
ପ୍ରଧାନମନ୍ତ୍ରୀ ଆବାସ ଛାଡ଼ି ସାଧାରଣ ଜୀବନ ବିତାଇବେ ନବନିର୍ବାଚିତ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ l ୫୨୪ରୁ ୨ଜଣ ସହାୟକ, ୮୦ରୁ ୨ଟି ଗାଡ଼ି ବ୍ୟବହାର କରିବେ l
ଇସ୍ଲାମବାଦ୍: ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜର ପ୍ରଥମ ଭାଷଣରେ ପାକିସ୍ତାନୀ କ୍ରିକେଟର୍ ତଥା ରାଜନେତା ଇମ୍ରାନ୍ ଖାନ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସକାଶେ ନିୟୋଜିତ ହେବାକୁ ଥିବା ୫୨୪ ଜଣ ଚାକରବାକର ତାଙ୍କର ଦରକାର ନାହିଁ। ପ୍ରଧାନମନ୍ତ୍ରୀ ଗୃହରେ ସେ କେବଳ ୨ ଜଣ ଗୃହ ସହାୟକଙ୍କୁ ଚାହାନ୍ତି ବୋଲି ନିଜର ପ୍ରଥମ ଭାଷଣରେ କହିଛନ୍ତି।
ସରକାରୀ ଖର୍ଚ୍ଚ କାଟ୍ କରିବା ପାଇଁ ସେ ଏପରି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ। ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ସକାଶେ ୮୦ଟି ଗାଡ଼ି ରହିଥିବା ବେଳେ ସେ ମାତ୍ର ୨ଟି ବ୍ୟବହାର କରିବେ ବୋଲି ପ୍ରକାଶ କରିଛନ୍ତି।
ସେ ଆରାମଦାୟକ ପ୍ରଧାନମନ୍ତ୍ରୀ ଗୃହରେ ରହିବେ ନାହିଁ, ବରଂ ମିଲିଟାରି ସେକ୍ରେଟେରିର ୩ ବଖରା ବିଶିଷ୍ଟ ବାସଭବନରେ ରହିବେ ବୋଲି ଘୋଷଣା କରିଛନ୍ତି। ସେ ଗୃହରେ ନ୍ୟାୟପାଳିକା, ଶିକ୍ଷଣୀୟ, ସ୍ୱାସ୍ଥ୍ୟ, ଶକ୍ତି ବିତରଣ, ବେରୋଜଗାରୀ, ଜଳ ସମସ୍ୟା ଆଦି ଦୂରେଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ପାକିସ୍ତାନର ଏହି ୨୨ତମ ପ୍ରଧାନମନ୍ତ୍ରୀ ଗରିବ ଓ ଧନୀକଙ୍କ ମଧ୍ୟରେ ରହିଥିବା ଜୀବନ ଶୈଳୀ ପାର୍ଥକ୍ୟକୁ ମଧ୍ୟ କେନ୍ଦ୍ର କରି ମନ୍ତବ୍ୟ ରଖିଛନ୍ତି।
