ନୂଆଦିଲ୍ଳୀ: ଆସନ୍ତା ସାଧାରଣ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହିବେ ଅମିତ ଶାହା । ୨୦୧୯ ଜାନୁଆରିରେ ତାଙ୍କର କାର୍ଯ୍ୟକାଳ ସରିଯାଉଥିଲେ ମଧ୍ୟ ତାଙ୍କୁ ପୂର୍ବବତ ଅଧ୍ୟକ୍ଷ ପଦରେ ରହି କାର୍ଯ୍ୟ କରିବା ଲାଗି ଦଳର ଜାତୀୟ କାର୍ଯ୍ୟକରିଣୀ ନିଷ୍ପତ୍ତି ନେଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳର ସାଂଗଠନିକ ନିର୍ବାଚନ ଏବେ କରାଯିବା ଉଚିତ ନୁହେଁ । ଏଣୁ ନିର୍ବାଚନ ଶେଷ ହେବା ପରେ ସାଂଗଠନିକ ନିର୍ବାଚନ ଲାଗି ନିଷ୍ପତ୍ତି ହୋଇଛି ।
୫ଟି ରାଜ୍ୟରେ ହେବାକୁ ଥିବା ଆସନ୍ତା ବିଧାନସଭା ନିର୍ବାଚନର ପ୍ରସ୍ତୁତି ଲାଗି ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ଶନିବାର ସକାଳେ ଆରମ୍ଭ ହୋଇଛି । ପ୍ରଥମ ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଦଳର ଜାତୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟର ଅଧ୍ୟକ୍ଷଙ୍କ ସହ ବୈଠକ ହେବ ବୋଲି ଜଣାପଡ଼ିଛି । ଏଥିସହ ଚଳିତ ଜାତୀୟ କାର୍ଯ୍ୟକାରିଣୀରେ ତୈଳ ଦର ବୃଦ୍ଧିର ପ୍ରଭାବ ନିର୍ବାଚନରେ ପଡ଼ିବ କି ନାହିଁ, ତାହା ମଧ୍ୟ ଆଲୋଚିତ ହେବ ବୋଲି ଜଣାପଡ଼ିଛି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀରେ ଦୃଢ଼ତାର ସହ ମତ ରଖିଛନ୍ତି ଯେ, ଆସନ୍ତା ବିଧାନସଭା ନିର୍ବାଚନ ଗୁଡିକରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ । ୧ବର୍ଷ ପରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବୈଠକର ଉଦ୍ଯାପନୀ ସମାରୋହରେ ଯୋଗଦେବେ ବୋଲି ଜଣାପଡ଼ିଛି।