
ଜୀବିତ ରୋଗୀଙ୍କୁ ପୋଷ୍ଟମର୍ଟମ ପାଇଁ ଲେଖିବା ଘଟଣା : ତଦନ୍ତରେ ଡାକ୍ତର ହେଲେ ନିର୍ଦ୍ଦୋଷ
ଭଦ୍ରକ, ୧୮ ମାର୍ଚ୍ଚ – ଗତ ଶନିବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କୁ ମୃତ ଦର୍ଶାଇ ଶବ ବ୍ୟବଚ୍ଛେଦ କରିବାକୁ ଡାକ୍ତର ଲେଖିବା ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଉପଜିଲ୍ଲାପାଳ ତଦନ୍ତ କରି ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଧୁଷୂରୀ ଥାନା ଅନ୍ତର୍ଗତ ଖଟୁଆପାଟଣା ଗ୍ରାମର ସୁଜିତ ଖଟୁଆ ଅଚେତ ଅବସ୍ଥାରେ ଭଦ୍ରକ ମେଡିକାଲରେ ଆଡମିଶନ ହୋଇଥିବା ବେଳେ ତାଙ୍କୁ ଡାକ୍ତର କରୁଣାକର ରାଉତ ଚିକିତ୍ସା ନିମନ୍ତେ ପରୀକ୍ଷା କରି ମୃତ ଘୋଷଣା କରିବା ଶବ ବ୍ୟବଚ୍ଛେଦ ପାଇଁ ଆଡମିଶନ ଟିକଟରେ ଲେଖିଥିଲେ । ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଏ ନେଇ ପୁଲିସରେ ଅଭିଯୋଗ ହୋଇଥିଲା । ଡାକ୍ତର ଲେଖିଥିବା କାଗଜ ପତ୍ର ଛଡାଇ ଚିରି ଦିଆଯିବା ସହିତ ବ୍ୟବଚ୍ଛେଦ ପାଇଁ ଲେଖାଯାଇଥିବା ସ୍ଥାନରେ କଲମରେ ଓଭର ରାଇଟିଂ କରାଯାଇଥିଲା । ଯାହାକୁ ତଦନ୍ତ ସମୟରେ ସିଡିଏମଓ ବାରିସ ଦାସ ଓ ଉପଜିଲ୍ଲାପାଳ ପୀତାମ୍ବର ସାମଲ ଉପଯୁକ୍ତ ପ୍ରମାଣକୁ ନେଇ ନ ଥିଲେ । ଫଳରେ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ନ ଥିବା ଦର୍ଶାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି । ଅନ୍ୟପକ୍ଷରେ ପୁଲିସରେ କରାଯାଇଥିବା ଅଭିଯୋଗର ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିବା ଜଣା ଯାଇଛି ।
