Connect with us

ଓଡିଶା

ନିରାପଦ ପାନୀୟ ଜଳ ପାଇବାରୁ ରାଜ୍ୟବାସୀ ବଂଚିତ:- ନିରଞ୍ଜନ

ସାଙ୍କେତିକ ଚିତ୍ର

ନିରାପଦ ପାନୀୟ ଜଳ ପାଇବାରୁ ରାଜ୍ୟବାସୀ ବଂଚିତ: ନିରଞ୍ଜନ
ଭୁବନେଶ୍ୱର :- ଓଡ଼ିଶାର ଗ୍ରାମାଂଚଳ ଏବଂ ସହରାଂଚଳ ବାସିନ୍ଦା ନିରାପଦ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଗତ ୧୮ ବର୍ଷ ମଧ୍ୟରେ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ କରିବା ନାମରେ ବିପୁଳ ଅର୍ଥ ବ୍ୟୟ କରିଛନ୍ତି । ଏପରିକି ରାଜ୍ୟର ଋଣ ଭାର ୧ ଲକ୍ଷ କୋଟି ଟଙ୍କାରେ ପହଂଚିବାକୁ ଯାଉଛି । ଏଭଳି ପରିସ୍ଥିତିରେ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ଦିଗରେ ରାଜ୍ୟ ସରକାର କୋଣସି ପଦକ୍ଷେପ ଗ୍ରହଣ କରିନଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଏକ ବିବୃତିରେ ସେ କହିଛନ୍ତି, ଉପକୂଳବର୍ତୀ ପୁରୀ, ଗଂଜାମ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମକାଳରେ ଜଳ ସଙ୍କଟ ଦେଖାଦେଉଛି । ଏଥିସହିତ ରାଜ୍ୟର ଅଧିକାଂଶ ସ୍ଥାନରେ ଲୋକଙ୍କ ପାଇଁ ନିରାପଦ ପାନୀୟ ଜଳ ପାଇବା ସ୍ୱପ୍ନ ହୋଇଯାଇଛି । ଯେଉଁସବୁ ସ୍ଥାନରେ ନଳକୂପ ଅଥବା ପାଇପ ଯୋଗେ ଜଳ ଯୋଗାଇ ଦିଆଯାଉଛି, ସେଠାରେ ଜଳରେ ଫ୍ଲୋରାଇଡ ଅଥବା ଲୋହଅଂଶ ଅଧିକ ରହୁôଥବାରୁ ତାହା ବ୍ୟବହାର ଉପଯୋଗୀ ହେଉନାହିଁ । ଏହି ସମସ୍ୟାର ସମାଧାନ ଦିଗରେ ବିଜେଡ଼ି ସରକାର କୋଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

ରାଜ୍ୟ ସରକାର କେବଳ ଗ୍ରୀଷ୍ମକାଳରେ ଦୁଇମାସ ପାଇଁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରୁଛନ୍ତି । କିନ୍ତୁ ବର୍ଷର ଅନ୍ୟ ସମୟରେ ଉକ୍ତ ଅଂଚଳର ବାସିନ୍ଦା ପିଇବା ପାଣି ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୂଷିତ ପାଣି ପିଇ ଲୋକେ ଡାଇରିଆ, ଜଣ୍ଡିସ ଭଳି ଅନେକ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏପରିକି ନରସିଂହପୁର ଭଳି ଅଂଚଳରେ ଲୋକେ କିଡ୍ନିଜନିତ ରୋଗରେ ପ୍ରାଣ ହରାଉଛନ୍ତି ।

ପିସିସି ସଭାପତି କହିଛନ୍ତି, ୨୦୧୮ ମାର୍ଚ୍ଚ ୨୩ରେ ଲୋକସଭାରେ ଏକ ଅଣତାରକା ପ୍ରଶ୍ନର ଉତରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା, ଓଡ଼ିଶା ଭୂତଳ ଜଳ ପ୍ରଦୂଷଣରେ ୫ ନମ୍ବର ସ୍ଥାନରେ ରହିଛି । ରାଜ୍ୟର ଭୂତଳ ଜଳରେ ଫ୍ଲୋରାଇଡ ଏବଂ ନାଇଟ୍ରେଟ ମିଶି ରହୁଥିବାରୁ ତାହା ସ୍ୱାସ୍ଥ୍ୟ ଅନୁପଯୋଗୀ ହୋଇଛି । ଓଡ଼ିଶାର ୩୦ରୁ ୨୫ ଜିଲାରେ ଭୂତଳ ଜଳ ଫ୍ଲୋରାଇଡ ଯୋଗୁଁ ପ୍ରଦୂଷିତ ହୋଇଛି । ପାଇପ ଯୋଗେ ପରିବାରଗୁଡିକୁ ପାନୀୟଜଳ ଯୋଗାଣ କ୍ଷେତ୍ରରେ ମଧ୍ୟ ଓଡ଼ିଶା ବହୁ ପଛରେ ରହିଥିବା କଥା ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନିକଟରେ ପ୍ରକାଶିତ ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୭ ଶେଷସୁଦ୍ଧା ଓଡ଼ିଶା ସରକାର ଗ୍ରାମାଂଚଳରେ ମାତ୍ର ୩.୭ ପ୍ରତିଶତ ପରିବାରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେଇଥିଲେ ।
ସେହିଭଳି ସଡ଼କ ନିର୍ମାଣରେ ଓଡ଼ିଶା ପଛରେ ପଡିଥିବା ନିରଞ୍ଜନ ଦର୍ଶାଇଛନ୍ତି ।

ସେ କହିଛନ୍ତି ଯେ ଗ୍ରାମାଂଚଳରେ ସଡ଼କ ନିର୍ମାଣରେ ସଫଳତା ପାଇଁ ଓଡ଼ିଶା କେନ୍ଦ୍ର ଦ୍ୱାରା ପୁରସ୍କୃତ ହେବାପରେ କଂଗ୍ରେସ ଏହାର ସତ୍ୟାସତ୍ୟ ଲୋକଙ୍କ ସମ୍ମୁଖକୁ ଆଣିଥିଲା । ରାଜ୍ୟରେ ୧୦ ହଜାରରୁ ଅଧିକ ଗ୍ରାମକୁ ଏପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନଥିବାବେଳେ ରାଜ୍ୟ ସରକାର ଗ୍ରାମାଂଚଳକୁ ସଡ଼କ ସଂଯୋଗ କରିବାରେ ପୁରସ୍କାର ନେଉଛନ୍ତି । ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ୧୬ ବର୍ଷ ପରେ ମଧ୍ୟ ରାଜ୍ୟର ୩୩ ପ୍ରତିଶତ ଗାଁକୁ ରାସ୍ତା ହୋଇପାରିନାହିଁ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କୁ ଭୁଲ ତଥ୍ୟ ଦେଇ ଆଉ କେତେଦିନ ଏହିଭଳି ଭଣ୍ଡେଇବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା