
୨୫ ଲକ୍ଷ ବିଦ୍ୟୁତ୍ ଗ୍ରାହକଙ୍କ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର : ବିଜେପି
ଭୁବନେଶ୍ୱର,୨୦ା୧୨ : ରାଜ୍ୟରେ ବିଜୁଳି ବିତରଣ ପାଇଁ ଘରୋଇ କମ୍ପାନୀଙ୍କୁ ଠିକା ଦେବାରେ ହୋଇଥିବା ବିଡିଙ୍ଗ ପ୍ରକ୍ରିୟାରେ ରାଜ୍ୟ ସରକାର ଜାଣିଶୁଣି କୋହଳତା କରି ଏକ ନିର୍ଦ୍ଧିଷ୍ଟ କମ୍ପାନୀକୁ ସୁହାଇଲାଭଳି ନିୟମ କରିଛନ୍ତି । ବିଜୁଳି ବିତରଣ ଭଳି ଗୁରୁତ୍ୱପୂର୍ଣ ସେବା କ୍ଷେତ୍ରରେ ଏକ ଅନାମଧ୍ୟେୟ କଂପାନୀ ହାତରେ ବିଜୁଳି ବିତରଣକୁ ଟେକି ଦିଆଯାଇଛି । ସେସୁର ଚେୟାରମ୍ୟାନ ବିଜୁଳି ବିତରଣ କମ୍ପାନୀ ପରିଚାଳନାର ଭାର ଏକ ନିଦିଷ୍ଟ କମ୍ପାନୀକୁ ଦେଇ ସେହି ଦୁର୍ନିତିର ଷଡଯନ୍ତ୍ରର ଅଙ୍ଗ ଭାବେ ୧୦୦୦ କୋଟିର ଡିଲ କରିଛନ୍ତି ବୋଲି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଏହି ଡିଲ ଅର୍ଥ ଶାସକ ବିଜୁ ଜନତା ଦଳର ନିର୍ବାଚନୀ ପାଣ୍ଠି ଭାବରେ ଖର୍ଚ୍ଚ ହେବ ବୋଲି ଡ. ସାମନ୍ତସିଂହାର କହିଛନ୍ତି । ସେ କହିଛନ୍ତି ଯେ, ଏଭଳି ଭାବେ ନିୟମ କରାଯାଇଛି ଯେପରି ଭାବେ ଦେଶର ବଛା ବଛା ଶକ୍ତି ବିତରକ କମ୍ପାନୀମାନେ ସେହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇପାରିବେନି । ଭାରତରେ ଟାଟା ପାଫ୍ୱାର, ରିଲାଏନ୍ସ, ଆଦାନୀ, ଟୋରେଟଂ, ସିଇଏସସିଙ୍କ ସହ ଅନେକ ବଡ ବଡ ଏବଂ ଅଭିଜ୍ଞତା ସଂପନ୍ନ କଂପାନୀ ଥିବାବେଳେ ରାଜ୍ୟସରକାର କାହିଁକି ଯେଉଁ କପାଂନୀର ଅଭିଜ୍ଞତା ନାହିଁ ଏବଂ ପାଷ୍ଟ ହିଷ୍ଟୋରି ଭଲ ନାହିଁ, ସେହିଭଳି ଏକ କମ୍ପାନୀକୁ ବାଛିବାକୁ ଯାଉଛନ୍ତି ତାହା ଏକ ସାଙ୍ଘାତିକ କଥା ।
ଏପରିକି ରାଜ୍ୟସରକାର ସେସୁକୁ ବିକ୍ରି କରିବାର ପ୍ରକ୍ରିୟାକୁ ମଧ୍ୟ ସ୍ପଷ୍ଟ କରିନଥିବାବେଳେ ଏହା ଖୋଲା ଟେଣ୍ଡର କାହିଁକି କରିନଥିଲେ ତାହା ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ସେସୁର ୧୦୦ ପ୍ରତିଶତ ବିକିବେ କି ୫୧ ପ୍ରତିଶତ ବିକିବେ ତାହା ସ୍ପଷ୍ଟ କରିନଥାଇ ବିକ୍ରି ପାଇଁ ଚୁଡାନ୍ତ କରିବା ଏକ ହାସ୍ୟାସ୍ପଦ ଘଟଣା ବୋଲି ଡ.ସାମନ୍ତସିଂହାର କହିଛନ୍ତି ।
