ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଗୁଣ୍ଡିଚାଘାଗି ଜଳପ୍ରପାତ
ହରିଚନ୍ଦନପୁର – ପ୍ରାକୃତିକ ସୌନ୍ଦର୍ଯ୍ୟଭରା କେନ୍ଦୁଝର ଜିଲ୍ଲାରେ ରହିଛି ବହୁ ଆକର୍ଷଣୀୟ ଜଳପ୍ରପାତ, ତାହା ମଧ୍ୟରୁ କେତେକ ଜଳପ୍ରପାତ ପର୍ଯ୍ୟଟନର ମାନ୍ୟତା ପାଇଛି । ସେଥି ମଧ୍ୟରୁ ଗୁଣ୍ଡିଚାଘାଗି ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି । ଏଠାରେ ୫୦ ଫୁଟରୁ ଉଦ୍ଧ୍ୱର୍ ଉଚ୍ଚତାରୁ ପାଣି ପଡିଥାଏ । ଏହାକୁ ଦେଖିବା ପାଇଁ ବର୍ଷ ତମାମ ଜିଲ୍ଲା ତଥା ରାଜ୍ୟ, ଦେଶ ତଥା ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି । ଏହି ଜଳପ୍ରପାତ ନିକଟରେ ଶୀତଳ ସ୍ନାନର ଅନୁଭୂତି ମିଳେ ବୋଲି କୁହାଯାଏ । ତେବେ ଜଳପ୍ରପାତ ନିକଟରେ କୌଣସି ବଗିଚା, ସ୍ୱଚ୍ଛତା ଓ ରାତ୍ରୀ ଯାପନର ବ୍ୟବସ୍ଥା କରାଯାଇପାରିଲେ ଏହା ଆଗାମୀ ଦିନରେ ଅଧିକରୁ ଅଧିକ ଆକର୍ଷଣୀୟ ହୋଇପାରିବ ବୋଲି ପର୍ଯ୍ୟଟକ ଓ ବୁଦ୍ଧିଜୀବିମାନେ କୁହନ୍ତି ।
ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କୁ ଦର୍ଶନ କରିବା ପାଇଁ ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଥାଏ । ମା’ ତାରିଣୀ ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି ବୋଲି କାହିଁ କେଉଁ କାଳରୁ ଭକ୍ତମାନଙ୍କର ବିଶ୍ୱାସ ରହିଛି । ଘଚଂ ଶାଳବଣ, ଅଙ୍କାବଙ୍କା ରାସ୍ତା ଦେଇ ମା’ ଙ୍କ ମନ୍ଦିରକୁ ଯିବାକୁ ହୋଇଥାଏ । ଏହି ଅଙ୍କା ବଙ୍କା ରାସ୍ତା ଓ ଘଂଚ ଜଙ୍ଗଲ ଭକ୍ତ ଓ ପର୍ଯ୍ୟଟକଙ୍କୁ କିଛି କ୍ଷଣ ପାଇଁ ବାନ୍ଧି ରଖିଥାଏ । ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରାୟତଃ ସମସ୍ତେ ଗାଡିରୁ ଉହ୍ଲାଇଥାନ୍ତି । କେବଳ ଘଂଚ ଜଙ୍ଗଲ ନୁହେଁ ଘଟଗାଁର ଅନତୀ ଦୂରରେ ଥିବା ପ୍ରାକୃତିକ ସୋ÷ନ୍ଦର୍ଯ୍ୟପୂର୍ଣ୍ଣ ଗୁଣ୍ଡିଚାଘାଗି ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିପାରିଛି । ଘଟଗାଁରୁ ବାହାରି ୬ କିମି ଗଲା ପରେ କୋଳିପଶି ଗ୍ରାମ ପଡିଥାଏ, ସେଠାରୁ ଗୁଣ୍ଡିଚାଘାଗି ଜଳ ପ୍ରପାତ ମାତ୍ର ୭ କି.ମି. ଦୂର ହୋଇଥିବା ବେଳେ ହରିଚନ୍ଦନପୁର ଭିଆଇପି ରୋଡ ଓ ରେଲୁୱେ ଷ୍ଟେସନ ଠାରୁ ୫ କି.ମି. ଦୂର ଯିବାକୁ ପଡିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜଳପ୍ରପାତକୁ ଦେଖିଲେ ଯେ କେହିବି କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଯିବ । ସୁନ୍ଦର ବନାନୀ ମଧ୍ୟରେ ଥିବା ଏହି ଜଳପ୍ରପାତର ପାଣି ପଡିବା ଦୃଶ୍ୟ ବେଶ ମନୋରମ ।
ଏହି ଜଳପ୍ରପାତଟି ଆଜକୁ ୩ ବର୍ଷ ପୂର୍ବରୁ ଓଡିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ଜଳପ୍ରପାତ ନିକଟରେ ପର୍ଯ୍ୟଟକଙ୍କ ଭୋଜି ସହ ବିଶ୍ରାମ ପାଇଁ କଂକ୍ରିଟ ପିଣ୍ଡି ମାନ ନିର୍ମିତ ହୋଇଛି । ଏଥି ସହ ପର୍ଯ୍ୟଟକ ଜଳପ୍ରପାତ ନିକଟକୁ ଯିବା ପାଇଁ ସରକାରଙ୍କ ଅନୁଦାନରୁ ସୁନ୍ଦର ଭାବେ ପାହାଚ ତିଆରି କରାଯାଇଛି । ଯାହା ଦ୍ୱାରା ପର୍ଯ୍ୟଟକମାନେ ଜଳପ୍ରପାତ ନିକଟକୁ ଯାଇ ଏକ ଶୀତଳ ସ୍ନାନର ଅନୂଭୁତି ଉପଭୋଗ କରିବା ସହ ନିଜ ନିଜର ଫଟୋ ଉତୋଳନ କରିଥାନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ହରିଚନ୍ଦନପୁର ଅଂଚଳ ଠାରୁ ଘଟଗାଁ ଅଂଚଳକୁ ସଂଯୋଗ କରିବା ପାଇଁ ଏକ ଲୁହା ନିର୍ମିତ ବ୍ରିଜ(ପୋଲ) ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଏହି ବ୍ରିଜ(ପୋଲ) ଉପରୁ ଯାତାୟାତ କରି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରା ଉପଭୋଗ କରିପାରୁଛନ୍ତି । ଏହି ଜଳ ପ୍ରପାତକୁ ଦେଖିବା ପାଇଁ ବର୍ଷ ତମାମ ଏଠାକୁ ଦୂରଦୁରାନ୍ତରୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ ।
ବିଶେଷ କରି ଶୀତ ଋତୁରେ ବଣ ଭୋଜିର ମଜା ନେବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି । ଯାହା ଦ୍ୱାରା କିଛି ସ୍ଥାନୀୟ ବାସିନ୍ଦା ଏଠାରେ ବିଭିନ୍ନ ପ୍ରକାର ଦୋକାନ ଦେଇ ବେଶ ଦୁଇ ପଇସା ରୋଜକାର କରିଥାନ୍ତି । ସ୍ଥାନୀୟ ମୁକୁନ୍ଦପୁର ପାଟଣାର କେତେକ ଯୁବକ ପାର୍କଂଫି ଆଦାୟ କରିବା ପାଇଁ ଟେଣ୍ଡର ନେଇଥାନ୍ତି । ପାର୍କିଂଫି ଆଦାୟରୁ ମିଳୁଥିବା ଟଙ୍କାକୁ ଜଳପ୍ରପାତ ସଫେଇ କାର୍ଯ୍ୟରେ ଲଗାଇବା ସହିତ ଡିସେମ୍ବର ୨୫ରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ହେଉଥିବା ଗୁଣ୍ଡିଚାଘାଗି ମହୋତ୍ସବରେ ଖର୍ଚ୍ଚ କରିଥାନ୍ତି । ଏହା ଦ୍ୱାରା ଜଳପ୍ରପାତ ପର୍ଯ୍ୟଟକଙ୍କ ପ୍ରଶଂସାର ପାତ୍ର ହୋଇପାରିଛି । ତେବେ ବିଦ୍ୟୁତ ସଂଯୋଗ ହୋଇନଥିବା କାରଣରୁ ସଂନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକଙ୍କୁ ଫେରିବାକୁ ପଡିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଗୁଣ୍ଡିଚାଘାଗି ଜଳପ୍ରପାତ କେନ୍ଦୁଝର ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି