Connect with us

ଓଡିଶା

ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ଧର୍ମେନ୍ଦ୍ର

ସାଙ୍କେତିକ ଚିତ୍ର

ତୈଳ ଓ ଗ୍ୟାସ ପ୍ରକଳ୍ପ ପାଇଁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩ା୧୨ : ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ ରାଜ୍ୟର ସ୍ୱାର୍ଥ ବିଶେଷ ଭାବରେ ରାଜ୍ୟର ଯୁବପୀଢିଙ୍କ ପାଇଁ ଚାକିରୀ ଓ ରୋଜଗାର ସମ୍ଭାବନା ଆଣିଥିବା ବେଳେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନ ନେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଶା ପୂର୍ବରୁ ଦେଶର ଇସ୍ପାତର ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବାବେଳେ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶା ଦେଶର ଗ୍ୟାସ ଓ ପେଟ୍ରୋକେମିକାଲସ ଶିଳ୍ପର ପେଣ୍ଠସ୍ଥଳୀ ଭାବେ ପରିଚିତ ହେବାର ସମ୍ପୂର୍ଣ ସମ୍ଭାବନା ଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି । ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି ପାରାଦୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ପଥ ଭାବେ ବିକଶିତ ହେଉଛି । ଶ୍ରୀ ପ୍ରଧାନ କହିଛନ୍ତି ୨୦୧୩-୧୪ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦରରେ ପେଟ୍ରୋଲିୟମ ପଦାର୍ଥର ପରିବହନର ମାତ୍ରା ୧୭.୭୦ ଏମଏମଟି ଥିବା ବେଳେ ୨୦୧୭-୧୮ ସୁଦ୍ଧା ପାଖାପାଖି ଦୁଇଗୁଣିତ ହୋଇ ୩୩.୭୮ ଏମଏମଟିରେ ପହଁଚିଛି ।

୪୦ ହଜାର କୋଟିଟଙ୍କାର ୧୫ ଏମଏମଟିପିଏ କ୍ଷମତା ବିଶିଷ୍ଠ ପାରାଦ୍ୱୀପ ତୈଳ ରିଫାଇନାରୀ ପୂର୍ଣ କାର୍ଯ୍ୟକ୍ଷମ ହେବାସହ ତୈଳ ଓ ଗ୍ୟାସ କ୍ଷେତ୍ରର ନୂଆ ନୂଆ ପ୍ରକଳ୍ପରେ ପୁଞ୍ଜି ନିବେଶ ହୋଇଛି । ଏହି ମାମଲାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେବା ମାମଲାରେ ୫ଟି ବୃହତ ପ୍ରକଳ୍ପ ପାଇଁ ଦୀର୍ଘଦିନର ଆବେଦନ ପଡି ରହିଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୧୫ରୁ ୨୫ ଏମଏମଟିପିଏକୁ ପାରାଦୀପ ତୈଳ ବିଶୋଧନାଗାରର କ୍ଷମତା ବୃଦ୍ଧି, ପେଟ୍ କୋକ୍ ଗ୍ୟାସିଫିକେସନ ପ୍ରକଳ୍ପ,ପିଏକ୍ସ/ପିଟିଏ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ଜାଗା ଭଦ୍ରକରେ ଟେକ୍ସଟାଇଲ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାପାଇଁ ଦରଖାସ୍ତ ଦିଆଯାଇଥିବା ସତ୍ୱେ ରାଜ୍ୟ ସରକାର ଏହା ଉପରେ ପଦକ୍ଷେପ ନେଉନଥିବା ଏହି ଚିଠିରେ ଉଲେଖ କରାଯାଇଛି ।

ରାଜ୍ୟ ସରକାର ଓଡିଶାରେ ପେଟ୍ରୋକେମିକାଲ ପ୍ରକଳ୍ପ ପାଇଁ ବିଦେଶରେ ରୋଡ ଶୋ କରିଥିଲେ ମଧ୍ୟ ଇଣ୍ଡିଆନ୍ ଅଏଲ ସହଯୋଗରେ ଆସୁଥିବା ବିଭିନ୍ନ ପୁଞ୍ଜିନିବେଶ କାରୀଙ୍କୁ ରାଜ୍ୟ ସରକାର ସହଯୋଗ କରୁନଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲେଖ କରିଛନ୍ତି । ତାଙ୍କ ଅନୁରୋଧ କ୍ରମେ ତାଇୱାନ ସରକାରଙ୍କର ପେଟ୍ରୋଲିୟମ ଫାର୍ମ ସିପିସି କରପରେସନ ୪୩ ହଜାର କୋଟିଟଙ୍କା ବିନିଯୋଗ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଜମି , ଜଳ, ବିଜୁଳି ଓ ପରିବହନ ଆବଶ୍ୟକତାକୁ ପୂରଣ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି ।

ଏହି ତାଇଓାନ ସରକାରଙ୍କ କମ୍ପାନୀ ସହ ଇଣ୍ଡିଆନ୍ ଅଏଲର ମୋଟ ୮୩ ହଜାର କୋଟିଟଙ୍କା ପୁଂଜିନିବେଶ ହେଲେ ଓଡିଶାର ଅର୍ଥନୀତିକୁ ସୁଦୃଢ କରିବା ସହ ଯୁବପୀଢି ମାନଙ୍କ ପାଇଁ ସହାୟକ ହେବ । ରାଜ୍ୟ ସରକାର ଉପଯୁକ୍ତ ସାହାଯ୍ୟ ଓ ସହଯୋଗ ଦେବାପାଇଁ ସମ୍ପୃକ୍ତ ବିଭାଗ ନିର୍ଦ୍ଦେଶ ଦେବାପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଏହି ପତ୍ରରେ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା