
ସୁନେତ୍ର ଯୋଜନାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
– ସବୁ ବର୍ଗର ଲୋକଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା
ଭୁବନେଶ୍ୱର:- ଏଣିକି ସମସ୍ତ ସରକାରୀ ମେଡିକାଲରେ ମାଗଣାରେ ଚକ୍ଷୁ ପରୀକ୍ଷା କରାଯିବା ସହ ଚଷମା ମିଳିବବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ମଙ୍ଗଳବାର ସଚ୍ଚିବାଳୟ ଠାରେ ସାର୍ବଜନୀନ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ ‘ସୁନେତ୍ର’ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ ।
ରାଜ୍ୟର ସବୁ ବର୍ଗର ଜନସାଧାରଣ ଏହି ଯୋଜନାରେ ସାମିଲ ହୋଇପାରିବେ । ସୁନେତ୍ର ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ମାଗଣାରେ କରିବେ ।ଏଥିସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇଦିଅ ।ଯିବାର ବ୍ୟବସ୍ଥା ହୋଇଛି । ଏହାଛଡା ଯେକୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଅ।ବଶ୍ୟକ ଚିକିତ୍ସା ଡାକ୍ତରଖାନାରେ ହେବ । ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚାଳିଶିଆ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ବୟସ୍କ ଲୋକଙ୍କ ମୋତିଅ।ବିନ୍ଦୁ ଅସ୍ତ୍ରୋପଚାର ବି ମାଗଣାରେ ହେବ । ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ । ଏହି ସୁବିଧା ପାଇବାକୁ କୌଣସି କାଗଜପତ୍ର ଦରକାର ହୁଏ ନାହିଁ ।
ପିଠା ଯୋଜନାରେ ସାର୍ବଜନୀନ ଚକ୍ଷୁ ଚିକିତ୍ସା କାର୍ଯ୍ୟକ୍ରମ (ସୁନେତ୍ର)କୁ ଯୋଡାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଠା ମେଳାରେ ଚଷମା ବଂଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ସହିତ ଉପସ୍ଥିତ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ଯୋଜନା ସଂକ୍ରାନ୍ତରେ ସୂଚନା ଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା କହିଛନ୍ତି ଯେ ରାଜ୍ୟରେ ସୁନେତ୍ର ଜରିଆରେ ମାଗଣା ଚକ୍ଷୁ ଚିକିତ୍ସାସେବା ଜାରି ରହିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପିଠା କାର୍ଯ୍ୟକ୍ରମରେ ଚଷମା ବଂଟନର ଶୁଭାରମ୍ଭ କରିଛନ୍ତି ।
ବିଭିନ୍ନ ଜିଲ୍ଲାର ୧୧୦୨ ପଂଚାୟତର ପିଠା ଶିବିରରେ ୧୯,୮୧୯ ଜଣ ଛାତ୍ରଛାତ୍ରୀ ଏବଂ ୩୮,୩୦୬ ବୟସ୍କ, ମୋଟ୍ ୫୮,୧୨୫ ଜଣଙ୍କୁ ମାଗଣାରେ ଚଷମା ପ୍ରଦାନ କରାଯିବ । ସାର୍ବଜନିତ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ କରାଯିବ ବୋଲି ସୁନେତ୍ର ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ କହିଛନ୍ତି ।
ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ,ଉନ୍ନୟନ କମିଶନର ଅସୀତ୍ ତ୍ରିପାଠୀ, ବିଭାଗୀୟ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
