁପ୍
୧ଲକ୍ଷ କୋଟି ନିବେଶ କରିବ ଜିନ୍ଦଲ
ଡିଜିଟାଲ କ୍ଷେତ୍ରରେ ୩ ହଜାର କୋଟି ଟଙ୍କା ନିବେଶ କରିବ ରିଲାଏନ୍ସ
୨୩,୫୦୦ କୋଟି ଟଙ୍କା ବିନିଯୋଗରେ ସମ୍ପ୍ରସାରିତ ହେବ କଳିଙ୍ଗ ଷ୍ଟିଲ ପ୍ଲାଣ୍ଟ
ଶିଳ୍ପାୟନରେ ଭାଗୀଦାର ହୋଇଛି ଫିକି
ଭୁବନେଶ୍ୱର,୧୨ା୧୧ : ଓଡ଼ିଶା ଗତ ଦୁଇ ଦଶନ୍ଧି ମାଧ୍ୟମରେ ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି । ଆଗାମୀ ଦିନରେ ଶିଳ୍ପାୟନର ନୂଆ ସୁଯୋଗ ଓ ସମ୍ଭାବନା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ ହୋଇଛି । ପର୍ଯ୍ୟାୟ ଖଣିଜ ଓ ବନ୍ଦର ଭିତ୍ତିଭୂମି ସହିତ ନିବେଶ ଅନୁକୂଳ ପରିବେଶ ଯୋଗୁଁ ଓଡ଼ିଶାର ଶିଳ୍ପାୟନରେ ଏହି ପ୍ରଗତି ସମ୍ଭବ ହୋଇପାରିଛି । ଏକ ସ୍ଥିର ସରକାର, ଦୃଢ଼ ନେତୃତ୍ୱ ଓ ସୁଦୂର ପ୍ରସାରୀ ଦୃଷ୍ଟିଭଙ୍ଗୀ ରାଜ୍ୟରେ ନିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହିତ ଏକ ଶିଳ୍ପ ସମୃଦ୍ଧ ଓଡ଼ିଶା ପାଇଁ ବିପୁଳ ସମ୍ଭାବନା କରିଛି । ‘ମେକ୍ ଇନ୍ ଓଡ଼ିଶା କନକ୍ଳେଭ ୨୦୧୮’ରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଏହି ମତ ଦେଇଛନ୍ତି ।

‘ମେକ୍ ଇନ୍ ଓଡ଼ିଶା କନକ୍ଳେଭ ୨୦୧୮’ର ଆଜି ଦିବସର ସ୍ୱତନ୍ତ୍ର ଅଧିବେଶନରେ ଦେଶର ପ୍ରମୁଖ ଶିଳ୍ପପତି ଯୋଗ ଦେଇ ଓଡ଼ିଶା ଶିଳ୍ପାୟନର ଅଭିବୃଦ୍ଧି ଓ ଭବିଷ୍ୟତ ସମ୍ପର୍କରେ ମତ ରଖିଥିଲେ । ଅଧିବେଶନର ପ୍ରାରମ୍ଭରେ ଆଦିତ୍ୟ ବିର୍ଲା ଗ୍ରୁପ୍ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା କହିଲେ ଯେ, ଓଡ଼ିଶାର ଶିଳ୍ପ ଓ ବ୍ୟବସାୟିକ ଅନୁକୂଳ ବାତାବରଣ ଯୋଗୁଁ ବିର୍ଲା ଗ୍ରୁପ୍ ରାଜ୍ୟର ଅର୍ଥନୈତିକ ଓ ସାମାଜିକ ବିକାଶରେ ନିଜକୁ ସାମିଲ କରିପାରିଛି । ଏହି କାର୍ଯ୍ୟଧାରା ବଜାୟ ରଖିବା ପାଇଁ ବିର୍ଲା ଗ୍ରୁପ୍ ଆଗାମୀ ଦିନରେ ୧୪,୪୦୦୦ କୋଟି ଟଙ୍କା ନିବେଶ କରିବାର ଯୋଜନା ରଖିଛି ।

ଅଧିବେଶନରେ ମତ ରଖି ଜିନ୍ଦଲ ଗ୍ରୁପ୍ର ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଲେ ଯେ, ସୁପ୍ରିମକୋର୍ଟଙ୍କ ରାୟ ପରେ ଦେଶର ଅନେକ କୋଇଲା ଖଣି ବନ୍ଦ ହୋଇଯାଇଥିଲା । ଏଥିଯୋଗୁଁ ଜିନ୍ଦଲ ଗ୍ରୁପ୍ର ଓଡ଼ିଶାରେ ପ୍ରତିଷ୍ଠିତ କୋଇଲା-ବାଷ୍ପୀକରଣ ପ୍ରକଳ୍ପ ଗୁରୁତର ପ୍ରଭାବିତ ହୋଇଥିଲା । ସଂସ୍ଥା ପ୍ରଭୂତ କ୍ଷତି ସହିଥିଲା । କିନ୍ତୁ ରାଜ୍ୟର ନିବେଶ ଓ ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଜିନ୍ଦଲ ଗ୍ରୁପ୍ ପୁଣିଥରେ ବ୍ୟବସାୟ ଓ ଶିଳ୍ପାୟନ ଅଭିବୃଦ୍ଧି ହାସଲ କରିପାରିଲା । ଏହାଭିତରେ ଆମେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛୁ । ରାଜ୍ୟ ସରକାରଙ୍କ ସହଯୋଗ ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ଆମେ ସବୁ ଆହ୍ୱାନକୁ ମୁକାବିଲା କରିବାରେ ସଫଳ ହୋଇଛୁ । ଆଗାମୀ ଦିନରେ ଜିନ୍ଦଲ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ଏହି ଅବସରରେ ଶ୍ରୀ ଜିନ୍ଦଲ ସୂଚନା ଦେଇଥିଲେ । ଏଥିସହିତ ଓଡ଼ିଶା ଅର୍ଥନୈତିକ-ସାମାଜିକ ପ୍ରଗତିରେ ଜିନ୍ଦଲ ନିଜକୁ ସାମିଲ କରିପାରିଛି ବୋଲି କହିଥିଲେ ।

ନବୀନଙ୍କ ବଡ ସଜ୍ଜନ ଜିନ୍ଦଲ, ସେଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ କୁମାର ଚୌଧୁରୀ, ଆଇଟିସିର ମୁଖ୍ୟ ପରିଚାଳନା ଅଧିକାରୀ ସଞ୍ଜିବ ପୁରୀ, ବେଦାନ୍ତ ଗ୍ରୁପ୍ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ପ୍ରମୁଖ ରାଜ୍ୟର ଅନୁକୂଳ ନିବେଶ ବାତାବରଣ ଓ ରାଜ୍ୟ ସରକାରଙ୍କ ସହଯୋଗର ଉଚ୍ଚ ପ୍ରଶଂସା କରିଥିଲେ । ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮’ର ଅନ୍ୟତମ ଆୟୋଜକ ‘ଫିକି’ର ସଭାପତି ସନ୍ଦୀପ ସୋମାନି କହିଲେ ଯେ, ଆରମ୍ଭରୁ ‘ମେକ୍ ଇନ୍ ଓଡ଼ିଶା କନକ୍ଳେଭ’ରେ ଫିକି ନିଜକୁ ସାମିଲ କରିଛି । ରୋଡ୍ ଶୋ’ ଆୟୋଜନଠାରୁ ଆରମ୍ଭ କରି ଶିଳ୍ପାୟନରେ ଯୋଗଦାନ ଦେଇଛି ।

ଅଧିବେଶନରେ ଟାଟା ସନର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍ ଯୋଗଦେଇ ଟାଟା ଷ୍ଟିଲର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । କଳିଙ୍ଗନଗର ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ସମ୍ପର୍କରେ ସୂଚନା ଦେବା ସହିତ ଗୋପାଳପୁର ଷ୍ଟିଲ୍ ପ୍ଲାଣ୍ଟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ । ପ୍ରାୟ ୨୩,୫୦୦ କୋଟି ଟଙ୍କା ବ୍ୟୟରେ କଳିଙ୍ଗନଗର ଷ୍ଟିଲ ପ୍ଲାଣ୍ଟ ବର୍ତ୍ତମାନର ୩ ନିୟୁତ ଟନ୍ରୁ ୮ ନିୟୁତ ଟନକୁ ବୃଦ୍ଧି ପାଇବ ବୋଲି ଶ୍ରୀ ଚନ୍ଦ୍ରଶେଖରନ୍ କହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା