ଢେଙ୍କାନାଳରେ ହାତୀ ମୃତ୍ୟୁ ଘଟଣା
ସେସୁକୁ ୧ କୋଟିର ଜୋରିମାନା
ଭୁବନେଶ୍ୱର,୩୦ା୧୦ : ଖାମଖିଆଲ ମନୋଭାବ ସେସୁ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଢେଙ୍କାନାଳ କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାରେ ନାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ସେସୁ ଉପରେ ଏକ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି । ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଧାର କରି ଏନଜିଟି ନିଜ ଆଡୁ ମାମଲା ରୁଜୁ କରି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏ
ନଜିଟି ଅଧ୍ୟକ୍ଷ ବିଚାରପତି ଆଦର୍ଶ କୁମାର ଗୋଏଲ ମଙ୍ଗଳବାର ଏହି ମାମଲାର ଶୁଣାଣି କରିଛନ୍ତି । ହାତୀ ମୃତ୍ୟୁ ଘଟଣାରେ ଏନଜିଟିରେ ଆଜି ଶୁଣାଣି ହୋଇଥିଲା । ଗଣମାଧ୍ୟମରେ ପ୍ରସାରିତ ଖବରକୁ ଆଧାର କରି ଏନଜିଟି ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ଶୁଣାଣି କରି ଏନଜିଟି ସେସୁକୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରିଛନ୍ତି । କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏବଂ ଡେରାଡୁନ୍ ୱାଇଲ୍ଡ ଲାଇଫ୍ ଅଫ୍ ଇନଷ୍ଟିଚ୍ୟୁଟର ଜଣେ ଲେଖାଏଁ ସଦସ୍ୟ ରହିବେ
। ଏହି ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଏନଜିଟିକୁ ରିପୋର୍ଟ ହସ୍ତାନ୍ତର କରିବେ ଏବଂ ଏହାପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ବିଚାରପତି କହିଛନ୍ତି । ସୂଚନାଥାଉ କି, ଗତ ୨୬ ତାରିଖ ରାତିରେ ରେଳ ଲାଇନ୍ ପାର ହେଉଥିବା ବେଳେ ୧୩ଟି ହାତୀ ମଧ୍ୟରୁ ୭ଟି ହାତୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ବନ ବିଭାଗ ସେସୁକୁ ଦାୟୀ କରିଥିଲା । ସେଠାରେ ଦୀର୍ଘଦିନ ହେଲା ବିଦ୍ୟୁତ୍ ତା’ର ଓହଳି ରହିଥିଲା । ଏନେଇ ସେସୁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଚିଠି ଲେଖି ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିଲେ । ଫଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ।
ତେବେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ସମସ୍ତ ବିଭାଗରେ ମୋଟ ୬ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ଓ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।