
୧୦୬ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କଲେ ଉପରାଷ୍ଟ୍ରପତି l
ଭୁବନେଶ୍ୱର : ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ସ୍ୱାଗତ କରିଥିଲେ । ପରେ ସେଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ (ଏମ୍ସ) ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଆରେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ । ଏମ୍ସର ପ୍ରଥମ ସମାବର୍ତନ ଉତ୍ସବରେ ପ୍ରଥମେ ସେ ଓଡ଼ିଆରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଭଲ ଲାଗେ ବୋଲି କହିଥିଲେ । ଏଥିସହ ଓଡିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ ବୋଲି ବକ୍ତବ୍ୟ ଦେଇଥିଲେ ।
ନିଜର ଅଭିଭାଷଣରେ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ସହ ସ୍ୱଚ୍ଛତାର ପାଠ ପଢାଇଥିଲେ ଉପରାଷ୍ଟ୍ରପତି । ସ୍ୱାସ୍ଥ୍ୟ ସହ ସ୍ୱଚ୍ଛତାର ସଂପର୍କ ରହିଛି । ତେଣୁ ଶରୀର ଓ ମନରେ ସ୍ୱଚ୍ଛତା ଆବଶ୍ୟକ । ଡାକ୍ତର ଦ୍ୱିତୀୟ ଭଗବାନ, ଡାକ୍ତରୀ ପେସା ମହାନ। ଏହି ପେସାରେ କମିସନି କାରବାରର ସ୍ଥାନ ନାହିଁ। ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପଂହଚାଇବା ଦିଗରେ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଥିଲେ ଭେଙ୍କେୟା ନାଇଡୁ । ଏମ୍ସ ସମାବର୍ତନ ଉତ୍ସବରେ ମୋଟ ୧୦୬ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ ଉପରାଷ୍ଟ୍ରପତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
