ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି-୨୦୧୯ର ଲୋଗୋ ଉନ୍ମୋଚିତ
ଭୁବନେଶ୍ୱର,୧୧ା୧ : ଚାଷୀଙ୍କର ଆୟ ବୃଦ୍ଧିର ସହାୟକ ରାଜ୍ୟର ଏକ ଅଗ୍ରଣୀ ଫସଲ କନ୍ଦମୂଳକୁ ଚଳିତ ବର୍ଷ କୃଷି ଓଡ଼ିଶାର ପ୍ରତୀକ କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । କନ୍ଦମୂଳ ଏକ ଲାଭଜନକ କନ୍ଦଜାତୀୟ ଫସଲ ଯାହା ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ପ୍ରକାର ବ୍ୟଞ୍ଜନର ସ୍ୱାଦ ବୃଦ୍ଧି କରିଥାଏ ।
ସମଗ୍ର ଭାରତରେ କନ୍ଦମୂଳ ଫସଲରେ ଆୟତନ ଓ ଉତ୍ପାଦନରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଅଛି । ରାଜ୍ୟରେ ସମୁଦାୟ ୪୦୪୦୯ ହେକ୍ଟର ଜମିରେ ଏହା ଚାଷ କରାଯାଏ ଓ ମୋଟ ୩.୮୨ ଲକ୍ଷ ମେଟ୍ରିକ ଟନ ଉତ୍ପାଦିତ ହୋଇଥାଏ । ଭିଟାମିନ-କରେ ପରିପୂର୍ଣ୍ଣ ଏହି ଫସଲର ୨ଟି କିସମ କଞ୍ଜନଗଡ଼ ଓ ବିଧାନଜ୍ୟୋତି ଦେଶରେ ଅତ୍ୟନ୍ତ ଆଦୃତି ଲାଭ କରିଛି । ଏ ଫସଲ ଚାଷୀର ଆୟତନ ଓ ଉତ୍ପାଦକତା ବୃଦ୍ଧି ପାଇଁ ଜିଏଆଇଏନଏସ ନାମକ ଏକ ପ୍ରକଳ୍ପ ୨୦୧୬-୧୭ରୁ ରାଜ୍ୟରେ ଆନ୍ତର୍ଜାତୀୟ ଆଳୁ କେନ୍ଦ୍ର(ସିଆଇପି) ଆନୁକୂଲ୍ୟରେ ଗଞ୍ଜାମ, ଢେଙ୍କାନାଳ, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଅଛି । ଯାହାଦ୍ୱାରା ପ୍ରାୟ ୬୦୦୦ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଇ ପାରିଛି ।
ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଥିବା ଫସଲରେ ଓ ଚାଷୀମାନଙ୍କୁ ଖାଦ୍ୟ ନିରାପତା ଓ ପୁଷ୍ଟି ଯୋଗାଣରେ ବିଶେଷ ଭାବରେ ସହାୟକ ହୋଇପାରିବ । ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ କନ୍ଦ ଜାତୀୟ ଫସଲ ଗବେଷଣା କେନ୍ଦ୍ର(ସିଟିସିଆରଆଇ) ଠାରେ କନ୍ଦମୂଳର ପ୍ରକ୍ରିୟା କରଣର ବ୍ୟବସ୍ଥା କରାଯାଇ ଚିପସ, ପାସ୍ତା, ଅଟା ଓ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଉଅଛି ଓ ଚାଷୀମାନଙ୍କ ତାଲିମର ବ୍ୟବସ୍ଥା ମଧ୍ୟ କରାଯାଉଅଛି ବୋଲି ଉକ୍ତ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଛି ।
ଏହି କାର୍ଯ୍ୟକ୍ରମରେ ଅର୍ଥ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶଶିଭୂଷଣ ବେହେରା, ସାଂସଦ ତଥାଗତ ଶତପଥୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ, ସଚିବ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।