Connect with us

ଓଡିଶା

ଭୂତଳ ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟି ଟଙ୍କା ମଂଜୁର ।

ଭୂତଳ ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟି ଟଙ୍କା ମଂଜୁର ।
ଭୁବନେଶ୍ୱର,୧୦ା୮ : ଜଳବାୟୁ ପରିବର୍ତ୍ତନ ରାଜ୍ୟର ଜଳସମ୍ପଦ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଅଛି । ଏହାର ନିରାକରଣ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତ କରି ଆନ୍ତର୍ଜାତିକ ସ୍ତରରେ ସ୍ଥାପନ ହୋଇଥିବା ଗ୍ରୀନ୍ କ୍ଲାଇମେଣ୍ଟ ଫଣ୍ଡ (ଜିସିଏଫ୍)ରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ । ଉକ୍ତ ଯୋଜନାର ବିଶେଷତ୍ୱ ହେଲା ବର୍ଷା ଋତୁରେ ଉପଲବ୍ଧ ହେଉଥିବା ବଳକା ଜଳକୁ ରାଜ୍ୟରେ ଥିବା ୧୦ ହଜାର ପୋଖରୀ ଗୁଡିକର ପୁନଋଦ୍ଧାର ସହିତ ରିଚାର୍ଜ ଷ୍ଟ୍ରକଚର ନିର୍ମାଣ କରାଯାଇ ଭୂତଳେ ଅଧିକରୁ ଅଧିକ ଜଳ ଗଚ୍ଛିତ କରାଯିବ । ଗଚ୍ଛିତ ଜଳକୁ ପରବର୍ତ୍ତୀ ସମୟରେ ଜଳସେଚନ ପାଇଁ ବ୍ୟବହାର କରାଯାଇ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରାଯାଇପାରିବ । ଏଥିମଧ୍ୟରୁ ୧୦୦୦ ଗୋଟି ସ୍ଥାନରେ ସୌରଶକ୍ତି ଚାଳିତ ପମ୍ପରେ ଜଳ ଉତ୍ତୋଳନ କରି ଅଣୁ ଜଳସେଚନ (ମାଇକ୍ରୋ ଇରିଗେସନ) ପାଇଁ ବ୍ୟବହାର କରାଯିବ । ରାଜ୍ୟ ସରକାର ପଠାଇଥିବା ଯୋଜନାକୁ ଭାରତର ପ୍ରଥମ ପ୍ରକଳ୍ପ ହିସାବରେ ଗ୍ରୀନ୍ କ୍ଲାଇମେଣ୍ଟ ଫଣ୍ଡ (ଜିସିଏଫ୍) ମଞ୍ଜୁର କରିଛନ୍ତି । ଏହି ଯୋଜନା ରାଜ୍ୟର ୧୫ ଗୋଟି ଜିଲ୍ଲା ଯଥା, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଏବଂ ସୋନପୁର ଇତ୍ୟାଦିରେ କାର୍ଯ୍ୟକାରୀ କରାଯିବ । ଏହି ଯୋଜନାର ଅଟକଳ ମୂଲ୍ୟ ୧୬୬.୩୦ ମିଲିୟନ ୟୁଏସ୍ ଡଲାର (ଆନୁମାନିକ ମୂଲ୍ୟ ୧୧୧୫ କୋଟି ଟଙ୍କା) ଅଟେ । ଏଥିମଧ୍ୟରୁ ଗ୍ରୀନ୍ କ୍ଲାଇମେଣ୍ଟ ଫଣ୍ଡ (ଜିସିଏଫ୍) ୩୪.୩୬ ମିଲିୟନ ୟୁଏସ୍ ଡଲାର (ଆନୁମାନିକ ମୂଲ୍ୟ ୨୩୨ କୋଟି ଟଙ୍କା) ଆର୍ଥିକ ସହାୟତା ନାବାର୍ଡ ମାଧ୍ୟମରେ ଯୋଗାଇ ଦେବେ । ଉକ୍ତ ଯୋଜନାକୁ ୫ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ନାବାର୍ଡର ସିଜିଏମଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ମନ୍ତ୍ରୀ ଶଶୀଭୂଷଣ ବେହେରା, ମନ୍ତ୍ରୀ ପ୍ରଦୀପ ମହାରଥୀ, ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା