
ରାଜ୍ୟରେ ସୁଶାସନ ପାଇଁ ଘର ଘର ବୁଲି ଜନସାଧାରଣଙ୍କ ପରାମର୍ଶ ଲୋଡିବୁ: ବସନ୍ତ ପଣ୍ଡା
ଭୁବନେଶ୍ୱର:- ବିଜେପି ନିରନ୍ତର ଭାବେ ମିଶନ ୧୨୦+ ଲକ୍ଷ୍ୟରେ ଆଗେଇ ଚାଲିଛି । ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ପିସି ସରକାର ଚାଲିଛି । ସବୁ ସ୍ତରରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନାହିଁ । ଏପରିକି ଯୋଜନା ପାଇବାକୁ ହେଲେ ଯୋଗ୍ୟ ହିତାଧିକାରୀକୁ ପିସି ଦେବାକୁ ପଡୁଛି । ସାଧାରଣ ଲୋକ ଶୋଷଣର ଶିକାର ହେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷାରୁ ବଂଚିତ ହେଉଛନ୍ତି । ଓଡିଶାର ଅନେକ ସମ୍ଭାବନା ଥିବା ସତ୍ୱେ ରାଜ୍ୟରେ ବିକାଶ ହେଉନାହିଁ । ଆଗାମୀ ଦିନରେ କିଭଳି ରାଜ୍ୟରେ ବିକାଶ ହେବା ସହ ସୁଶାସନ ଫେରିବ ସେଥିପାଇଁ ସାଧାରଣ ଜନତାଙ୍କଠାରୁ ପରାମର୍ଶ ଲୋଡାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।
ଆଜିଠୁ ସାରା ରାଜ୍ୟରେ ବିଜେପିର ଜନପରାମର୍ଶ ପଦଯାତ୍ରା ଆରମ୍ଭ ହୋଇଛି । ୩୭,୬୦୬ବୁଥ୍, ୫୧ ହଜାର ଗାଁ ଏବଂ ୧୦୦୨ ମଣ୍ଡଳରେ ଏହି ପଦଯାତ୍ରା ଚାଲିବ । ଭୁବନେଶ୍ୱର ଏକାମ୍ର କ୍ଷେତ୍ରରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ଜନପରାମର୍ଶ ପଦଯାତ୍ରା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟ।।ଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚାଇବା ସହ ବିଗତ ଦିନରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରର ଅପାରଗତା ସଂପର୍କରେ ଅବଗତ କରାଇବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ପୂର୍ବରୁ ବିଜେପି ଆୟୁଷ୍ମାନ ଭାରତକୁ ରାଜ୍ୟରେ ଲାଗୁ କରିବା ପାଇଁ ଜନଜାଗରଣ ଯାତ୍ରା, ବୁଥ କମିଟି ଗଠନ, ସଭ୍ୟ ସଂଗ୍ରହ ପାଇଁ ଯାତ୍ରା, ବ୍ଲକ ଘେରାଓ, ଆରଆଇ ଅଫିସ ଘେରାଓ, ପଂଚାୟତ ଅଫିସ ତାଲା ପକାଇବା, ମହିଳା ସୁରକ୍ଷା ଯାତ୍ରା, ଯୁବ ମୋର୍ଚ୍ଚା ପକ୍ଷରୁ ନିୟୋଜନ ଅଫିସରେ ତାଲା ପକାଇବା ଆଦି ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଂଚି ସାଧାରଣ ଲୋକଙ୍କ ହକ୍ ପାଇଁ ଆନ୍ଦୋଳନ କରି ଆସିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତା ସାମିଲ ଥିଲେ ।
ଏହି ପଦଯାତ୍ରା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।
