Connect with us

ଓଡିଶା

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୭ ଦିନ ମଧ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୨ା୧୦ : ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ଓ ଏହାର ପରବର୍ତୀ ବନ୍ୟାର କ୍ଷୟକ୍ଷତି ଆକଳନ ୭ ଦିନ ମଧ୍ୟରେ ଶେଷ କରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ରିପୋର୍ଟ ପ୍ରଦାନ କରିବାପାଇଁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ କ୍ଷତିଗ୍ରସ୍ତ ଅଂଚଳରେ ହେଲଥ୍ କ୍ୟାମ୍ପ୍ ଓ ପଶୁ ଚିକିତ୍ସା କ୍ୟାମ୍ପ୍ କରି ଚିକିତ୍ସା ସେବା ଓ ମାଗଣାରେ ଔଷଧ ଯୋଗାଇ ଦେବା , ସଡକ , ଯୋଗାଯୋଗ ଓ ବିଦ୍ୟୁତ୍ ସରବରାହ ବ୍ୟବସ୍ଥାକୁ ପୁନଃସ୍ଥାପିତ କରିବାପାଇଁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶରେ କହିଛନ୍ତିି ।

ଅନ୍ୟପକ୍ଷରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ବିଶାଖାପାଟଣାରୁ ୨ ଟି ନାଭାଲ ହେଲିକ୍ୟାପ୍ଟର ମଗାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରକାଶ କରିଛନ୍ତି । ତିତଲିର ଗତିପଥ ପରିବର୍ତନ ପାଇଁ ରାୟଗଡା ଓ କନ୍ଧମାଳ ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଅନୁମାନ କରିପାରିନଥିଲୁ ବୋଲି ସେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ସରକାରଙ୍କ ଦୂର ଦୃଷ୍ଟିର ଅଭାବ ପାଇଁ ବାତ୍ୟା ପରବର୍ତୀ ବନ୍ୟା ଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । ବାତ୍ୟା ଭଳି ବନ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ନଥିବା ଏହାର ମୁଖ୍ୟ କାରଣ ବୋଲି ବନ୍ୟା ବିପନ୍ନ ଲୋକେ ଅଭିଯୋଗ କରିଛନ୍ତି । ଶୁକ୍ରବାର ସଚିବାଳୟ ଠାରେ ଉଭୟ ପ୍ରାକୃତିକ ବିପର୍ଯ୍ୟୟ ତିତଲି ଓ ବନ୍ୟାର ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ ।

ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଗଂଜାମ , ଗଜପତି ,ରାୟଗଡା ଆଦି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନା ବୈଠକ ପରେ ମୁଖ୍ୟ ଶାସନ ସଚିବ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ତିତଲି ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ଏଭଳି ଲାଗି ରହିବ । ଜି. ଉଦୟଗିରି ଏବଂ କଂଟାପଡା ବ୍ଲକ୍ ରେ ୩୦୦ ମିଲି ପର୍ଯ୍ୟନ୍ତ ବର୍ଷ। ହୋଇଥିବା ସୂଚନା ମିଳିଛି । ୬୦ଟି ବ୍ଲକ୍ ରେ ୧୦୦ରୁ ୨୦୦ ମିଲି ବର୍ଷା ରେକର୍ଡ କରାଯାଇଛି । ଆସ୍କା ଓ ପୁରୁଷୋତମପୁର ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ସେଠାରେ ବର୍ଷା ଅବ୍ୟାହତ ରହିଛି । ବର୍ଷା ଛାଡିଲେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ।

ବର୍ତମାନ ସୁଦ୍ଧା ୧୪ଟି ଏନଡିଆରଏଫ୍ ଓ ୧୨ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି । ଆସନ୍ତା ୨-୩ ଦିନ ମଧ୍ୟରେ ସବୁ ସ୍ଥାନରେ ବିଦ୍ୟୁତ୍ ସରବରାହ ପୁନଃ ସ୍ଥାପିତ କରିବାକୁ ପଦକ୍ଷେପ ନିଆଯାଇଛି । ଯୁଦ୍ଧାକାଳୀନ ଭିତିରେ ଉପୁଡିପଡିଥିବା ଗଛ କଟାଯାଇ ରାସ୍ତା ଅବରୋଧ ଦୂୂର କରାଯାଉଛି । ଗୁଣୁପୁରରେ ୧୧୦ କିମି ବେଗରେ ପବନ ବୋହୁଥିବା ବେଳେ ୮ଜଣ ଯାଜାବରଙ୍କୁ ଉଦ୍ଧାର କରାଯାଇଛି । ସେହିପରି ଗୋପାଳପୁରରେ ଆନ୍ଧ୍ରପ୍ରଦେଶର ୩୦ଟି ବୋଟ୍ ରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି । ଗର୍ଭବତୀ ମହିଳା ଓ ନବଜାତକ ମାନଙ୍କ ସୁରକ୍ଷାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଂଜାମ , ଗଜପତି , ରାୟଗଡା ଓ ବାଲେଶ୍ୱରର ସ୍ଥିତି ଗମ୍ଭୀର ଅଛି ।

ଗଂଜାମ ଜିଲ୍ଲାର ୧୩ଟି ବ୍ଲକ୍ ପ୍ରଭାବିତ ହୋଇଥିବା ବେଳେ ୪ଟି ବ୍ଲକ୍ ର ସ୍ଥିତି ଗମ୍ଭୀର ରହିଛି । ଗଜପତି ଜିଲ୍ଲାପାଳ ଉଦ୍ଧାର କାର୍ଯ୍ୟପାଇଁ ଅଧିକ ଅଗ୍ନିଶମ ଅଧିକାରୀ ମାଗିଛନ୍ତିଓ ଗଂଜାମ ଜିଲ୍ଲାପାଳ ଏଥିପାଇଁ ହେଲିକ୍ୟାପ୍ଟର ମାଗିଛନ୍ତି । ଗଂଜାମରେ ବିଦ୍ୟୁତ୍ ସରବରାହ ସଂଧ୍ୟା ସୁଦ୍ଧା ଚାଲୁ ହେବ । ସାଢେ ୫ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ମଧ୍ୟରୁ ୩ ଲକ୍ଷଙ୍କୁ ୪୮ ଘଂଟା ମଧ୍ୟରେ ବିଦ୍ୟୁତ୍ ଯୋଗାଇ ଦିଆଯିବ । ଗଜପତି ରୋଡ୍ ମରାକତି ଗତ ରାତିରୁ ଆରମ୍ଭ ହୋଇଛି । ଉକ୍ତ ସ୍ଥାନରେ ବିଦ୍ୟୁତ୍ ଯୋଗାଣ ପାଇଁ ୪ ଦିନ ଲାଗିବ । ପାରାଳାଖେମୁଣ୍ଡିର ଟାଉନ ଓ ଜିଲ୍ଲାପାଳ କାର୍ଯ୍ୟାଳୟକୁ ପ୍ରଥମେ ମରାମତି କରାଯିବ । ରାୟଗଡା ସହରକୁ ୭୨ ଘଂଟା ମଧ୍ୟରେ ବିଦ୍ୟୁତ୍ ଯୋଗାଇ ଦିଆଯିବ । ଏହି ସବୁ କାର୍ଯ୍ୟ ଶେଷ ହେବା ପରେ ଫସଲ କ୍ଷୟକ୍ଷତି ଓ ଅନ୍ୟାନ୍ୟ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯିବ ।

ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଋଷିକୂଲ୍ୟା ଓ ବଂଶଧାରା ନଦୀରେ ବନ୍ୟା ଆସିବାର ସମ୍ଭାବନା ରହିଛି । କ୍ଷୂଦ୍ର ଜଳସେଚନ ପ୍ରକଳ୍ପ ଏଥିଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ପାଣିସ୍ତର ନକମିବା ପର୍ଯ୍ୟନ୍ତ ଏହାର ଆକଳନ କରାଯାଇପାରିବ ନାହିଁ । ବୈତରଣୀର ଉପରମୁଣ୍ଡରେ ବର୍ଷା ଜାରୀ ରହିଛି । ମହେନ୍ଦ୍ରତନୟା ନଦୀ ଫୁଲିବା ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା