
୩ ମାସ ପାଇଁ କୋହଳ ହେଲା ଟ୍ରାଫିକ୍ ନିୟମ, ଲୋକଙ୍କ ଅସନ୍ତୋଷ ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୯ ସେପ୍ଟେମ୍ବର – କୋହଳ ହୋଇଛି ସଂଶୋଧିତ ମୋଟର ଯାନ ଆଇନ୍ । ଲୋକଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩ ମାସ ପର୍ଯ୍ୟନ୍ତ ଜୋରିମାନା ଆଦାୟକୁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ୩ ମାସ ନିୟମକୁ କଡାକଡି ପାଳନ ନକରିବାକୁ ଟ୍ରାଫିକ୍ ଓ ପୋଲିସ୍ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପ୍ରତି କଠୋର ନହୋଇ ସେମାନଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଲୋକମାନେ ଯେପରି ସୁବିଧାରେ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପାଇପାରିବେ ସେଥିପାଇଁ ଅଧିକ କାଉଂଟର ଖୋଲିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଟ୍ରାଫିକ୍ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ପ୍ରେସ୍ ରିଲିଜ ଅନୁସାରେ ସଂଶୋଧିତ ମୋଟର ଯାନ ଆଇନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ବିଶେଷକରି ଭୁବନେଶ୍ୱରରେ ଲୋକଙ୍କ ଆକ୍ରୋଶ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଟ୍ରାଫିକ ଉଲ୍ଲଘଂନ କରୁଥିବା ଲୋକଙ୍କ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିବା ପରିବର୍ତେ ସେମାନଙ୍କୁ ସଂଶୋଧିତ ମୋଟର ଯାନର ପ୍ରାବଧାନ ସମ୍ପର୍କରେ ବୁଝାସୁଝା କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହିତ ଲୋକଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ଅଧିକ ସଂଖ୍ୟକ କାଉଂଟର ଖୋଲିବା, ଆରଟିଓ କାର୍ଯ୍ୟାଳୟଗୁଡ଼ିକର ସେବା କେନ୍ଦ୍ରକୁ ଅଧିକ ସୁଦୃଢ କରିବା, ସାବର୍ଜନୀନ ପ୍ରତିଷ୍ଠାନଗୁଡ଼ିକରେ ଶିବିର ଆୟୋଜନ କରି ମୋଟରଯାନ ବ୍ୟବହାରୀଙ୍କୁ ଆବଶ୍ୟକ ଦସ୍ତାବିଜ ଉପଲବ୍ଧ କରାଇବା ଦିଗରେ ସହଯୋଗ ନିମନ୍ତେ ପରିବହନ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଲୋକଙ୍କୁ ସେମାନଙ୍କର ଗାଡ଼ି ଦସ୍ତାବିଜ ଅଥବା ସଂଶୋଧିତ ମୋଟରଯାନ ଆଇନ ଅନୁରୂପ ଦସ୍ତାବିଜ ପ୍ରସ୍ତୁତ ନିମନ୍ତେ ପର୍ଯ୍ୟାପ୍ତ ସମୟ ଦେବା ପାଇଁ ଆସନ୍ତା ୩ମାସ ପର୍ଯ୍ୟନ୍ତ କୋହଳ ଆଭିମୁଖ୍ୟ ପୋଷଣ କରିବାକୁ ଉଭୟ ପରିବହନ ଓ ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ଆଇନକୁ ପାଳନ ଓ ବିପଦଜ୍ଜନକ ଗାଡ଼ିଚାଳନାରୁ ବିରତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ମୋଟର ଯାନ ବ୍ୟବହାରକାରୀଙ୍କୁ ଅନୁରୋଧ କରିଛନ୍ତି ।
