ତାମିଲନାଡୁ ,୩୦।୮: ଡିଏମ୍କେରୁ ବହିଷ୍କୃତ ହୋଇଥିବା ନେତା ଏମ୍ କେ ଆଲାଗିରି କହିଛନ୍ତି ଯେ, ତାଙ୍କ ସାନ ଭାଇ ଏମ୍କେ ଷ୍ଟାଲିନଙ୍କୁ ନେତା ମାନିବାରେ ତାଙ୍କର କୌଣସି ଆପତ୍ତି ନାହିଁ। ଯଦି ତାଙ୍କୁ ଦଳ ପୁଣି ଥରେ ଗ୍ରହଣ କରେ ତେବେ ସେ ଷ୍ଟାଲିନଙ୍କୁ ନେତା ମାନିନେବେ। ଗୁରୁବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ଅବସରରେ ସେ ଏହା କହିଛନ୍ତି।
ସୂଚନାଯୋଗ୍ୟ ଯେ , ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳର ସଭାପତି କିଏ ହେବ ତାକୁ ନେଇ ଚାଲିଥିଲା ଟଣା ଓଟରା। ପୂର୍ବରୁ ପିତାଙ୍କ ଜୀବିତାବସ୍ଥାରେ ଦଳର କାର୍ଯ୍ୟକାରୀ ସଭାପତି ଭାର ସମ୍ଭାଳିଥିବା କରୁଣାନିଧିଙ୍କ ସାନ ପୁଅ ଏମ୍କେ ଷ୍ଟାଲିନ ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଏହା ପୂର୍ବରୁ ଦୁଇଭାଇ ଆଲାଗିରି ଓ ଷ୍ଟାଲିନଙ୍କ ଭିତରେ ବିବାଦ ଲାଗି ରହିଥିଲା । ୨୦୧୪ରେ ଦଳରୁ ବହିଷ୍କୃତ ହୋଇଥିବା ଆଲାଗିରି ଏବେ କିନ୍ତୁ ଦଳକୁ ଫେରିବାକୁ ଚାହୁଁଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।