“୨ରୁ ଊଦ୍ଧ୍ୱର୍ ସନ୍ତାନ ହେଲେ ହୋଇପାରିବେନି ସରପଞ୍ଚ’
ନୂଆଦିଲ୍ଲୀ,୨୫ା୧୦ : ପଞ୍ଚାୟତରାଜ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ୨ରୁ ଊଦ୍ଧ୍ୱର୍ ସନ୍ତାନ ଥିବା ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଓଡ଼ିଶାର ଏକ ସଂରକ୍ଷିତ ଆସନ କ୍ଷେତ୍ରରୁ ମାନସିଂହ ମାଝୀଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିବା ସହ ୨ରୁ ଊଦ୍ଧ୍ୱର୍ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଞ୍ଚାୟତ ନିର୍ବାଚନର କୌଣସି ପଦରେ ପ୍ରାର୍ଥୀ ହୋଇ ପାରିବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ଏପରିକି ସେମାନେ ପଞ୍ଚାୟତର କୌଣସି ପଦରେ ମଧ୍ୟ ରହିପାରିବେ ନାହିଁ ।
ନୂଆପଡ଼ା ଜିଲ୍ଲାର ଏକ ପଞ୍ଚାୟତ ନିର୍ବାଚନରେ ୨୦୦୨ରେ ସରପଞ୍ଚ ହୋଇଥିବା ଜଣେ ବ୍ୟକ୍ତିଙ୍କ ତୃତୀୟ ସନ୍ତାନ ହେବା ପରେ ସେଠାରେ ପୁନଃ ନିର୍ବାଚନ କରିବାକୁ ଦାବି କରାଯାଇଥିଲା । ଏହି ମାମଲା ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହି ମାମଲାରେ ସରପଞ୍ଚ ତାଙ୍କ ତୃତୀୟ ସନ୍ତାନକୁ ପୋଷ୍ୟପୁତ୍ର ଭାବେ ଅନ୍ୟକୁ ପ୍ରଦାନ କରି ଦେଇଥିବାରୁ ସେ ତାଙ୍କ ପଦରେ ବଳବତ୍ତର ରହି ପାରିବେ ବୋଲି କୋର୍ଟରେ ଆବେଦନ କରିଥିଲେ । ତେବେ ଆଜି ସୁପ୍ରିମକୋର୍ଟ ସ୍ୱତଃ ସନ୍ତାନ ଅନ୍ୟକୁ ପୋଷ୍ୟ ଭାବେ ପ୍ରଦାନ କରିବା ପରେ ମଧ୍ୟ ଜଣେ ପ୍ରାର୍ଥୀ ସରପଞ୍ଚ କିମ୍ବା ଅନ୍ୟାନ୍ୟ ପ୍ରାର୍ଥୀ ପାଇଁ ଅଯୋଗ୍ୟ ବୋଲି ସ୍ପଷ୍ଟ କରି ଦେଇଛନ୍ତି ।