ଆର୍ଥିକ ମାନ୍ଦାବସ୍ଥା ବିରୋଧରେ ଆନ୍ଦୋଳନ ପାଇଁ ସି.ପି.ଆଇ.(ଏମ୍)ର ଆହ୍ୱାନ
ଭୁବନେଶ୍ୱର,୧୨ ସେପ୍ଟେମ୍ବର – ଦେଶରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା, ଜନ ବିରୋଧୀ ସମ୍ବିଧାନ ସଂଶୋଧନ ଓ ଆଦିବାସୀମାନଙ୍କ ଜମି ଅଧିକାର ଉପରେ ମୋଦି ସରକାର ପକ୍ଷରୁ ହେଉଥିବା ଆକ୍ରମଣ ବିରୁଦ୍ଧରେ ଜନ ସଚେତନତା ସୃଷ୍ଟି କରିବାକୁ ସି.ପି.ଆଇ.(ଏମ୍)ର ରାଜ୍ୟ ସ୍ତରୀୟ କର୍ମଶାଳାରେ ଆହ୍ୱାନ ଦିଆଯାଇଛି ।
ବରିଷ୍ଠ ସମ୍ପାଦକମଣ୍ଡଳୀ ସଭ୍ୟ ଜନାର୍ଦ୍ଦନ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଲେ ଯେ ମୋଦି ସରକାର ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ସପକ୍ଷପତି ନବ୍ୟ ଉଦାରବାଦୀ ନୀତି ଅନୁସରଣ କରିବା ପରେ ବିଶେଷ କରି ବିମୁଦ୍ରାୟନ ଓ ଜି.ଏସ୍.ଟି. ଲାଗୁ କରିବା ଫଳରେ ଦେଶରେ ଗୁରୁତର ଆର୍ଥୀକ ମନ୍ଦି ଅବସ୍ଥା ଦେଖାଦେଇଛି । ଏଥି ସହ କେନ୍ଦ୍ର ସରକାର ରେଳବାଇ ପ୍ରତିରକ୍ଷା, ବ୍ୟାଙ୍କ୍, ବୀମା, ଇସ୍ପାତ୍ , ଖଣି, କୋଇଲା ଆଦି କ୍ଷେତ୍ରରେ ବ୍ୟାପକ ଘରୋଇକରଣ ଓ ଆଉଟ୍ସୋର୍ସିଂ ନୀତି ଚଳାଇବା ଫଳରେ ବେକାରୀ ସମସ୍ୟା ବ୍ୟାପକ ଆକାର ଧାରଣ କରିଛି ।
ଏହି ବାର୍ତାକୁ ଜନଗଣଙ୍କ ପାଖକୁ ନେଇଯିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଶ୍ରୀ ପତି କହିଲେ ଯେ ମୋଦି ସରକାର ସନ୍ତ୍ରାସବାଦକୁ ସାମନା କରିବା ନାଁରେ ଉଗ୍ର ଜାତୀୟବାଦର ପ୍ରଚାର ଚଳାଇ ବସ୍ତୁତଃ ଏକଛତ୍ରବାଦ ସନ୍ତ୍ରାସବାଦ ଓ ଫାସିବାଦୀ ଶାସନ ଆଡେ ମୁହାଁଇଛନ୍ତି । ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ମହିଳାମାନଙ୍କ ଅଧିକାର ଉପରେ ଆକ୍ରମଣ କରୁଛନ୍ତି । ଏହି ଚ୍ୟାଲେଞ୍ଜକୁ ସମାନା କରିବା ପାଇଁ ଜନସାଧାରଣଙ୍କ ପାଖକୁ ଯାଇ ତାଙ୍କୁ ବାସ୍ତବତା ବିଷୟରେ ବୁଝାଇବାକୁ ପଡିବ । ଏହି ପରିପ୍ରେକ୍ଷୀରେ “ସମ୍ବିଧାନ ପ୍ରତାରିତ କାଶ୍ମୀର ପ୍ରତି ବିଶ୍ୱାସ ଘାତକତା” ଶୀର୍ଷକ ଏକ ପୁସ୍ତକର ଲୋକାର୍ପଣ ଏହି କର୍ମଶାଳାରେ କରାଯାଇଥିଲା ।
ଏହି ସଭାରେ ପାର୍ଟିର ବରିଷ୍ଠ ନେତା ଶ୍ରୀ ଶିବାଜୀ ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ସନ୍ତୋଷ ଦାସ, ଦୁଷ୍ମନ୍ତ ଦାସ, ବିଷ୍ଣୁ ମହାନ୍ତି, ସୁରେଶ ପାଣିଗ୍ରାହୀ, ନିର୍ମଳ ନାୟକ, ଶିଶିର ହୁଇ ଓ ପୁଷ୍ପା ଦାଶ ପ୍ରମୁଖ ଉପସ୍ଥିତି ଥିଲେ ।