ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ
ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୨୯ା୧୧: ଭାରତୀୟ ତୈଳ ନିଗମ ଓ ଓଡିଶା ସରକାରଙ୍କ ଇଡକୋ ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାର ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏହି ପତ୍ରରେ କହଛନ୍ତି ଯେ ଆସନ୍ତା ଫେବୃଆରୀ ୨୦୧୯ ସୁଦ୍ଧା ପାରାଦୀପ ତୈଳ ବିଶୋଧନାଗାରରୁ ପଲିପ୍ରପିଲିନ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ । ଏହା ସହ ପାରାଦୀପ ପ୍ଲାଷ୍ଟିକ ପାର୍କ ଏହି ପ୍ରକଳ୍ପରୁ କଂଚା ମାଲ ପାଇ ପାରିବ ବୋଲି ଏହି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତିା ମାତ୍ର ଏହି ସମୟ ସୁଦ୍ଧା ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ନହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବା ଆଶଙ୍କା ଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି । ଭାରତୀୟ ତୈଳ ନିଗମ ଓ ଇଡକୋର ଜଏଂଟ ଭେଂଚର ତୁରନ୍ତ ପ୍ରସ୍ତୁତ ହେଲେ ହିଁ ପୁଂଜିନିବେଶକାରୀ ମାନଙ୍କର ଆବଶ୍ୟକତାକୁ ପୂରଣ କରା ଯାଇ ପାରିବ ଓ ଏହି କାମକୁ ତ୍ୱରାନ୍ୱିତ କରା ଯାଇ ପାରିବ ବୋଲି ଶ୍ରୀ ପ୍ରଧାନ ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ।
ଏହି ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇତି ମଧ୍ୟରେ ଭାରତୀୟ ତୈଳ ନିଗମ ଓଡିଶା ସରକାରଙ୍କୁ ସାମିଲ କରି ଚେନ୍ନାଇ, କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱର ଆଦି ସ୍ଥାନରେ ପୁଂଜି ନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ରୋଡ ସୋ ଆୟୋଜିତ କରିଛି । ଏହା ଦ୍ୱାରା ଅନେକ ପୁଂଜିନିବେଶକାରୀ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପୁଂଜିନିବେଶ ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଛଅଟି ପୁଂଜିନିବେଶକାରୀ କମ୍ପାନୀ ପ୍ରକଳ୍ପ ପାଇଁ ଭୂମି ଯୋଗାଇ ଦେବାକୁ ଆବେଦନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଇତି ମଧ୍ୟରେ ଭାରତୀୟ ତୈଳ ନିଗମ ଅଗଷ୍ଟ ୨୦୧୮ରୁ ଇଡକୋ ସହ ଜଏଂଟ ଭେଂଚର ପାଇଁ ନୀତି ଆୟୋଗର ଏନଓସି ଲାଭ କରି ସାରିଛି । ଏହାର ନାମ ପାରାଦୀପ ପ୍ଲାଷ୍ଟିକ ପାର୍କ ଲିମିଟେଡ ରହିବ ଓ ଏଥି ପାଇଁ ସାର ଓ ରସାୟନ ମନ୍ତ୍ରଣାଳୟ ଭିତିଭୂମି ନିର୍ମାଣ ପାଇଁ ୪୦ କୋଟି ଟଙ୍କା ମଂଜୁର କରି ସାରିଛି । ଏହି ପ୍ରକଳ୍ପ ପାଇଁ ଜଏଂଟ ଭେଂଚର ସ୍ୱାକ୍ଷର ପାଇଁ ଓଡିଶା ସରକାର ଅନୁମତି ଦେବା ମାତ୍ରେ ଆଇଓସିଏଲ ୩୨.୭୨ କୋଟି ଟଙ୍କା ଇକ୍ୟୁଟି ରାଶି ପ୍ରଦାନ କରିବ ବୋଲି ଏହି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ଏହି ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ୧୬ ନଭେମ୍ବର, ୨୦୧୭ରେ ରାଜ୍ୟ ସରକାରଙ୍କର ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ତଥା ତାଙ୍କ ନିଜ ଉପସ୍ଥିତିରେ ପେଟ୍ରୋକେମିକାଲ ଇନଭେଷ୍ଟର ସମ୍ମିଳନୀରେ ଏହି ପ୍ଲାଷ୍ଟିକ ପାର୍କ ପାଇଁ ସହମତି ହୋଇଥିଲା ।
ଭାରତୀୟ ତୈଳ ନିଗମ, ଇଡକୋର ଅନୁରୋଧ କ୍ରମେ ଏହି ପ୍ରକଳ୍ପରେ ଅଂଶୀଦାର ହେବା ପାଇଁ ସହମତି ପ୍ରଦାନ କରିଥିଲା । ମିଳିତ ଭାବେ ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ଏକ ସ୍ପେଶାଲ ପର୍ପସ ଭେହିକଲ ଗଠନ ପରେ ଇଣ୍ଡିଆନ ଅଏଲ ଓ ଇଡକୋର ମିଳିତ ଉଦ୍ୟମରେ ଏକ ନୂଆ ଜଏଂଟ ଭେଂଚର ବୋର୍ଡ ଗଠନ ପାଇଁ ନିଷ୍ପତି ହୋଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ତୈଳ ନିଗମ ବିଭିନ୍ନ ପୁଂଜିନିବେଶ ସମ୍ମିଳନୀରେ ଇଡକୋକୁ ସାମିଲ କରିଛି । ଗତ ସେପ୍ଟେମ୍ବର ମାସରେ ସୁରଟ ଠାରେ ଇଡକୋ ଓ ଇପିକଲକୁ ଅଂଶଗ୍ରହଣ ପାଇଁ ମଧ୍ୟ ନିମନ୍ତ୍ରିତ କରିଥିଲା । ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି ।