ଓଡ଼ିଶାକୁ ଦକ୍ଷିଣ ଏସିଆରେ ମ୍ୟାନୁଫାକଚରିଂ ହବ୍ କରିବାକୁ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୩ା୮ : ପୂର୍ବ ଭାରତରେ ଓଡ଼ିଶା ମ୍ୟାନୁଫ୍ୟାକଚରିଂ ହବ୍ ହେବାକୁ ଯାଉଛି । ଭବିଷ୍ୟତରେ ଦକ୍ଷିଣ ଏସିଆରେ ଓଡ଼ିଶାକୁ ମ୍ୟାନୁଫାକଚରିଂ ହବ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଆମ ସରକାର ୩-ଟି (ଟ୍ରାନ୍ସପରେନନ୍ସି, ଟିମ୍ ୱାର୍କ ଓ ଟେକ୍ନୋଲୋଜି) ଉପରେ ଗୁରୁତ୍ୱ ଦେଇଛି ଏବଂ ପ୍ରଗତିଶୀଳ ନୀତି ଘୋଷଣା କରିଛି । ଆଜି ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ କହିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟଠାରେ ଭିଡିଓ କନଫରେନ୍ସିଂ ଜରିଆରେ ୨ଟି ପ୍ରକଳ୍ପ ଉଦଘାଟନ କରିଛନ୍ତି । ଏହାସହ ୧୩ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଥିରେ ୨,୯୦୧ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ ଏବଂ ୩,୦୯୧ ନିଯୁକ୍ତି ସୃଷ୍ଟି ହେବ । ଉଦଘାଟିତ ହୋଇଥିବା ପ୍ରକଳ୍ପ ୨ଟି ହେଲା ବଲାଙ୍ଗିର ପାଟଣାଗଡ଼ ଠାରେ ୧୦ ମେଗାୱାଟ ସୋଲାର ପ୍ଲାଣ୍ଟ କରାଯିବ । ଏଥିରେ ୫୭.୧୭ କୋଟି ବିନିଯୋଗ ହେବ । ଏଥିରେ ୧୫ଜଣଙ୍କୁ ନିଯୁକ୍ତି ମିଳିବ । ଜ୍ୟୋତି ସୋଲାର ସଲ୍ୟୁସନ ଏହି ପ୍ରକଳ୍ପ କରିବ । ସେହିପରି ଗଞ୍ଜାମ ଜିଲ୍ଲାରେ ଜୟଶ୍ରୀ ଠାରେ ୩୩ ହଜାର ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ କଷ୍ଟିକ୍ ସୋଢ଼ା ପ୍ଲାଣ୍ଟ କରାଯିବ । ଏଥିରେ ୧୧୦ କୋଟି ଟଙ୍କା ବିନିଯୋଗ କରାଯିବ । ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଏହି ପ୍ରକଳ୍ପ କରିବ ଏବଂ ଏଥିରେ ୧୦୩ଜଣ ନିଯୁକ୍ତି ପାଇବେ ।
ଅପରପକ୍ଷରେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ସିମେଣ୍ଟ, ପ୍ରାଇଭେଟ୍ ରେଲୱେ ସାଇଡିଂ, କପ୍ ଉତ୍ପାଦନ, ୱେୟାର ଡ୍ରଇଂ ଆଲୁମିନିୟମ, ଇନସୁଲେଟେଡ୍ ୱେୟାର କେବଲ୍ସ, କୁକୁଡା ଖାଦ୍ୟ ଓ ମାଛ ଶୀତଳୀକରଣ ଭଣ୍ଡାର, ଲଜିଷ୍ଟିକ୍ ଆଣ୍ଡ ୱେୟାର ହାଉସିଂ, ପିଭିସି ଓଏଚ୍ଡି ପାଇପ୍ ଫିଟିଂ, ପ୍ଲାଷ୍ଟିକ୍ ପାର୍କ ୱେଭେନ୍, ସଫ୍ଟୱେୟାର ଡେଭଲପମେଣ୍ଟ, ପେପର ପ୍ୟାକ୍ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଳ୍ପ ସ୍ଥାପନ ପାଇଁ ଅନୁକୂଳ ବାତାବରଣ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବ ଉପକୂଳକୁ ଅର୍ଥନୈତିକ କରିଡର କରିବା ପାଇଁ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଉପରେ ପ୍ରାଧାନ୍ୟ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୦୧୬ରେ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୨ଲକ୍ଷରୁ ଊଦ୍ଧ୍ୱର୍ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପୁଞ୍ଜି ନିବେଶକାରୀମାନେ ଆଗ୍ରହ ପ୍ରକାଶ କରିଥିଲେ । ସେଥିମଧ୍ୟରୁ ୬୫ ପ୍ରତିଶତ ପ୍ରକଳ୍ପକୁ ବିଭିନ୍ନ ସ୍ତରରେ ମଞ୍ଜୁରୀ ଦିଆଯାଇ କାର୍ଯ୍ୟକାରୀ କରାଯାଇଛି ।
ଆସନ୍ତା ନଭେମ୍ବରରେ ଆୟୋଜିତ ହେବାକୁ ଯାଉଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଜାପାନ୍ ଅଂଶୀଦାର ହେବ । ଏହାଦ୍ୱାରା ଓଡ଼ିଶା-ଜାପାନ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇବ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।