Connect with us

ଆଞ୍ଚଳିକ

ଆଦିବାସୀ ମେଳାର ଷଷ୍ଠ ସନ୍ଧ୍ୟା

ସାଙ୍କେତିକ

ଆଦିବାସୀ ମେଳାର ଷଷ୍ଠ ସନ୍ଧ୍ୟା
ଗୃହିଣୀ ମାନଙ୍କ ଆକର୍ଷଣର କେନ୍ଦ୍ର ଆଦିବାସୀ ହାଟ
ଭୁବନେଶ୍ୱର, ୩୧ ଜାନୁଆରୀ – ସ୍ୱାଧୀନତା ପ୍ରାପ୍ତି ପରେ ଆଦିବାସୀ ଜନସଂଖ୍ୟାର ଏକ ବିଶାଳ ବର୍ଗକୁ ପ୍ରଗତିର ସ୍ରୋତରେ ସାମିଲ କରିବା ପାଇଁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ କାର୍ଯ୍ୟକାରୀ କରାଯାଉଛି ଅନେକ ଗୁଡ଼ିଏ ଜନମଙ୍ଗଳକାରୀ ଯୋଜନା । ଏହାଫଳରେ ଜନଜାତି ବର୍ଗର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବା ସହିତ ଜୀବନଧାରଣ ମାନରେ ଆସିଛି ଯଥେଷ୍ଟ ପରିବର୍ତନ । ସାମଗ୍ରିକ ଭାବରେ ଆଦିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ବାଣିଜ୍ୟିକ କ୍ଷେତ୍ରରେ ଘଟିଥିବା ପ୍ରଗତି ଓ ପରିବର୍ତନର ନିଖୁଣ ଚିତ୍ର ପ୍ରତିଫଳିତ ହୋଇଛି ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳାର ମଣ୍ଡପ ଗୁଡ଼ିକରେ ।

ରାଜ୍ୟର ଜନଜାତି ବର୍ଗ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଗୁଡ଼ଇକର ବଜାର ଚାହିଦା ଆଶାତୀତ ଭାବରେ ବୃଦ୍ଧି ପାଇଛି । ସହରାଂଚଳରେ ଏହି ସବୁ ସମାଗ୍ରୀ ଉପଲବ୍ଧ ହେବା କଷ୍ଟକର ହେଉଥିବାରୁ ଏକ ବର୍ଷ ବ୍ୟବଧାନରେ ରାଜଧାନୀକୁ ଆସିଥିବା ଆଦିବାସୀ ମେଳା ଏଥିପାଇଁ ସୃଷ୍ଟି କରିଛି ଏକ ସୁବର୍ଣ୍ଣ ସୁଯୋଗ । ଆଦିାସୀ ସମାଜ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକ ବିଶୁଦ୍ଧ ଏବଂ ଏଥିରେ ଜୈବିକ ଗୁଣ ଏଯାବତ୍ ଅକ୍ଷୁର୍ଣ୍ଣ ରହିଛି ବୋଲି ଲୋକଙ୍କ ମନରେ ଯେଉଁ ଦୃଢ଼ ଧାରଣା ରହିଛି, ତାହାହିଁ ରାଜଧାନୀ ବାସୀଙ୍କୁ ଆକର୍ଷିତ କରୁଛି ଆଦିବାସୀ ମେଳାକୁ । ସଂଜ ନଇଁ ଆସିବା କ୍ଷଣି ଗୃହୀଣି ମାନଙ୍କ ଲମ୍ବା ଧାଡ଼ି ଛୁଟୁଛି ମେଳା ମଣ୍ଡପକୁ ଏବଂ କିଛି ମୁହୂର୍ତ ପାଇଁ ଚଳ ଚଂଚଳ ହୋଇ ଉଠୁଛି ଆଦିବାସୀ ହାଟ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଏହି ହାଟରେ କିଣାବିକା ଆଉ ଗହଳି ଚହଳି ଅନ୍ୟ ସମସ୍ତ ଷ୍ଟଲ ଠାରୁ ଅଧିକ ହେଉଥିବାର ଦେଖା ଯାଉଛି । କେଉଁ ଅଂଚଳର ସାମଗ୍ରୀର କି ପ୍ରକାର ଗୁଣାତ୍ମକ ମାନ ରହିଛି, ସେ ସମ୍ପର୍କରେ ରାଜଧାନୀର ଗୃହିଣୀ ମାନଙ୍କର ପୂର୍ବରୁ ଧାରଣା ଥିବାରୁ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଯ ଷ୍ଟଲ ଆଗରେ ସେମାନେ ବେଶ୍ ଭିଡ଼ ଜମାଉ ଥିବାର ଦେଖାଯାଉଛି ।

ଆଦିବାସୀ ମାନଙ୍କ ଦ୍ୱାରା ଉତ୍ପାଦିତ ଖାଦ୍ୟଶସ୍ୟ ଯଥା ବାସୁମତି ଚାଉଳ, ମୁଗ, ବିରି, ମାଣ୍ଡିଆ, ପାଳୁଅ, ରାଶି ଆଦି କିଣିବାକୁ ଗୃହିଣୀଙ୍କ ଯେତିକି ଆଗହ ଲକ୍ଷ୍ୟ କରାଯାଉଛି, ସେତିକି ଆଗ୍ରହ ରହୁଛି ମହୁ, ଲାଖ, ଝୁଣା, ହରିଡ଼ା, ବାହାଡ଼ା, ଅଁଳା ଆଦି ଲଘୁ ବନଜାତ ସମାଗ୍ରୀ ବିକ୍ରି ହେଉଥିବା ଷ୍ଟଲ ଗୁଡ଼ଇକୁ ବୁଲିବା ପାଇଁ । ସେହିପରି ଆଦିବାସୀ ନରନାରୀ ପ୍ରସ୍ତୁତ କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯଥା – ବଡ଼ି, ପାମ୍ପଡ଼, ହଳଦିଗୁଣ୍ଡ, ଆଚାର ଆଦି କିଣିବାକୁ ସହରୀ ଗରାଖଙ୍କ ଭିଡ଼ କିଛି କମ୍ ହେଉ ନାହିଁ । ଆଦିବାସୀ ହାଟରେ ଖୋଲିଥିବା ପିଣ୍ଡି ଗୁନିକ ଉପରେ ଆଇ,ଟି.ଡି.ଏ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ ବିଭିନ୍ନ ସମାଗ୍ରୀର ପସରା ମେଲାଇ ଦେଇଛନ୍ତି । ଗୃହିଣୀମାନେ ଆଉ ଯାହା କିଣନ୍ତୁ ବା ନ କିଣନ୍ତୁ, ହାତରେ ଗୋଟିଏ ଫୁଲଝାଡ଼ୁ ବା ହଳଦୀ ଗୁଣ୍ଡ ପ୍ୟାକେଟ ଧରି ମେଳାରୁ ଫେରୁଥବବା ଦୃଶ୍ୟ ବେଶ୍ ଉପଭୋଗ୍ୟ ହେଉଛି । ମୋଟାମୋଟି ଭାବରେ ଆଦିବାସୀ ହାଟ ରାଜଧାନୀର ସହରୀବାବୁ ଓ ଗୃହିଣୀଙ୍କୁ ମନୋରଂଜନର ଭରପୂର ଖୋରାକ୍ ଯୋଗାଇ ପାରୁଛି ।

ଆଜି ଷଷ୍ଠ ସନ୍ଧ୍ୟାରେ ଜାତୀୟ ଆଦିବାସୀ ନୃତ୍ୟ ଉତ୍ସବ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଶୀତ ସଂଧ୍ୟାକୁ ମନଭରି ଉପଭୋଗ କରିଥିଲେ ହଜାର ହଜାର ଦର୍ଶକ । ନାନା ରଂଗର ପୋଷାକ ପିନ୍ଧି ବିଶାଳ ମଂଚ ଉପରେ ନୃତ୍ୟ ପରିବେଷଣ କରୁଥିବା କଳାକାର ମାନେ ଦର୍ଶକମାନଙ୍କର ମନ ମୋହି ନେଇଥିବାର ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ