ବାରମୁଲାରେ ୨ ଆତଙ୍କୀ ମୃତ, ଜଣେ ଯବାନ ସହିଦ
କାଶ୍ମୀର,୨୬ା୧୦ : ଜାମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଗତ କିଛିଦିନ ଧରି ସୁରକ୍ଷା ବାହିନୀର ‘ଅପରେସନ ଅଲ ଆଉଟ’ ଜାରି ରହିଛି । ଜାମ୍ମୁ-କାଶ୍ମୀରର ବାରମୁଲା ଜିଲ୍ଲାର ସୋପୋରର ପାଜାପ୍ଲୋରା, ବେହରାମପୋରା ଅଞ୍ଚଳରେ ଶୁକ୍ରବାର ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ।
ଆତଙ୍କବାଦୀଙ୍କର ସେନା ଓ ପୋଲିସ ବାହିନୀ ମିଳିତ ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଗୁଳି ବିନିମୟ ସମୟରେ ଗୁରୁତର ଆହତ ହୋଇଥିବା ଯବାନଙ୍କର ଆର୍ମୀ ହସ୍ପିଟାଲରେ ପରଲୋକ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସେନାବାହିନୀ ଜାମ୍ମୁ-କାଶ୍ମୀର ପୋଲିସ ସ୍ୱତନ୍ତ୍ର କାର୍ଯ୍ୟାନୁଷ୍ଠାନ ଦଳ ଓ ସିଆରପିଏଫ୍ ଯବାନମାନଙ୍କୁ ନେଇ ମିଳିତ ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ ଘେରାଉ କରାଯିବା ପରେ ପ୍ରଥମେ ତଲାସୀ ଏବଂ ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।
ସେହି ଅଞ୍ଚଳରେ ସନ୍ତ୍ରାସବାଦୀମାନେ ଲୁଚି ରହିଥିବାର ଗୁପ୍ତ ସୂଚନା ମିଳିଥିଲା । ଯାହା ଆଧାରରେ ଏହି ଅତର୍କିତ ଆକ୍ରମଣ କରାଯାଇଥିଲା । ଉଭୟ ପକ୍ଷର ଗୁଳି ଚାଳନାରେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ଗତ ତିନିଦିନ ମଧ୍ୟରେ ‘ଅପରେସନ ଅଲ ଆଉଟ’ରେ ୧୦ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ।