
ହିଞ୍ଜିଳି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବ୍ରହ୍ମପୁର: ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀ ପଟ୍ଟନାୟକ ଛତ୍ରପୁରସ୍ଥିତ ଅତିରିକ୍ତ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ୍ ଅଫିସର୍ଙ୍କ ନିକଟରେ ୪ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ନବୀନ ନିବାସରୁ ବାହାରି ହେଲିକପ୍ଟର୍ ଯୋଗେ ଆସି ରାୟପୁର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିଥିଲେ । ସେଠାରୁ ସେ ତାରାତାରିଣୀ ମନ୍ଦିରକୁ ଯାଇ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ପରେ ହେଲିକାପ୍ଟର୍ ଯୋଗେ ଯାତ୍ରା କରି ଛତ୍ରପୁର ଷ୍ଟାଡିୟମ୍ରେ ଓହ୍ଲାଇ ଥିଲେ । ସେଠାରେ ଗଞ୍ଜାମ ଜିଲ୍ଲାର ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେଠାରୁ ସେ ଉପଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଯାଇଥିଲେ ।
