ଜନତା କଂଗ୍ରେସ ସହ ମେଣ୍ଟ କରିବ ବିଏସପି
ରାୟପୁର,୨୦ା୯ : ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ବିରୋଧୀ ଦଳକୁ ଏକଜୁଟ କରିବାରେ ଜୁଟିଥିବା କଂଗ୍ରେସକୁ ବିଏସପି ଦେଇଛି ଜୋରଦାର ଝଟକା । ବିଏସପି ସୁପ୍ରିମୋ ମାୟାବତୀ ଛତିଶଗଡ଼ର ଅଜିତ ଯୋଗୀଙ୍କ ପାର୍ଟି ‘ଛତିଶଗଡ଼ ଜନତା କଂଗ୍ରେସ’ ସହିତ ମେଣ୍ଟ କରିବାକୁ ଘୋଷଣା କରିଛି ।
ଅନ୍ୟପଟେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ବିଏସପି ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ଛତିଶଗଡ଼ରେ ଅଜିତ ଯୋଗୀଙ୍କ ସହିତ ମେଣ୍ଟ କରିବାର ଘୋଷଣା କରି ମାୟାବତୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ମେଣ୍ଟ ଆଧାରରେ ଆମେ ଛତିଶଗଡ଼ର ୩୫ଟି ସିଟରେ ନିର୍ବାଚନ ଲଢ଼ିବୁ । ଅଜିତ ଯୋଗୀଙ୍କ ପାର୍ଟି ୫୫ଟି ସିଟରେ ନିର୍ବାଚନ ଲଢ଼ିବ । ଯଦି ବିଧାନସଭା ନିର୍ବାଚନରେ ପାର୍ଟି ବିଜୟୀ ହୁଏ ତେବେ ଯୋଗୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।
ଅପର ପକ୍ଷେ ପାର୍ଟି ରାଜସ୍ଥାନ ଓ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ବଡ ଘୋଷଣା କରିଛି । ଦଳ ଦୁଇଟି ରାଜ୍ୟରେ ସମସ୍ତ ସିଟରେ ଏକାକୀ ନିର୍ବାଚନ ଲଢ଼ିବ । କୁହାଯାଉଛି ଯେ, ବିଏସପି ଏହା ଜରିଆରେ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ନିଜର ପ୍ରସ୍ତୁତିର ଆକଳନ କରିବାକୁ ଚାହିଁବ । ବିଏସପି ସୁପ୍ରିମୋ ମାୟାବତୀଙ୍କ ସହିତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଯୋଗୀ ରାଜ୍ୟର ବିଜେପି ସରକାରଙ୍କୁ ନିଶାଣ କରିଛନ୍ତି ।
ଯୋଗୀ କହିଛନ୍ତି ଯେ, ବିଜେପି ୧୫ ବର୍ଷରୁ କ୍ଷମତାରେ ରହିଛି । ଏବେ ଏହି ଦଳ କ୍ଷମତା ଓ ପ୍ରଶାସନିକ କଳର ଦୁରୁପଯୋଗ କରି ପୁଣିଥରେ କ୍ଷମତାସୀନ ହେବାକୁ ଚେଷ୍ଟା କରୁଛି । ମାତ୍ର ଏହା ଏବେ ସମ୍ଭବ ନୁହେଁ । ଆମେ ବିଏସପି ସହିତ ମେଣ୍ଟ କରିଛୁ ଏବଂ ଆମେ ଆଶା ରଖିଛୁ ଯେ, ବିଜେପିକୁ ରୋକି ପାରିବୁ ।
ଉଲ୍ଲେଖଯୋଗ୍ୟ ଯେ, ମାୟାବତୀ ପୂର୍ବରୁ ସଙ୍କେତ ଦେଇଥିଲେ ଯେ, ସମ୍ମାନଜନକ ସିଟ୍ ମିଳିଲେ ଯାଇ ମେଣ୍ଟ ସମ୍ଭବ ଅଟେ l ବିଏସପି ସୁପ୍ରିମୋ କହିଥିଲେ ଯେ, ଦଳ କୌଣସି ଜାଗାରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ । ମାତ୍ର ଏହା ତେବେ ସମ୍ଭବ ଯେବେ ଦଳକୁ ସମ୍ମାନଜନକ ସିଟ୍ ମିଳିବ ।