
୩୪,୬୫୧ଟି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ
ଭୁବନେଶ୍ୱର :- ରାଜ୍ୟରେ ଥିବା ମୋଟ ୭୨,୫୮୭ ଅଙ୍ଗନୱାଡି କେନ୍ଦ୍ର ରହିଥିବା ବେଳେ ସେଥିମଧ୍ୟରୁ ୩୪,୬୫୧ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ୧୩,୫୬୬ଟି କେନ୍ଦ୍ରର ଗୃହ ନିର୍ମାଣଧୀନ ରହିଛି । ୧୨,୧୫୬ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି । ବଳକା ୮,୯୨୯ କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଗ୍ରାମାଂଚଳରେ ଏମଜି ନରେଗା ସହାୟତାରେ ଏବଂ ସହରାଂଚଳରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଗୃହ ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି ।
ସଭ୍ୟା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଶ୍ରୀ ସାମଲ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରୁ ବାକି ଥିବା ଅଙ୍ଗନୱାଡି ଗୃହ ନିର୍ମାଶ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଶ୍ରୀ ସାମଲ ଦେଇଥିବା ତଥ୍ୟରୁ ଜଣାଯାଇଛି ଯେ ଗଂଜାମ ଜିଲ୍ଲାରେ ସର୍ବାଧିକ ୨୯୬୪ ଟି ଅଙ୍ଗନବାଡୀ କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ବାଲେଶ୍ୱରରେ ୨୮୫୪ ,କଟକରେ ୨୩୨୫, ଯାଜପୁରରେ ୧୯୮୨,ପୁରୀରେ ୧୯୮୭, ଭଦ୍ରକରେ ୧୬୦୫, ବରଗଡରେ ୧୫୮୬, ଗଜପତିରେ ୧୧୯୪, ଜଗତସିଂହପୁରରେ ୧୨୨୫ , କେନ୍ଦ୍ରାପଡାରେ ୧୬୦୭ , କେନ୍ଦୁଝରରେ ୧୩୦୦, ଖୋର୍ଦ୍ଧାରେ ୧୬୪୮ , କୋରାପୁଟରେ ୧୨୪୪, ମୟୁରଭଂଜରେ ୧୩୬୨ ଓ ସୁନ୍ଦରଗଡର ୧୩୨୨ ଟି ଅଙ୍ଗନବାଡିର ନିଜସ୍ୱ ଗୃହ ନାହିଁ ।
