Connect with us

ଆଞ୍ଚଳିକ

ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ପର୍ଯ୍ୟଟକଙ୍କ ନିମନ୍ତେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ପ୍ରଥମ ଦିନରେ ପିଠାବଟା ଫାଟକ ମଧ୍ୟଦେଇ ୧୦୬ ଓ ଯଶୀପୁର ଫାଟକ ଦେଇ ୭୮ ପର୍ଯ୍ୟଟକ ଅଭୟାରଣ୍ୟକୁ ପ୍ରବେଶ କଲେ
ବାରିପଦା, ୧ ନଭେମ୍ବର – ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ଅଭୟାରଣ୍ୟ ନଭେମ୍ବର ୧ ଶୁକ୍ରବାର ଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଖୋଲିବା ପରେ ପ୍ରଥମ ଦିନରେ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ମଧ୍ୟଦେଇ ୧୬ ଗୋଟି ୪ ଚକିଆ ଯାନରେ ମୋଟ ୧୦୬ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ସମୟରେ ଯଶୀପୁରର କାଳିଆଣି ଫାଟକ ଦେଇ ୧୪ ଗୋଟି ୪ ଚକିଆ ଯାନରେ ୭୮ରୁ ଅଧିକ ଏହିପରି ମୋଟ ୩୦ଟି ଯାନରେ ୧୮୪ରୁ ଅଧିକ ପର୍ଯ୍ୟଟକ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ପିଠାବଟା ପ୍ରବେଶ ପଥରେ ପିଠାବଟା ରେଞ୍ଜର ଉଗ୍ରସେନ ଜେନା ଓ ଫରେଷ୍ଟ କର୍ମଚାରୀମାନେ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଭୁବନେଶ୍ୱର ରିଜିଓନାଲ ରିସର୍ଚ୍ଚ ସେଂଟରରୁ ଏକ ୯ ଜଣିଆ ଟିମ୍ ରହିଥିବାର ଜଣାପଡ଼ିଛି । ସେହିପରି ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନିମନ୍ତେ ବାରିପଦା ଓ ଯଶୀପୁର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟରୁ ଅନୁମତି ମିଳିପାରିବ । ପ୍ରତ୍ୟେକ ଦିନ ପିଠାବଟା ରେଞ୍ଜର ଲୁଲୁଙ୍ଗ ଫାଟକ ଦେଇ ୨୫ ଗୋଟି ଓ ଯଶୀପୁର ଫାଟକ ମଧ୍ୟଦେଇ ୩୫ ଗୋଟି ଚାରିଚକିଆ ଯାନ ପ୍ରବେଶ ନିମନ୍ତେ ସର୍ବପ୍ରଥମେ ଆସିଥିବା ଯାନଗୁଡ଼ିକ ମଧ୍ୟରୁ କ୍ରମାନ୍ୱୟରେ ଅନୁମିତି ମିଳିପାରିବ ।

ସେହିପରି ଅଭୟାରଣ୍ୟକୁ ସ୍ୱଚ୍ଛ ନିର୍ମଳ ରଖିବା ଲକ୍ଷ୍ୟ ନେଇ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଆଦି ନେବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକମାନେ ପ୍ରବେଶ ସମୟରେ ପ୍ରଚଳିତ ନିୟମାବଳୀ ଅନୁସାରେ ଫାଟକରେ ଲିଖିତନାମା ଦାଖଲ କରିବେ ଏବଂ ଏହା ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ । ସେହିପରି ପ୍ରବେଶ ଓ ପ୍ରସ୍ଥାନ ବେଳେ ଫାଟକରେ ସେମାନଙ୍କର ଯାନ, ଜିନିଷପତ୍ର ସହିତ ସେମାନଙ୍କୁ ଯାଂଚ୍ କରାଯିବ ।

ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ୪ଟା ପୂର୍ବରୁ ଚହଲା ଛାଡ଼ିବାକୁ ହେବ । ପର୍ଯ୍ୟଟକମାନେ ଅଭୟାରଣ୍ୟ ମଧ୍ୟରୁ ସେମାନଙ୍କର ପ୍ରସ୍ଥାନ ସମୟ ଏପରି ସ୍ଥିର କରିବେ ଯେପରି ଅପରାହ୍ନ ୫ଟା ମଧ୍ୟରେ ପିଠାବଟା, ତୁଳସୀବଣି ଓ କାଳିଆଣି ତନଖି ଫାଟକକୁ ଅତିକ୍ରମ କରିପାରିବେ । କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଯାନ ଖରାପ ହେଲେ ପର୍ଯ୍ୟଟକମାନଙ୍କୁ ବାରିପଦା ଓ ଯଶିପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ନିମନ୍ତେ ଅଗ୍ରୀମ ଭାବେ ୪ ହଜାର ଟଙ୍କା ଜମା ଦେବାକୁ ହେବ । ଏଥି ନିମନ୍ତେ ଯାନ ଚାଳକ ପ୍ରସ୍ତୁତ ରହିବେ । ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ନେଇଯାଇଥିବା ଯାନ ବଳବତର ରହିଥିବା ନିୟମାବଳୀକୁ ଯଦି ଦ୍ୱିତୀୟ ଥର ନିମନ୍ତେ ଉଲ୍ଲଙ୍ଘନ କରୁଥିବେ ତେବେ ତାଙ୍କୁ ପରବର୍ତି ସମୟରେ ପ୍ରବେଶ ନିମନ୍ତେ ଅନୁମତି ମିଳିପାରିବ ନାହିଁ ।
ଚଳିତ ବର୍ଷ ଅଭୟାରଣ୍ୟ ମଧ୍ୟରେ ପର୍ଯ୍ୟଟକମାନଙ୍କର ରାତ୍ରି ରହଣି ନିମନ୍ତେ ବଫର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ ଆଦି ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବା ବେଳେ କୁଆଁରୀଗାଁ ନିକଟରେ ବାଉଁଶରେ ନିର୍ମିତ କଟେଜର ବ୍ୟବସ୍ଥା କରାଯାଇଅଛି । ଏଥି ନିମନ୍ତେ ପର୍ଯ୍ୟଟକମାନଙ୍କୁ ୱେବସାଇଟରେ ଅଗ୍ରୀମ ଆରକ୍ଷଣ କରାଇବାକୁ ପଡ଼ିବ । ପର୍ଯ୍ୟଟକମାନଙ୍କ ଭ୍ରମଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବାର ନିଷ୍ପତିକୁ ମଝିରେ ମଝିରେ ଶିମିଳିପାଳ କର୍ତୃପକ୍ଷଙ୍କ ଦ୍ୱାରା ତଦାରଖ କରାଯିବ ଓ ପାରିପାଶ୍ୱର୍ିକ ଅବସ୍ଥାକୁ ନଜରକୁ ନେଇ ପରବର୍ତି ନିଷ୍ପତି ନିଆଯିବ ।

ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ବୁକିଂ କାଉଂଟରରେ ଟିକେଟ୍ ଉପଲବ୍ଧ ହେବ । ପୁଣି ଅଭୟାରଣ୍ୟକୁ ପ୍ରବେଶ ସମୟରେ ପର୍ଯ୍ୟଟକମାନେ ପ୍ରତ୍ୟେକ ଯାନରେ ଜଣେ ଲେଖାଏଁ ଗାଇଡ଼କୁ ସାଥୀରେ ନେବା ବାଧ୍ୟତାମୂଳକ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ ପତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ