ପାଟନା : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଅଧ୍ୟକ୍ଷ ଉପନ୍ଦ୍ରେ କୁଶୱାହା ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ଛାଡ଼ି ବିରୋଧୀଙ୍କ ମହାମେଣ୍ଟରେ ସାମିଲ ହେବେ ବୋଲି ସଂକେତ ଦେଇଛନ୍ତି। ଶନିବାର ପାଟନାଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ କୁଶୱାହ କହିଥିଲେ ଯେ ଯଦୁବଂଶୀ (ଯାଦବ)ଙ୍କ କ୍ଷୀର ଏବଂ କୁଶବଂଶୀ (କୋଇରୀ ସମୁଦାୟ)ଙ୍କ ଚାଉଳ ମିଶିଗଲେ ଭାରି ବଢିଆ ଖିରି ହେବ, ଆଉ ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତିରେ କେହି ପ୍ରତିବନ୍ଧକ ହୋଇ ପାରିବେ ନାହିଁ।
ନରେନ୍ଦ୍ର ମୋଦୀଙ୍କ ସରକାରରେ ମନ୍ତ୍ରୀ ଥିବା କୁଶୱାହାଙ୍କ ଏହି ଟିପ୍ପଣୀର ବିଭିନ୍ନ ଅର୍ଥ ବାହାର କରାଯାଉଛି। ଆରଜେଡିକୁ ଯଦୁବଂଶୀ ଦଳ ବୋଲି କୁହାଯାଉଥିବାରୁ କୁଶୱାହଙ୍କ ଏହି ଟିପ୍ପଣୀ ସିଧା ସଳଖ ଆରଜେଡି ଉଦ୍ଦେଶ୍ୟରେ ଥିଲା ବୋଲି କୁହାଯାଉଛି। ଯଦୁବଂଶୀ ସମାଜ ପରମ୍ପରାଗତ ଗୋ ପାଳକ ଏବଂ କୁଶୱାହ ସମାଜ ଚାଷ ସହ ସମ୍ପର୍କ ରଖିଥାନ୍ତି। ତେଣୁ ଆରଜେଡି ଏବଂ ଲୋକ ସମତା ପାର୍ଟି ଏକ ହୋଇଗଲେ ୨୦୧୯ ଲୋକସଭା ନିର୍ବାଚନରେ ବିହାରରେ ସେମାନେ ବିଜେପି, ଜେଡିୟୁ ଏବଂ ଏଲ୍ଜେପିକୁ ହରାଇ ପାରିବେ ବୋଲି କୁଶୱାହା ସଂକେତ ଦେଇଛନ୍ତି ବୋଲି କେତେକ ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି।
ଉପନ୍ଦ୍ରେ କୁଶୱାହାଙ୍କ ଏହି ଟିପ୍ପଣୀକୁ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱାଗତ କରିଛନ୍ତି। କିନ୍ତୁ ଏନ୍ଡିଏ ର ସହଯୋଗୀ ମାନେ ଦ୍ଵନ୍ଦ ରେ ଅଛନ୍ତି l ଯଦି ଉପନ୍ଦ୍ରେ କୁଶୱାହାଙ୍କ ଆଭିମୁଖ୍ୟ ସତ୍ୟ ହୋଇଥାଏ ତେବେ ବିହାର ରାଜନୀତିରେ ଆଗାମୀ ଦିନଗୁଡ଼ିକରେ ରାଜନୈତିକ ହଟ ଚମଟ ଦେଖିବାକୁ ମିଳିବ l