ବିଧାନ ପରିଷଦ ସଂକଳ୍ପ ପାରିତ
ଭୁବନେଶ୍ୱର,୬ା୯: ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ‘ବିଧାନ ପରିଷଦ ସଂକଳ୍ପ’ ବିଧାନସଭାରେ ପାରିତ ହୋଇଛି । ମୋଟ ୧୦୪ଟି ଭୋଟରେ ଏହି ସଂକଳ୍ପ ପାରିତ ହୋଇଛି । ଏଥିପାଇଁ ହୋଇଥିବା ଭୋଟରେ ଶାସକ ଦଳର ୧୦୩ ଜଣ ସଂକଳ୍ପ ସପକ୍ଷରେ ଭୋଟ ଦେଇଥିବା ବେଳେ ସ୍ୱାଧୀନ ସଦସ୍ୟ ସନାତନ ମହାକୁଡ ମଧ୍ୟ ସଂକଳ୍ପ ସପକ୍ଷରେ ଭୋଟ ଦେଇଥିଲେ । ସଂଧ୍ୟା ୭ ଟା୩୩ ରେ ଭୋଟ ଗ୍ରହଣ ଆରମ୍ଭ ହୋଇ ୭ଟା ୫୦ରେ ଶେଷ ହୋଇଥିଲା । ୭ ଟା ୫୪ ରେ ବାଚସ୍ପତି ନିଷ୍ପତି ସମ୍ପର୍କରେ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଭୋଟ ଦେଇଥିଲେ । ପରେ ଜଣକ ପରେ ଜଣେ ସଦସ୍ୟ ଭୋଟ ଦେଇଥିଲେ । ଶାସକ ଦଳର ସମୁଦାୟ ସଭ୍ୟଙ୍କ ମଧ୍ୟରୁ ୧୩ ଜଣ ଅନୁପସ୍ଥିତ ଥିଲେ । ଭୋଟିଂ ପୂର୍ବରୁ ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟମାନେ ସଂକଳ୍ପକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ । ଗୁରୁବାର ଅପରାହ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଏସମ୍ବନ୍ଧୀୟ ସଂକଳ୍ପକୁ ବିଧାନସଭାରେ ଆଗତ କରି ବିଧାନ ପରିଷଦ ଗଠନ ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ । ସଂକଳ୍ପଟିକୁ ଆଲୋଚନା ପୂର୍ବକ ଐକମତରେ ପାରିତ କରିବାକୁ ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଆମ ରାଜ୍ୟରେ ଥିବା ଆଇନ ପ୍ରଣୟନ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ସୁଶାସନ ଓ ଜନ ସାଧାରଣଙ୍କ କଲ୍ୟାଣ ନିମନ୍ତେ ଏକ ଉତମ ଓ ବ୍ୟାପକ ବିଧି ବ୍ୟବସ୍ଥା ପ୍ରତିଷ୍ଠା ଦିଗରେ ଓଡିଶାରେ ବିଧାନ ପରିଷଦ ଗଠନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଧାନ ପରିଷଦ ଗଠନ ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୬୯(୧)ର ବ୍ୟବସ୍ଥା ଅନୁଯାୟୀ ବିଧାନସଭା ଦ୍ୱାରା ଏସମ୍ବନ୍ଧୀୟ ସଂକଳ୍ପ ସର୍ବ ପ୍ରଥମେ ପାରିତ ହେବା ଆବଶ୍ୟକ ।
ମନ୍ତ୍ରୀ ଶ୍ରୀ ଆରୁଖ ସଂକଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଭାରତର ଅନ୍ୟ କେତେକ ରାଜ୍ୟ ଭଳି ଓଡିଶାରେ ଏକକ ବିଧାନମଣ୍ଡଳ ବ୍ୟବସ୍ଥା ପ୍ରଚଳିତ ଅଛି । ଏହି ବ୍ୟବସ୍ଥା ଆମ ରାଜ୍ୟରେ ବିଗତ ୮ ଦଶନ୍ଧି ଧରି ରାଜ୍ୟ ସ୍ୱାର୍ଥ ପାଇଁ ଆବଶ୍ୟକ ପଡୁଥିବା ଆଇନ ପ୍ରଣୟନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିଆସୁଛି । ବର୍ତମାନ ଓଡିଶାର କେତେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଗୁଡିକର ଆଲୋଚନା , ସୁଶାସନ ଓ ଜନକଲ୍ୟାଣ ପାଇଁ ବିଧାନ ପରିଷଦ ଗଠନର ଆବଶ୍ୟକତା ରହିଛି । ଏହାଦ୍ୱାରା ରାଜ୍ୟ ସମ୍ବଳିତ ଅନେକ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା ହୋଇପାରିବ ଏବଂ ଏହା ରାଜ୍ୟପାଇଁ ଫଳପ୍ରଦ ହେବ । ଏହାଦ୍ୱାରା ବିଧାନସଭାରେ ପାରିତ ବିଲ୍ ଗୁଡିକୁ ଅଧିକ ତର୍ଜମା କରାଯାଇପାରିବ ଓ ଯାଂଚ ମଧ୍ୟ ହୋଇପାରିବ । ଆଇନ ପ୍ରଣୟନ ବ୍ୟବସ୍ଥା ସମୃଦ୍ଧ ହେବା ସହିତ ଶାସନ ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହୋଇପାରିବ । ବିଧେୟକ ଗୁଡିକରେ ତ୍ରୁଟି ବିଚ୍ୟୁତିର ମଧ୍ୟ ସଂଶୋଧନ ହୋଇପାରିବ ବୋଲି ସେ କହିଥିଲେ ।
ବର୍ତମାନ ଆନ୍ଧ୍ରପ୍ରଦେଶ , ତେଲେଙ୍ଗାନା, ବିହାର , ଜମ୍ମୁ ଓ କାଶ୍ମୀର ,କର୍ଣ୍ଣାଟକ, ମହାରଷ୍ଟ୍ର ଓ ଉତରପ୍ରଦେଶରେ ବିଧାନ ପରିଷଦ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ୫ ଜଣିଆ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ,ବିହାର ଓ ତେଲେଙ୍ଗାନା ଯାଇ ସେଠାକାର ବିଧାନ ପରିଷଦର କାର୍ଯ୍ୟକାରୀତା ଅନୁଧ୍ୟାନ କରିଥିଲେ । ଏସମ୍ପର୍କରେ ଏକ ତଥ୍ୟ ଭିତିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରସ୍ତାବ ଗତ ଅଗଷ୍ଟ ୨୪ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଭ କରିଛି । ସମ୍ବିଧନ ଅନୁଯାୟୀ ବିଧାନ ପରିଷଦର ମୋଟ ସଭ୍ୟ ସଂଖ୍ୟା ସର୍ବନିମ୍ନ ୪୦ ଏବଂ ସର୍ବାଧିକ ସମ୍ପୃକ୍ତ ରାଜ୍ୟ ବିଧାନସଭାର ସମୁଦାୟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶରେ ସୀମିତ ରହିବା ଆବଶ୍ୟକ । ତେଣୁ ଓଡିଶାରେ ବିଧାନ ପରିଷଦ ଗଠନ ହେଲେ ଏହାର ସଭ୍ୟ ସଂଖ୍ୟା ମୋଟ ୪୯ ହେବ ।
ମୋଟ ସଭ୍ୟ ସଂଖ୍ୟାର ଏକ ତୃତୀୟାଂଶ ଅର୍ଥତ ୧୬ ଜଣ ବିଧାନସଭା ସଭ୍ୟମାନଙ୍କ ଦ୍ବାରା ନିର୍ବାଚିତ ହେବେ । ଆଉ ୧୬ ଜଣ ସଦସ୍ୟ ଜିଲ୍ଲାପରିଷଦ, ପଂଚାୟତ ସମିତି ଓ ସହରାଂଚଳର ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ଦ୍ୱାରା ନିର୍ବାଚିତ ହେବେ । ୪ ଜଣ ସଦସ୍ୟ ରାଜ୍ୟରେ ୩ ବର୍ଷରୁ ଉଦ୍ଧ୍ୱର ଅଭିଜ୍ଞତା ଥିବା ସ୍ନାତକମାନଙ୍କୁ ନେଇ ଏକ ଇଲେକ୍ଟ୍ରୋଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ୪ ଜଣ ସଦସ୍ୟ ମାଧ୍ୟମିକ ବା ତଦୁର୍ଦ୍ଧ ବିଦ୍ୟାଳୟରେ ୩ ବର୍ଷରୁ ଉଦ୍ଧ୍ୱର ଅଭିଜ୍ଞତା ଥିବା ଶିକ୍ଷକମାନଙ୍କୁ ନେଇ ଗଠିତ ଏକ ଇଲେକ୍ଟ୍ରୋଲ କଲେଜ ମାଧ୍ୟମରେ ନିର୍ବାଚିତ ହେବେ । ଅବଶିଷ୍ଟ ୯ଜଣ ସଭ୍ୟ ସାହିତ୍ୟ, ବିଜ୍ଞାନ, କଳା, ସମବାୟ ଓ ସାମାଜିକ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏବଂ କାର୍ଯ୍ୟରତ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ରାଜ୍ୟପାଳଙ୍କ ଦ୍ୱାରା ମନୋତୀତ ହେବେ । ବିଧାନ ପରିଷଦ ଏକ ସ୍ଥାୟୀ ଗୃହ ହିସାବରେ କାର୍ଯ୍ୟକରିବ ଯାହାର ଏକ ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ନେବେ ।
ବର୍ତମାନ ପାଇଁ ଭୁବନେଶ୍ୱର ସ୍ଥିତ ସର୍ଦ୍ଦାର ପଟେଲ ହଲ୍ (ପୁରୁଣା ବିଧାନ ସୌଧ)ରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହୋଇପାରିବ । ଏହି ଗୃହ ଦ୍ୱାରା ସଂକଳ୍ପ ପାରିତ ହେବା ପରେ ଓଡିଶା ବିଧାନ ପରିଷଦ ଗଠନ ସମ୍ପର୍କିତ ଆଇନ ସଂସଦର ଉଭୟ ଗୃହରେ ସଂଖ୍ୟାଧିକ ଭୋଟରେ ପାରିତ ହେବା ଆବଶ୍ୟକ ଓ ଉକ୍ତ ଆଇନ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିବା ଆବଶ୍ୟକ ।
ବିଧାନ ପରିଷଦ ଗଠନ ହେଲେ ବାର୍ଷିକ ପ୍ରାୟ ୩୫ କୋଟି ଟଙ୍କାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ବୋଲି ସେ କହିଛନ୍ତି ।