Connect with us

ଓଡିଶା

“ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ’

ସାଙ୍କେତିକ ଚିତ୍ର

“ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣ ଛାଡ’
ଭୁବନେଶ୍ୱର,୧୨ା୧୨ : ଗତକାଲିର ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ଯେ ଧର୍ମ ଏବଂ ଜାତିବାଦକୁ ନେଇ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟକୁ ନେଇ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଦଳର ଏ ବିଜୟ ଶ୍ରୀ ରାହୁଲ ଗାନ୍ଧୀଙ୍କ ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାର ଏକବର୍ଷ ପୂର୍ତି ଉପଲକ୍ଷେ ଏକ ବିଶେଷ ଉପହାର ।

କଂଗ୍ରେସ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ସଂପୂର୍ଣ୍ଣ ପରାହତ କରି କେନ୍ଦ୍ରରେ କ୍ଷମତାସୀନ ହେବାର ଅୟମାରମ୍ଭ ବୋଲି ସେ କହିଛନ୍ତି । ଏହାସହ ତିନୋଟି ପ୍ରମୁଖ ରାଜ୍ୟର ଅଗଣିତ ଭୋଟର ଭାଇଭଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । ସେହିପରି ଆଗାମୀ ନିର୍ବାଚନରେ ଓଡିଶାରେ କଂଗ୍ରେସ ସରକାର ଗଢିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ଯେ କଂଗ୍ରେସ ହେଉଛି ବିଜେପିର ବିକଳ୍ପ । ମିଳିତ ଓ ଶୃଙ୍ଖଳିତ ଭାବେ ଲଢେଇ କରାଯାଇଥିବାରୁ ଏହି ସଫଳତା ମିଳିଛି । ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ । ଓଡିଶାରେ ଚାଷୀଙ୍କ ସମସ୍ୟା ମଧ୍ୟ କିଛି କମ୍ ନୁହେଁ । ଏଠାକାର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୋଲସ ଲଗାଇ ଜୁଲମ କରାଯାଉଛି ।

ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ୍ ପ୍ରଦାନ କରାଯିବ , କୃଷି ଋଣ ଛାଡ୍ କରାଯିବ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆର୍ଥିକ ସହାୟତା ପ୍ରଦାନ କରିବ । ଯୁବକ ,ମହିଳା , ଚାଷୀ ଓ ବେକାରୀ ସମସ୍ୟା ଉପରେ ପ୍ରାଥମିକତା ଦିଆଯିବ । ଓଡିଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ସଭାପତି ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର  କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା